ଆମେରିକା ଯଦି ବର୍ତ୍ତମାନ ଅଣୁଅସ୍ତ୍ର ପରୀକ୍ଷା ସଂପର୍କିତ ଅଲିଖିତ ନିଷେଧାଦେଶର ଉଲ୍ଲଂଘନ କରେ, ତେବେ ତାହା ଯେଉଁ ଆନ୍ତର୍ଜାତିକ ଆଣବିକ ବିଶୃଙ୍ଖଳାକୁ ଜନ୍ମ ଦେବ, ସେପରି ଏକ ପରିବେଶରେ ଅବଲୀଳା କ୍ରମେ କୌଣସି ଏକ ଚରମପନ୍ଥୀ, ଦାୟିତ୍ବହୀନ, ବଦମାସ ଅଣୁଅସ୍ତ୍ରସଂପନ୍ନ ଦେଶର ଆବିର୍ଭାବ ଘଟିବ (ପାକିସ୍ତାନ, ଉତ୍ତର କୋରିଆ), ଯିଏ କୌଣସି ଏକ ଯୁଦ୍ଧରେ ହିତାହିତ ଜ୍ଞାନଶୂନ୍ୟ ହୋଇ ଅନ୍ତିମ ନିଷେଧ ଉଲ୍ଲଂଘନ କରି ଆଣବିକ ଅସ୍ତ୍ର ବ୍ୟବହାର କରିଦେଇପାରେ।
ସମୁଦ୍ରରେ ଏକ ଏକକୋଷୀୟ କ୍ଷୁଦ୍ର ଜୀବ ବାସ କରିଥାଏ, ଯିଏ ଏପରି ଏକ ଆତ୍ମରକ୍ଷା କୌଶଳ ଅବଲମ୍ବନ କରିବା ଦେଖାଯାଇଥାଏ ଯାହାକୁ ମନୁଷ୍ୟ ଜାତି ମଧ୍ୟ ନିଜର ଅସ୍ତିତ୍ବ ବଞ୍ଚାଇବା ପାଇଁ ବିଗତ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଧରି ଅନୁସରଣ କରିଆସିଛି। ଯେତେବେଳେ କୌଣସି ପରଭକ୍ଷୀ ଶିକାରୀ ଜୀବ ଏହି ‘ଡିନୋଫ୍ଲାଜେଲେଟ୍’ ନାମକ ଜୀବକୁ ଭକ୍ଷଣ କରିବା ପାଇଁ ତା’ ଆଡ଼କୁ ମାଡ଼ି ଆସେ, ସେତେବେଳେ ଏହି ଶିକାର ତା’ର ଶରୀରରୁ ଏକ ଉଜ୍ଜ୍ବଳ ଆଲୋକ ନିର୍ଗତ କରିଥାଏ, ଯାହାର ଉଜ୍ଜ୍ବଳତାରେ ଅବିରତ ବୃଦ୍ଧି ଘଟିଚାଲେ। ଅବିଳମ୍ବେ ଏହି ଉଜ୍ଜ୍ବଳତା ଦ୍ବାରା ଆକୃଷ୍ଟ ହୋଇ ଆହୁରି ବୃହଦାକାର ଶିକାରୀମାନେ ସେଠାରେ ପହଞ୍ଚି ଯାଇ ଉଭୟ ‘ଡିନୋଫ୍ଲାଜେଲେଟ୍’ ଓ ତା’ର ଆକ୍ରମଣକାରୀକୁ ଗିଳି ଦେଇଥାନ୍ତି। ଡିନୋଫ୍ଲାଜେଲେଟ୍ର ଶତ୍ରୁମାନେ ତେଣୁ ସାଧାରଣତଃ ତା’ଠାରୁ ସର୍ବଦା ଦୂରେଇ ରହିବାକୁ ନିରାପଦ ମନେ କରିଥାନ୍ତି।
ଏହି ଆତ୍ମରକ୍ଷା କୌଶଳକୁ ‘ପରସ୍ପରର ନିଶ୍ଚିତ ଧ୍ବଂସ’ ବା ‘ମ୍ୟୁଚୁଆଲି ଆସ୍ୟୁଅର୍ଡ ଡେଷ୍ଟ୍ରକ୍ସନ’ (‘ମ୍ୟାଡ୍’) ରୂପେ ବର୍ଣ୍ଣନା କରାଯାଇଥାଏ, ଯାହାକୁ ଏକ ପରମାଣୁ ପ୍ରଳୟରୁ ନିଜକୁ ରକ୍ଷା କରିବା ପାଇଁ ମାନବ ଜାତି ଦୀର୍ଘ କାଳ ଧରି ଅନୁସରଣ କରିଆସିଛି। ବର୍ତ୍ତମାନ ପରମାଣୁ ଅସ୍ତ୍ରର ଅଧିକାରୀ ହୋଇଥିବା ପୃଥିବୀର ନ’ଟି ଦେଶ ୧୯୪୫ର ହିରୋସିମା, ନାଗାସାକି ଘଟଣା ପରଠାରୁ ସେଇ କାରଣରୁ କେବେହେଲେ କୌଣସି ଲଢ଼େଇରେ ପରମାଣୁ ଅସ୍ତ୍ରର ବ୍ୟବହାର କରିବାରୁ ନିବୃତ୍ତ ରହି ଆସିଛନ୍ତି। ସେତିକି ନୁହେଁ, କେବଳ ଗୋଠ ଖଣ୍ଡିଆ ଏକଛତ୍ର ଶାସନାଧୀନ ଉତ୍ତର କୋରିଆକୁ ବାଦ୍ ଦେଲେ ଅନ୍ୟ କୌଣସି ଦେଶ ୧୯୯୨ ପରଠାରୁ ଆଉ ପରମାଣୁ ଅସ୍ତ୍ର ପରୀକ୍ଷା ମଧ୍ୟ କରିନାହିଁ।
ଏବେ କିନ୍ତୁ ହଠାତ୍ ପୃଥିବୀର ଦୁଇ ପ୍ରମୁଖ ପରମାଣୁ ଶକ୍ତି ଆମେରିକା ଓ ରୁଷିଆ ସେଇ ସାବଧାନତା ପରିତ୍ୟାଗ କରି ମାନବ ଜାତିକୁ ପୁଣି ପ୍ରଳୟ ଦିଗରେ ଭିଡ଼ିନେବା ଭଳି ଆଚରଣ ପ୍ରଦର୍ଶନ କରିବା ଦେଖାଯାଇଛି, ଠିକ୍ ଯେମିତି ‘ଡିନୋଫ୍ଲାଜେଲେଟ୍’ର କୌଣସି ଶତ୍ରୁ ହିତାହିତ ଜ୍ଞାନଶୂନ୍ୟ ହୋଇ ତାକୁ ଆକ୍ରମଣ କରିବାକୁ ଆଗେଇ ଆସିଲେ ଘଟିପାରେ। ଏହି ଘଟଣାକ୍ରମରେ ପ୍ରଥମେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ ଏକ ଆଣବିକ କ୍ଷମତାସଂପନ୍ନ ଦୂରଗାମୀ କ୍ରୁଜ୍ ମିସାଇଲ୍ ଓ ପରେ ପରେ ଏକ ଆଣବିକ କ୍ଷମତାସଂପନ୍ନ ଟର୍ପିଡୋ ଡ୍ରୋନ୍ ନିର୍ମାଣ ସମ୍ବନ୍ଧରେ ସଗର୍ବରେ ଘୋଷଣା କଲେ। ଏହାର ଜବାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଳ ବିଳମ୍ବ ନ କରି ଘୋଷଣା କରିଦେଲେ ଯେ ଆମେରିକା ‘‘ସମାନତା ଭିତ୍ତିରେ’’ ପୁଣି ଆଣବିକ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ଯାଉଛି। ଏହାର ସରଳ ଅର୍ଥ ହେଲା ଆମେରିକା ପୁଣି ପରମାଣୁ ବୋମାର ପରୀକ୍ଷାମୂଳକ ବିସ୍ଫୋରଣ ଘଟାଇବାକୁ ଯାଉଛି। ଟ୍ରମ୍ପ ମଧ୍ୟ ତାଙ୍କର ଘୋଷଣାରେ ସ୍ପଷ୍ଟ କରିଦେଇଛନ୍ତି ଯେ ଆମେରିକା ଅବିଳମ୍ବେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି।
ଉଲ୍ଲେଖଯୋଗ୍ୟ ଯେ ଆମେରିକା ଏଭଳି ଶେଷ ଆଣବିକ ବିସ୍ଫୋରଣ ଘଟାଇଥିଲା ୧୯୯୨ରେ। ତା’ ପରଠାରୁ କିନ୍ତୁ କେବଳ ଉତ୍ତର କୋରିଆକୁ ବାଦ୍ ଦେଲେ ପୃଥିବୀର ଅନ୍ୟ ଆଠଟି ଯାକ ପରମାଣୁ ଅସ୍ତ୍ରଧାରୀ ରାଷ୍ଟ୍ର ୧୮୭ଟି ରାଷ୍ଟ୍ରମାନଙ୍କ ଦ୍ବାରା ସ୍ବାକ୍ଷରିତ ‘ନିଉକ୍ଲିଆର୍-ଟେଷ୍ଟ-ବ୍ୟାନ୍ ଟ୍ରିଟି’କୁ ପାଳନ କରି କୌଣସି ପରୀକ୍ଷାମୂଳକ ପରମାଣୁ ବିସ୍ଫୋରଣ ଘଟାଇ ନାହାନ୍ତି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଆମେରିକା, ରୁଷିଆ, ଚୀନ୍ ଆଦି ଦେଶମାନେ ଏହି ଚୁକ୍ତିରେ ସ୍ବାକ୍ଷର କରି ନ ଥିଲେ ମଧ୍ୟ, ଏକ ଅଲିଖିତ ବୁଝାମଣା ପାଳନ କରି ସେମାନେ ବିଗତ ତିନି ଦଶନ୍ଧିରୁ ଅଧିକ କାଳ ଧରି ଏଭଳି ବିପଜ୍ଜନକ ପରୀକ୍ଷଣରୁ ନିବୃତ୍ତ ରହି ଆସିଛନ୍ତି। ଠିକ୍ ଯେମିତି ଶିକାରୀମାନେ ‘ଡିନୋଫ୍ଲାଜେଲେଟ୍’ ଠାରୁ ଏକ ଅଲିଖିତ ଚୁକ୍ତି ଅନୁସରଣ କଲାଭଳି ଦୂରେଇ ରହିଥାନ୍ତି।
ବର୍ତ୍ତମାନ ଯଦି ଟ୍ରମ୍ପ ତାଙ୍କର ଧମକକୁ ସତ୍ୟରେ ପରିଣତ କରି ପରମାଣୁ ବୋମା ପରୀକ୍ଷା ପୁଣି ଆରମ୍ଭ କରିଦିଅନ୍ତି, ତେବେ କ’ଣ ହେବ? ଏହା ଖୋଦ୍ ଟ୍ରମ୍ପଙ୍କ ପାଇଁ ନିଜ ଦେଶ ଭିତରେ ଏକ ବୃହତ୍ ରାଜନୈତିକ ସମସ୍ୟା ସୃଷ୍ଟି କରିଦେଇପାରେ। ସାଧାରଣତଃ ଆମେରିକାର ନେଭାଡା ରାଜ୍ୟର ମରୁଭୂମିରେ ଥିବା ପରୀକ୍ଷା ସ୍ଥଳୀରେ ଏଭଳି ବିସ୍ଫୋରଣ ଆୟୋଜନ କରାଯାଇଥାଏ। ଯଦି ବୋମାର ଆକାର ବେଶୀ ବଡ଼ ହୋଇ ନ ଥାଏ, ତେବେ ହୁଏତ ବିସ୍ଫୋରଣଜନିତ ବିକିରଣକୁ ସେଠାରେ ଭୂ-ଗର୍ଭରେ ସୀମିତ କରି ଦିଆଯାଇ ପାରିବ। କିନ୍ତୁ ସମସ୍ୟା ହେଲା ୧୯୯୨ ପରଠାରୁ ବର୍ତ୍ତମାନ ମଧ୍ୟରେ ସେ ରାଜ୍ୟର ମୁଖ୍ୟ ଅର୍ଥନୈତିକ କେନ୍ଦ୍ର ଲାସ୍ ଭେଗାସ୍ ସହରର ସଂପ୍ରସାରଣ ଘଟିଚାଲି ତାହା ଏହି ପରମାଣୁ ପରୀକ୍ଷା ସ୍ଥଳୀର ନିକଟବର୍ତ୍ତୀ ହୋଇଗଲାଣି। ଏବେ ଯଦି ସେଠାରେ ପରମାଣୁ ବିସ୍ଫୋରଣ ଘଟେ ତେବେ ସେ ରାଜ୍ୟର ଟ୍ରମ୍ପ ଅନୁଗାମୀ ‘ମାଗା’ ସମର୍ଥକମାନେ ତାଙ୍କ ବିରୋଧରେ ବିଦ୍ରୋହ କରିବାର ଦୃଢ଼ ସମ୍ଭାବନା ରହିଛି। ଏବେ ସଦ୍ୟ ନ୍ୟୁୟର୍କ, ଭର୍ଜିନିଆ, ନିଉଜର୍ସିରେ ତାଙ୍କ ଦଳ ନିର୍ବାଚନୀ ପରାଜୟ ଭୋଗିବା ପରେ ଆସନ୍ତା ବର୍ଷରେ ଅନୁଷ୍ଠିତ ହେବାକୁ ଯାଉଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ନିଜର ସମର୍ଥକମାନଙ୍କୁ ଏପରି ଅସନ୍ତୁଷ୍ଟ କରିବା ପାଇଁ ଟ୍ରମ୍ପ ଚାହିଁ ନ ପାରନ୍ତି।
ଆନ୍ତର୍ଜାତିକ ପରିସରରେ ଆମେରିକାର ଏତାଦୃଶ ଆଚରଣ ରୁଷିଆ, ଚୀନ୍, ଭାରତ ଆଦି ଅଣୁଅସ୍ତ୍ରଧାରୀ ରାଷ୍ଟ୍ରମାନଙ୍କୁ ନିଜର ଆତ୍ମସଂଯମ ତ୍ୟାଗ କରି ନୂତନ ପରମାଣୁ ଅସ୍ତ୍ର ପରୀକ୍ଷା ଆରମ୍ଭ କରିଦେବାକୁ ଏକ ଉପଲକ୍ଷ୍ୟ ଯୋଗାଇଦେବ। ଯଦି ଏଭଳି ଘଟେ ତେବେ ସେଥିଯୋଗୁଁ ଯେଉଁ ଦେଶ ସର୍ବାଧିକ ଲାଭବାନ ହେବ, ସେ ହେଉଛି ଚୀନ୍। ପରୀକ୍ଷାମୂଳକ ଆଣବିକ ବିସ୍ଫୋରଣରୁ ଯେଉଁ ଡେଟା ସଂଗୃହୀତ ହୁଏ, ତାହାର ଉପଯୋଗ କରି ସଂପୃକ୍ତ ଦେଶ ନିଜର ଅଣୁଅସ୍ତ୍ରମାନଙ୍କର ଶକ୍ତିରେ ଉନ୍ନତି ଘଟାଇ ନୂତନ ଅଧିକ ଘାତକ ଅସ୍ତ୍ର ନିର୍ମାଣ କରିଥାଏ। ୧୯୪୫ରୁ ୧୯୯୨ ମଧ୍ୟରେ ଆମେରିକା ମୋଟ ୧୦୩୦ଟି ଏଭଳି ପରୀକ୍ଷାମୂଳକ ଅଣୁଅସ୍ତ୍ର ବିସ୍ଫୋରଣ ଘଟାଇଥିବା ବେଳେ ରୁଷିଆ ୭୧୫ ଓ ଚୀନ୍ ମାତ୍ର ୪୫ଟି ବିସ୍ଫୋରଣ ଘଟାଇଥିଲା। ବର୍ତ୍ତମାନ ଚୀନ୍ ଯଦି ଉପରୋକ୍ତ ଅଲିଖିତ ବନ୍ଧନରୁ ମୁକୁଳି ଯାଏ, ତେବେ ସେ କାଳବିଳମ୍ବ ନ କରି ନୂତନ ପରୀକ୍ଷାମାନ ଚଳାଇ ନିଜର ଆଣବିକ ଶକ୍ତିରେ ବୃଦ୍ଧି ଘଟାଇ ଆମେରିକାର ସମକକ୍ଷ ହେବାକୁ ଉଦ୍ୟମ ଆରମ୍ଭ କରିଦେବ।
ଆମେରିକା ଯଦି ବର୍ତ୍ତମାନ ଅଣୁଅସ୍ତ୍ର ପରୀକ୍ଷା ସଂପର୍କିତ ଅଲିଖିତ ନିଷେଧାଦେଶର ଉଲ୍ଲଂଘନ କରେ, ତେବେ ତାହା ଯେଉଁ ଆନ୍ତର୍ଜାତିକ ଆଣବିକ ବିଶୃଙ୍ଖଳାକୁ ଜନ୍ମ ଦେବ, ସେପରି ଏକ ପରିବେଶରେ ଅବଲୀଳା କ୍ରମେ କୌଣସି ଏକ ଚରମପନ୍ଥୀ, ଦାୟିତ୍ବହୀନ, ବଦମାସ ଅଣୁଅସ୍ତ୍ରସଂପନ୍ନ ଦେଶର ଆବିର୍ଭାବ ଘଟିବ (ପାକିସ୍ତାନ, ଉତ୍ତର କୋରିଆ), ଯିଏ କୌଣସି ଏକ ଯୁଦ୍ଧରେ ହିତାହିତ ଜ୍ଞାନଶୂନ୍ୟ ହୋଇ ଅନ୍ତିମ ନିଷେଧ ଉଲ୍ଲଂଘନ କରି ଆଣବିକ ଅସ୍ତ୍ର ବ୍ୟବହାର କରିଦେଇପାରେ। ସେପରି ହେଲେ ଅନ୍ୟ ଅଣୁଅସ୍ତ୍ରଧାରୀ ଦେଶମାନେ ଚୁପ୍ ହୋଇ ନ ରହି ଆଣବିକ ଆକ୍ରମଣ ଆରମ୍ଭ କରିଦେଇ ନିଜର ନିରାପତ୍ତା ନିଶ୍ଚିତ କରିବାକୁ ଚେଷ୍ଟା କରିବେ। କିନ୍ତୁ ଏହାର ଏକମାତ୍ର ପରିଣାମ ହେବ ସମଗ୍ର ମାନବ ଜାତିର ବିଲୟ- ଠିକ୍ ଯେମିତି ‘ଡିନୋଫ୍ଲାଜେଲେଟ୍’ ଉପରେ ଆକ୍ରମଣର ପରିଣତି ହୁଅନ୍ତା। ଟ୍ରମ୍ପ ଏହା ହୃଦୟଙ୍ଗମ କରି ଏଭଳି ପ୍ରଳୟଙ୍କରୀ ପଦକ୍ଷେପରୁ ନିବୃତ୍ତ ରହିବେ ବୋଲି ଆଶା।
Follow Us