ବ୍ୟର୍ଥ ୟୁନୁସ

Advertisment

ଶାନ୍ତି ସକାଶେ ନୋବେଲ ପୁରସ୍କାର ଲାଭ କରିଥିବା ଜଣେ ବିଦ୍ବାନଙ୍କୁ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ କରାଗଲା ବେଳେ ଆଶା ଉତ୍ପନ୍ନ ହୋଇଥିଲା ଯେ ହସିନାଙ୍କ ବିତାଡ଼ନ ପରେ ଗଣତାନ୍ତ୍ରିକ ଆଦର୍ଶରେ ଉଦ୍‌ବୁଦ୍ଧ ଏକ ଉଦାରପନ୍ଥୀ....

Updated On

ଶାନ୍ତି ସକାଶେ ନୋବେଲ ପୁରସ୍କାର ଲାଭ କରିଥିବା ଜଣେ ବିଦ୍ବାନଙ୍କୁ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ କରାଗଲା ବେଳେ ଆଶା ଉତ୍ପନ୍ନ ହୋଇଥିଲା ଯେ ହସିନାଙ୍କ ବିତାଡ଼ନ ପରେ ଗଣତାନ୍ତ୍ରିକ ଆଦର୍ଶରେ ଉଦ୍‌ବୁଦ୍ଧ ଏକ ଉଦାରପନ୍ଥୀ....

ଅଦ୍ୟତନ ହୋଇଛି
samp1

ଶାନ୍ତି ସକାଶେ ନୋବେଲ ପୁରସ୍କାର ଲାଭ କରିଥିବା ଜଣେ ବିଦ୍ବାନଙ୍କୁ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ କରାଗଲା ବେଳେ ଆଶା ଉତ୍ପନ୍ନ ହୋଇଥିଲା ଯେ ହସିନାଙ୍କ ବିତାଡ଼ନ ପରେ ଗଣତାନ୍ତ୍ରିକ ଆଦର୍ଶରେ ଉଦ୍‌ବୁଦ୍ଧ ଏକ ଉଦାରପନ୍ଥୀ ସରକାର ବାଂଲା‌େଦଶର ଦାୟିତ୍ବ ନେବ। କିନ୍ତୁ ତାହା ଏକ ବିଭ୍ରାନ୍ତି ଥିଲା। ମହମ୍ମଦ ୟୁନୁସଙ୍କ ଠାରେ ପରିଦୃଷ୍ଟ ପ୍ରତିଶୋଧପରାୟଣତା ଏବଂ ସମରାଗ୍ରହ ହେତୁ ପୃଥିବୀର ଜଣେ ଅଗ୍ରଗଣ୍ୟ ଶାନ୍ତିକାମୀ ସୁପୁରୁଷ ବୋଲି ତାଙ୍କ ପ୍ରତି ଥିବା ସଂଭ୍ରମବୋଧ ମଧ୍ୟ କ୍ରମେ ଲୋପ ପାଇବାକୁ ବସିଲାଣି।

ଆଜିକୁ ନଅ ମାସ ପୂର୍ବେ ବାଂଲାଦେଶର ସଡ଼କରେ ଆନ୍ଦୋଳନ ଓ ଅରାଜକତାର ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା, ବର୍ତ୍ତମାନ ତାହା ପୁନଃ ଅଭିନୀତ ହେବାକୁ ଯାଉଥିବା ଭଳି ମନେ ହେଉଛି; କେବଳ ପ୍ରଭେଦଟି ହେଲା ସେହି ସମୟରେ ବାଂଲାଦେଶର ତ୍ରାଣକର୍ତ୍ତା ରୂପେ ଅାମନ୍ତ୍ରିତ ହୋଇ ଅଭ୍ୟର୍ଥନା ଲାଭ କରିଥିବା ମହମ୍ମଦ ୟୁନୁସ ଏବେ ବିରୋଧ ଓ ଆକ୍ରୋଶର ଶରବ୍ୟ ହୋଇଛନ୍ତି। ଏହାର କାରଣ ବାଂଲାଦେଶରେ ନିର୍ବାଚନଟିଏ ଆୟୋଜନ କରି ଏକ ସ୍ଥିର ସରକାର ସ୍ଥାପନରେ ସେଠାକାର କାମଚଳା ସରକାରର ମୁଖ୍ୟ ଉପଦେଷ୍ଟା ରୂପେ ମହମ୍ମଦ ୟୁନୁସଙ୍କ ବିଫଳତା। ତେବେ ସେ ଯାହା ହେଉ, ଆମ ଦେଶର ଏକ ମହତ୍ତ୍ବପୂର୍ଣ୍ଣ ପଡ଼ୋଶୀ ରାଷ୍ଟ୍ରରେ ସମୟ ଚକ୍ରର ଏଭଳି ଓଲଟ ଘୂର୍ଣ୍ଣନ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ସଂପ୍ରତି ବାଂଲାଦେଶର ସଡ଼କ ଆନ୍ଦୋଳନରତ ସରକାରୀ ଅମଲା, ଶିକ୍ଷକ ଓ ‘ବାଂଲାଦେଶ ନେସନାଲିଷ୍ଟ ପାର୍ଟି’ ବା ‘ବିଏନ୍‌ପି’ର ସଦସ୍ୟଙ୍କ ଦ୍ବାରା ରୁନ୍ଧି ହୋଇଯାଇଛି, ଯହିଁରେ ଅମଲାମାନେ ଏକ ଅଣନିର୍ବାଚିତ କାମଚଳା ସରକାର ଦ୍ବାରା ପ୍ରଣୀତ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସଂବଳିତ ଏକ ସ୍ବୈରାଚାରୀ ନିୟମକୁ ସ୍ବୀକାର କରି ନ ଥାଆନ୍ତି; ଶିକ୍ଷକମାନେ ଏକ ବର୍ଦ୍ଧିତ ବେତନ ଚାହାନ୍ତି ଏବଂ ‘ବିଏନ୍‌ପି’ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏକ ସାଧାରଣ ନିର୍ବାଚନ ଦାବି କରିଥାଏ। ପ୍ରକାଶ ଥାଉ କି ଏକ କାମଚଳା ସରକାର ଅଧୀନସ୍ଥ ବାଂଲାଦେଶ ଘୋର ନୈରାଜ୍ୟର ପ୍ରତ୍ୟକ୍ଷ କରିବାରେ ଲାଗିଛି, ଯହିଁରେ ସଡ଼କ ସଂଘର୍ଷ, ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା, ଅସହାୟ ପୁଲିସ ଓ ହୀନବୀର୍ଯ୍ୟ ସୁରକ୍ଷା ବ୍ୟବସ୍ଥା ତଥା ଏକ ଅପସ୍ମାରଗ୍ରସ୍ତ ପ୍ରଶାସନ ନାଗରିକମାନଙ୍କ ଭାଗ୍ୟରେ ପରିଣତ ହୋଇଛି। ବିଗତ ନଅ ମାସର କାର୍ଯ୍ୟକାଳ ଭିତରେ ମହମ୍ମଦ ୟୁନୁସ ଦଶ ଥର ବିଦେଶ ଭ୍ରମଣ କରି ସାରିଥିବା ବେଳେ ବାଂଲାଦେଶର ଅଭିବୃଦ୍ଧି ହାର ୫%ରୁ ହ୍ରାସ ପାଇ ୩.୫%ରେ ପହଞ୍ଚିଛି, ଖାଦ୍ୟ ମୁଦ୍ରାସ୍ଫୀତି ୧୦% ସ୍ତରକୁ ଅତିକ୍ରମ କରି ସାରିଲାଣି ଏବଂ ଅସ୍ଥିର ରାଜନୈତିକ ସ୍ଥିତି ହେତୁ ବିଦେଶୀ ପୁଞ୍ଜିର ଅପସାରଣ ଓ ନିଯୁକ୍ତିି ସଂକୋଚନ ହେତୁ ୨.୮ ନିୟୁତ ନିଯୁକ୍ତି ଅଦୃଶ୍ୟ ହୋଇ ସ‌ାରିଛି। କହିବା ବାହୁଲ୍ୟ ଯେ ବାଂଲାଦେଶର ଶାସନ ଓ ପ୍ରଶାସନଗତ ତାରଲ୍ୟ ସେ ଦେଶର ସାମରିକ ବାହିନୀର ମୁଖ୍ୟ ଜେନେରାଲ ୱକରୁଲ ଜମାଲଙ୍କୁ ଘୋର ଉଦ୍‌ବିଗ୍ନ କଲାଣି ବୋଲି ପାଞ୍ଚ ଦିନ ତଳେ ସେ ମଧ୍ୟ ତୁରନ୍ତ ନିର୍ବାଚନର ବ୍ୟବସ୍ଥା କରିବା ସକାଶେ ଏକ ପ୍ରକାଶ୍ୟ ଓ ଚେତାବାନୀମୂଳକ ଆହ୍ବାନ ଦେଇଛନ୍ତି। ଜେନେରାଲ ଜମାଲଙ୍କୁ ଯାହା ବିଚଳିତ କରିଛି, ତାହା ହେଲା ଏହି କାମଚଳା ସରକାର ଦ୍ବାରା ନିଆଯାଇଥିବା ଏକ ନିଷ୍ପତ୍ତି, ଯାହା ଅନୁସାରେ ବାଂଲାଦେଶ ଅଧୀନସ୍ଥ ମାର୍ଟିନ ଦ୍ବୀପ ଆମେରିକାର ନିରଙ୍କୁଶ ପ୍ରବେଶ ଲାଗି ଉନ୍ମୁକ୍ତ ରହିବ, ଯଦ୍ଦ୍ବାରା ଆରାକାନ ଅଞ୍ଚଳରେ ରହୁଥିବା ରୋହିଙ୍ଗ୍ୟାମାନଙ୍କ ସକାଶେ ସହାୟତା ପହଞ୍ଚି ପାରିବ। କିନ୍ତୁ, ଜେନେରାଲ ଜମାଲଙ୍କ ଦୃଷ୍ଟିରେ ଏହା ବାଂଲାଦେଶର ସାର୍ବଭୌମତ୍ବ ଉପରେ ବାହ୍ୟ ରାଷ୍ଟ୍ରର ଅତିକ୍ରମଣ, ଯାହା ସଂପୂର୍ଣ୍ଣ ଅନସ୍ବୀକାର୍ଯ୍ୟ। ଏକ ଅସ୍ଥାୟୀ କାମଚଳା ସରକାର ଦ୍ବାରା ଏଭଳି ସ୍ପର୍ଶକ‌ାତର ବୈଦେଶିକ ନିଷ୍ପତ୍ତି ନେବାର ସାମର୍ଥ୍ୟ ଓ ଯାଥାର୍ଥ୍ୟ ଏ ସଂଦର୍ଭରେ ପ୍ରଶ୍ନାକୁଳ ହୋଇ ପଡ଼େ। ତେବେ ବିଡ଼ମ୍ବନା‌ଟି ହେଲା ବାଂଲାଦେଶର ସଡ଼କ ପୁଣି ବିକ୍ଷୁବ୍‌ଧ ହୋଇ ଉଠିଲା ବେଳକୁ ୟୁନୁସ ମହାଶୟ ଜାପାନ ଗସ୍ତରେ ନିମଗ୍ନ ଏବଂ ତାଙ୍କ ଦ୍ବାରା ପ୍ରଦତ୍ତ ଇଙ୍ଗିତ ଓ ସନ୍ଦେଶ ସୂଚାଇ ଥାଏ ଯେ ଏକ ସାଧାରଣ ନିର୍ବାଚନ ଲାଗି ହୁଏତ ୨୦୨୬ ମସିହା ଜୁନ୍‌ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ, ଯାହା ନଅ ମାସ ପୂର୍ବରୁ ତାଙ୍କ ପ୍ରତିଶ୍ରୁତି ଅନୁସାରେ ଏଇ ଆସନ୍ତା ଜୁନ୍‌ ମାସ ସୁଦ୍ଧା ଅନୁଷ୍ଠିତ ହେବାର ଥିଲା!
ଯେଉଁ ପର୍ଯ୍ୟବେକ୍ଷକମାନେ ବାଂଲାଦେଶର ରାଜନୀତି ଉପରେ ଦୃଷ୍ଟି ରଖିଥାଆନ୍ତି, ସେମାନେ ଜାଣନ୍ତି, ବାଂଲାଦେଶରେ ସଡ଼କ ହିଂସା କିଭଳି ଅତର୍କିତ ଭାବେ ବିସ୍ଫୋରକ ହୋଇ ଭୂଚଳନସୁଲଭ ପରିବର୍ତ୍ତନ ଘଟାଇ ଦେଇପାରେ; ଯାହା ଘଟିଥିଲା ୧୯୭୦ ମସିହାରେ ଯେତେବେଳେ ଏକ ଛାତ୍ର ଆନ୍ଦୋଳନ ଅବଲୀଳା କ୍ରମେ ପୂର୍ବ ପାକିସ୍ତାନକୁ ସ୍ବାଧୀନ ବାଂଲାଦେଶରେ ପରିଣତ କରିବାର ପଥ ପ୍ରସ୍ତୁତ କରି ଦେଇଥିଲା। ଅବଶ୍ୟ ଭାରତର ସହାୟତା ଏହି ଅଭିଯାନକୁ ଚୂଡ଼ାନ୍ତ ରୂପ ଦେଇଥିଲା, କିନ୍ତୁ ବାଂଲାଦେଶ ସଡ଼କର ଗଳିରୁ ବାଂଲା ମୁକ୍ତି ବାହିନୀର ଗରିଲା ଆକ୍ରମଣ ଯେ ପାକିସ୍ତାନୀ ସେନାକୁ କ୍ଳାନ୍ତ ଓ ଅବସନ୍ନ କରି ଦେଇଥିଲା ତାହା ନିଃସନ୍ଦେହ। ସେହି ଭଳି ସମସ୍ତଙ୍କ ମନେ ଥିବ ଯେ ନଅ ମ‌ାସ ତଳେ ଆରକ୍ଷଣ ବିରୋଧୀ ଏକ ଛାତ୍ର ଆନ୍ଦୋଳନ ମଧ୍ୟ ଏକ ଉନ୍ମତ୍ତ ସଡ଼କ ବିଦ୍ରୋହରେ ରୂପାନ୍ତରିତ ହୋଇ ଶେଖ ହସିନାଙ୍କ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ସହିତ ତାଙ୍କୁ ଭାରତର ଶରଣାର୍ଥୀରେ ପରିଣତ କଲା। କେବଳ ସେତିକି ନୁହେଁ, ବାଂଲାଦେଶର କ୍ଷମତା ପରିବର୍ତ୍ତନର ଇତିହାସ ଅତ୍ୟନ୍ତ ରକ୍ତରଂଜିତ ମଧ୍ୟ, ଯହିଁରେ କ୍ଷମତା ଦଖଲ ଲାଗି ଅଧୈର୍ଯ୍ୟ ରାଜନେତା ଓ ସେନାପତିଗଣ ଅକୁଣ୍ଠ ହତ୍ୟା ଓ ଗଣହତ୍ୟାମାନ ସଂଘଟିତ କରିଛନ୍ତି; ‌ଯହିଁରେ ବାଂଲାଦେଶର ଜନକ ଶେଖ ମୁଜିବୁରଙ୍କ ସମଗ୍ର ପରିବାର (ଶେଖ ହସିନା ଓ ତାଙ୍କ ଭଉଣୀ ବିଦେଶରେ ଥିବାରୁ ବର୍ତ୍ତି ଯାଇଥିଲେ), ତା’ପରେ ମାତ୍ର ଦିନକ ସକାଶେ ଗାଦିରେ ବସିଥିବା ବ୍ରିଗେଡିଅର ଖଲିଦ ମୁସାରତ, ତା’ ପରେ ବାଂଲାଦେଶ ସ୍ବାଧୀନତା ଆନ୍ଦୋଳନର ଅନ୍ୟତମ ମୁଖ୍ୟ ନେତା ଓ ପ୍ରଧାନମନ୍ତ୍ରୀ ହୋଇଥିବା ଜିଆ ଉର ରହମନଙ୍କ ହତ୍ୟା ଅନ୍ତର୍ଭୁକ୍ତ। ପ୍ରକାଶ ଥାଉ କି ବାଂଲାଦେଶର ସାମରିକ ପଦାଧିକାରୀମାନେ ମଧ୍ୟ ରାଜନୈତିକ କ୍ଷମତା ପ୍ରତି ଆସକ୍ତ ହୋଇଥାଆନ୍ତି, ଯାହା କ୍ଷମତା ଲାଭ ସକାଶେ ସେଠାରେ ସଂଘଟିତ ଅନେକ ଛୋଟବଡ଼ ବିଦ୍ରୋହରେ ପରିଦୃଷ୍ଟ ହୋଇଛି। ଖାଲେଦ ମୁସାରତ, ଜିଆ ଉର ରହମନ ଏବଂ ଦଶ ବର୍ଷ ଧରି ଶାସନ କରିଥିବା ‌େଜନେରାଲ ହୁସେନ ଏରସାଦଙ୍କ ସାମରିକ ପୃଷ୍ଠଭୂମି ଥିଲା। ସେହି ଦୃଷ୍ଟିରୁ ବାଂଲାଦେଶର ବର୍ତ୍ତମାନର ସେନାଧ୍ୟକ୍ଷ ଜଣେ ଅଭିନନ୍ଦନୀୟ ବ୍ୟତିକ୍ରମ; କାରଣ ତାଙ୍କ ମନ୍ତବ୍ୟରେ ସେ ସ୍ପଷ୍ଟ କରିଛନ୍ତି ଯେ ସେ ରାଜନୈତିକ କ୍ଷମତା ପ୍ରତି ଅନାଗ୍ରହୀ ଓ କେବଳ ରାଷ୍ଟ୍ରର ମଙ୍ଗଳ ସକାଶେ ଏକ ନିର୍ବାଚନ ଓ ସ୍ଥିର ସରକାର ଚାହାନ୍ତି। ଏହି ପରିପ୍ରେକ୍ଷୀରେ ମହମ୍ମଦ ୟୁନୁସ ବିଦେଶ ବିଚରଣରେ ସମୟ ବ୍ୟୟ ନ କରି ନିର୍ବାଚନ ସକାଶେ ଉଦ୍ୟମ ପ୍ରାରମ୍ଭ କରିବା ଯେ ବିଜ୍ଞତା ହେବ, ଏଥିରେ ଦ୍ବିମତ ହେବାର କାରଣ ନାହିଁ। 
ପ୍ରକାଶ ଥାଉ କି ନଅ ମାସ ତଳେ ହୋଇଥିବା ବାଂଲାଦେଶ ସଡ଼କ ଆନ୍ଦୋଳନର ସୂତ୍ରପାତ ଘଟାଇଥିଲା ‘ଏସ.ଏ.ଡି.’ ବା ‘ଷ୍ଟୁଡେଣ୍ଟସ ଏଗନ୍‌ଷ୍ଟ ଡିସକ୍ରିମିନେସନ’ ଭଳି ଏକ ଛାତ୍ର ସଂଗଠନ, ଯାହା ନାତିବିଳମ୍ବେ ଜମାତ ଇ ଇସଲାମୀ ଭଳି ଏକ ମୌଳବାଦୀ ସଂଗଠନ ଦ୍ବାରା କବଳିତ ‌େହାଇଯାଇଥିଲା। ପ୍ରକାଶ ଥାଉ କି ଜମାତ ଇ ଇସଲାମୀ ମୂଳତଃ ପାକିସ୍ତାନର ସମର୍ଥକ ହୋଇଥାଏ। ସଂପ୍ରତି ଦେଖିବାକୁ ମିଳୁଛି ଯେ ବାଂଲାଦେଶର କାମଚଳା ସରକାର ସତେ ଯେମିତି ଜମାତ ଇ ଇସଲାମୀର ମୁଖପାତ୍ର ଏବଂ ମହମ୍ମଦ ୟୁନୁସ ତା’ର ପୃଷ୍ଠପୋଷକ ରୂପେ ଅବତୀର୍ଣ୍ଣ! ତେଣୁ ବାଂଲାଦେଶରୁ ଭାରତ ବିରୋଧୀ ମନ୍ତବ୍ୟମାନ ବାରମ୍ବାର ନିସୃତ ହେବାରେ ଲାଗିଛି; ଯହିଁରେ ମହମ୍ମଦ ୟୁନୁସ ସ୍ବୟଂ ଭାରତ ବିରୋଧରେ ଯୁଦ୍ଧ କରିବାର ଧମକ ମଧ୍ୟ ଦେଇଛନ୍ତି। ଶାନ୍ତି ସକାଶେ ନୋବେଲ ପୁରସ୍କାର ଲାଭ କରିଥିବା ଜଣେ ବିଦ୍ବାନଙ୍କୁ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ କରାଗଲା ବେଳେ ଆଶା ଉତ୍ପନ୍ନ ହୋଇଥିଲା ଯେ ହସିନାଙ୍କ ବିତାଡ଼ନ ପରେ ଗଣତାନ୍ତ୍ରିକ ଆଦର୍ଶରେ ଉଦ୍‌ବୁଦ୍ଧ ଏକ ଉଦାରପନ୍ଥୀ ସରକାର ବାଂଲା‌େଦଶର ଦାୟିତ୍ବ ନେବ। କିନ୍ତୁ ତାହା ଏକ ବିଭ୍ରାନ୍ତି ଥିଲା। ମହମ୍ମଦ ୟୁନୁସଙ୍କ ଠାରେ ପରିଦୃଷ୍ଟ ପ୍ରତିଶୋଧପରାୟଣତା ଏବଂ ସମରାଗ୍ରହ ହେତୁ ପୃଥିବୀର ଜଣେ ଅଗ୍ରଗଣ୍ୟ ଶାନ୍ତିକାମୀ ସୁପୁରୁଷ ବୋଲି ତାଙ୍କ ପ୍ରତି ଥିବା ସଂଭ୍ରମବୋଧ ମଧ୍ୟ କ୍ରମେ ଲୋପ ପାଇବାକୁ ବସିଲାଣି। ନିର୍ବାଚନ କରାଇବାରେ ତାଙ୍କ ପକ୍ଷରୁ ହେଉଥିବା ବିଳମ୍ବ ସକାଶେ ସେ କ୍ଷମତାଲିପ୍‌ସୁ ବୋଲି ମଧ୍ୟ ଧାରଣା ଦୃଢ଼ୀଭୂତ ହେଉଛି। ତେଣୁ ଯଦି ଆଉ ଏକ ଅତର୍କିତ ବିଦ୍ରୋହରେ ତାଙ୍କ ପତନ ଘଟେ ତେବେ ବିସ୍ମିତ ହେବାର କୌଣସି କାରଣ ନାହିଁ। କିନ୍ତୁ, ଯାହା ଅନୁଶୋଚନାର କାରଣ ହେବ, ତାହା ହେଲା ବାଂଲାଦେଶରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଯୁଗାନ୍ତକାରୀ କାର୍ଯ୍ୟ କରିଥିବା ମହମ୍ମଦ ୟୁନୁସ ନିଜ ଦେଶକୁ ନୂତନ ଭାବେ ଗଢ଼ିବାର ସୁଯୋଗ ପାଇ ମଧ୍ୟ ଉପଯୋଗ କରିବାରେ ବ୍ୟର୍ଥ ହେଲେ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe