ବିଶ୍ବାସର ଲମ୍ଫ

Advertisment
ବିଡ଼ମ୍ବନା

Twitter

ଏହା ଏକ ଅବଧାରିତ ସତ୍ୟ ଯେ ପୃଥିବୀପୃଷ୍ଠରେ ମନୁଷ୍ୟ ଯେତେ କାଳ ଧରି ତିଷ୍ଠି ରହିଥିବ, ସେତେ କାଳ ଧରି ସେ ବିଭିନ୍ନ ରୂପରେ ଅସ୍ତିତ୍ବ ସଂକଟ ସବୁର ସମ୍ମୁଖୀନ ହୋଇଚାଲିଥିବ ଓ ସେ ସଂକଟରୁ ଉଦ୍ଧାର ପାଇବା ଉଦ୍ଦେଶ୍ୟରେ ଏଇଭଳି ବିଶ୍ବାସର ଲମ୍ଫ ଦେଇ ‌ଚାଲିଥିବ। ଆଉ ଏହାର ଏକ ପାର୍ଶ୍ବ ଫଳ ସ୍ବରୂପ ଯେଉଁ ସମାଜରେ ଜାପାନୀସୁଲଭ ଶୃଙ୍ଖଳାବୋଧ ଅନୁପସ୍ଥିତ ଥିବ, ସେଠାରେ ସମୟ ସମୟରେ ଏହି ଲମ୍ଫ ଘାତକ ସାବ୍ୟସ୍ତ ହୋଇ ହାଥ୍‌ରସ୍ ଘଟଣା ପରି ଅଘଟଣମାନ ଘଟିଚାଲିଥିବ।

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡା ଉତ୍ତରପ୍ରଦେଶର ହାଥ୍‌ରସ୍‌ ଠାରେ ମନୁଷ୍ୟକୃତ ବିପର୍ଯ୍ୟୟରେ ଘଟିଥିବା ଶତାଧିକ ଲୋକଙ୍କର ପ୍ରାଣହାନି ପ୍ରତି ସମବେଦନା ପ୍ରକାଶ କରି ଭାରତ ଉଦ୍ଦେଶ୍ୟରେ ଏକ ଶୋକବାର୍ତ୍ତା ପ୍ରେରଣ କରିଛନ୍ତି। ଏଭଳି ଆହୁରି ଅନେକ ଶୋକବାର୍ତ୍ତାମାନଙ୍କ ମଧ୍ୟରୁ ବାଛି ଜାପାନ ପ୍ରଧାନମନ୍ତ୍ରୀଙ୍କର ବାର୍ତ୍ତାଟିକୁ ଏଠାରେ ଉ‌େଲ୍ଲଖ କରିବା ପଛରେ ଏକ ବିଶେଷ କାରଣ ନିହିତ ଅଛି। ୨୦୧୧ରେ ଜାପାନ‌ର ଫୁକୁସିମା ଠାରେ ଏକ ସୁନାମି ‌େଯାଗୁଁ ଘଟିଥିବା ଆଣବିକ ରିଆକ୍ଟର୍ ଦୁର୍ଘଟଣା ହେଉଛି ପୃଥିବୀର ଏ ପର୍ଯ୍ୟନ୍ତ ଘଟିଥିବା ବିଭିନ୍ନ ଶାନ୍ତିକାଳୀନ ଆଣବିକ ଦୁର୍ଘଟଣାମାନଙ୍କ ମଧ୍ୟରେ ଏକ ଅଗ୍ରଗଣ୍ୟ ଘଟଣା। ଦୁର୍ଘଟଣା ପରେ ତେଜସ୍କ୍ରିୟ ବିକିରଣ ଘଟିବା ସମ୍ଭାବନା ଦ୍ବାରା ଆତଙ୍କିତ ହୋଇ ସେ ଅଞ୍ଚଳର ବାସିନ୍ଦାମାନେ ଜୀବନ ବିକଳରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅନ୍ୟତ୍ର ପଳାୟନ କରିବାରେ ଲାଗିଲେ। ନିକଟସ୍ଥ ରେଳ ଷ୍ଟେସନ୍‌ରେ ସେତେବେଳେ ତେଣୁ ଅସମ୍ଭବ ଭିଡ଼ ସୃଷ୍ଟି ହୋଇଥାଏ। ଏହି ପଳାୟନକାରୀଙ୍କ ମଧ୍ୟରେ ଥିଲେ ଜଣେ ବ୍ରିଟିଶ୍ ସାମ୍ବାଦିକ। ସେ ପରବର୍ତ୍ତୀ ସମୟରେ ପ୍ରକାଶ କରିଥିବା ତାଙ୍କର ସେ ଦିନର ଅନୁଭୂତିର ବର୍ଣ୍ଣନା ଜାପାନ ବାହାରେ ଅଗଣିତ ପାଠକମାନଙ୍କୁ ସେତେବେଳେ ଚମତ୍କୃତ କରିଦେଇଥିଲା।
ସାମ୍ବାଦିକ ଜଣକ ଲେଖିଥିଲେ ଯେ ରେଳ ଷ୍ଟେସନ୍‌ ବାହାରେ ଯାହା ତାଙ୍କୁ ହତବାକ୍ କରିଦେଇଥିଲା, ତାହା ହେଲା ହଜାର ହଜାର ଅପେକ୍ଷାରତ ଯାତ୍ରୀ ସେଠାରେ ଶୃଙ୍ଖଳିତ ଭାବରେ ଧାଡ଼ିବାନ୍ଧି ରେଳରେ ଚଢ଼ିବା ପାଇଁ ଅପେକ୍ଷା କରି ଛିଡ଼ା ହୋଇଥିବାର ଦୃଶ୍ୟ। ଉଲ୍ଲେଖ ଅନାବଶ୍ୟକ ଯେ ସେଠାରୁ ପଳାୟନ ଯେତେ ବିଳମ୍ବିତ ହେବ, ତେଜସ୍କ୍ରିୟ ବିକିରଣ ଦ୍ବାରା ଆକ୍ରାନ୍ତ ହେବାର ସମ୍ଭାବନା ଓ ସେଥିଯୋଗୁଁ ଭୟଙ୍କର ମୃତ୍ୟୁମୁଖରେ ପଡ଼ିବାର ସମ୍ଭାବନା ସେତେ ଅଧିକ ହୋଇଥିଲେ ହେଁ ଜାପାନୀମାନେ ଧୀରସ୍ଥିର ଭାବରେ ଧାଡ଼ିରେ ଛିଡ଼ା ହୋଇ ରେଳ ଧରିବା ପାଇଁ ନିଜ ପାଳିକୁ ଅପେକ୍ଷା କରିବା ଦୃଶ୍ୟ ନିଜର ଶୃଙ୍ଖଳିତ ଜାତୀୟ ଚରିତ୍ର ପାଇଁ ସୁପରିଚିତ ସେଇ ‘ବିବିସି’ ସାମ୍ବାଦିକଙ୍କୁ ମଧ୍ୟ ହତଚକିତ କରିଦେଇଥିଲା। ହାଥ୍‌ରସ୍‌ ଠାରେ ସଂପୃକ୍ତ ପ୍ରବଚକ ବାବାଙ୍କ ପଦଧୂଳି ନେବା ପାଇଁ ତାଙ୍କର ଭକ୍ତମାନେ ଯଦି ଜାପାନୀମାନଙ୍କ ଭଳି ଧାଡ଼ି ବାନ୍ଧି ଜଣକ ପରେ ଜଣେ ବାବାଙ୍କ ଚରଣ ସ୍ପର୍ଶ କରିଥାନ୍ତେ, ତେବେ ଫୁମିଓ କିସିଡାଙ୍କୁ ଆଜି ଆମ ପାଖକୁ ଶୋକ ବାର୍ତ୍ତା ପଠାଇବାକୁ ପଡ଼ି ନଥାନ୍ତା। ପଦଧୂଳି ପ୍ରାପ୍ତି ନିଶ୍ଚିତ ରୂପେ ଉପରୋକ୍ତ ଫୁକୁସିମା ଘଟଣା ଭଳି ଏକ ଜୀବନ-ମରଣ ପ୍ରଶ୍ନ ନ ଥିଲା।
ଯେଉଁମାନେ ଏକ ବ୍ୟକ୍ତିର ବିଚାର ଅପେକ୍ଷା ଏକ ଜନସମୂହର ବିଚାର ଅଧିକ ବିଜ୍ଞ ହୋଇଥାଏ ବୋଲି ବିଶ୍ବାସ କରିଥାନ୍ତି, ହାଥ୍‌ରସ୍ ଭଳି ଘଟଣା ସେମାନଙ୍କର ସେଭଳି ବିଶ୍ବାସ ପ୍ରତି ଏକ ଦାରୁଣ ଆଘାତ ପହଞ୍ଚାଇଥାଏ। ଗୋଷ୍ଠୀ-ବିଜ୍ଞତା ଉପରେ ଯେଉଁମାନେ ଅାସ୍ଥା ସ୍ଥାପନ କରିଥାନ୍ତି, ସେମାନେ କହନ୍ତି ଯେ ଏକ ଜନସମୁଦାୟର ଜଣେ ସଦସ୍ୟ ଯେତେ ପ୍ରଖର ବୁଦ୍ଧିମାନ ହୋଇଥାଉ ନା କାହିଁକି, ସେଇ ଜନସମୁଦାୟର ମିଳିତ ବୁଦ୍ଧି ହେଉଛି ତା’ର ପ୍ରଖରତମ ବୁଦ୍ଧି-ବିଶିଷ୍ଟ ସଦସ୍ୟର ବୁଦ୍ଧି ଠାରୁ ମଧ୍ୟ ଆହୁରି ଅଧିକ ତୀକ୍ଷ୍‌ଣ। ଊନବିଂଶ ଶତାବ୍ଦୀର ବିଚକ୍ଷଣ ବ୍ରିଟିଶ୍ ବିଦ୍ବାନ ଫ୍ରାନ୍‌ସିସ୍ ଗାଲ୍‌ଟନ୍‌ଙ୍କ ଠାରୁ ଆରମ୍ଭ କରି ସାଂପ୍ରତିକ ସମୟର ଆମେରିକୀୟ ସାମ୍ବାଦିକ ଜେମ୍‌ସ ସୁରୋୱିକିଙ୍କ ପର୍ଯ୍ୟନ୍ତ ଅତ୍ୟନ୍ତ ପ୍ରଭାବଶାଳୀ ଯୁକ୍ତି ମାଧ୍ୟମରେ ଏହି ଚିନ୍ତାଧାରାକୁ ପ୍ରମାଣିତ କରିବାକୁ ଚେଷ୍ଟା କରିଆସିଛନ୍ତି।
ସୁରୋୱିକିଙ୍କର ୨୦୦୪ରେ ପ୍ରକାଶିତ ବହୁଳ ଆଦୃତ ପୁସ୍ତକ ‘ଦି ୱିସ୍‌ଡମ୍ ଅଫ୍ ଦି କ୍ରାଉଡ୍‌ସ’କୁ ଏହି ମତବାଦର ଏକ ପ୍ରଧାନ ବାହକ ରୂପେ ବିଚାର କରାଯାଇଥାଏ। ଏହି ପୁସ୍ତକରେ ଯେଉଁ ସମସ୍ତ ବାସ୍ତବ ଜୀବନରୁ ସଂଗୃହୀତ ଉଦାହରଣମାନ ବ୍ୟବହାର କରି ସେ ନିଜର ମତବାଦକୁ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି, ସେଥିରେ ଅନ୍ତର୍ଭୁକ୍ତ ଥିବା ଗୋଟିଏ ହେଉଛି ଏକ ଗହଳି ରାସ୍ତାରେ ନିୟମିତ ଭାବରେ ପରିଦୃଷ୍ଟ ଟ୍ରାଫିକ୍‌ର ସାବଲୀଳ ସ୍ରୋତ। ହୁଏତ ପ୍ରତ୍ୟେକ ଗାଡ଼ିଚାଳକର ପ୍ରବୃତ୍ତି ହୋଇପାରିଥାଏ ଅନ୍ୟମାନଙ୍କୁ ପଛରେ ପକାଇ ଆଗକୁ ମାଡ଼ିଯିବା। ଏପରି ହେଲେ ଗାଡ଼ିମାନଙ୍କ ମଧ୍ୟରେ ଧକ୍‌କା ଘଟିବା ହୋଇଥାନ୍ତା ଏକ ସାଧାରଣ ଘଟଣା ଏବଂ ଧକ୍‌କା ନ ଘଟିବା ହୋଇଥାନ୍ତା ବ୍ୟତିକ୍ରମ। କିନ୍ତୁ ବାସ୍ତବରେ ଯାହା ଦେଖାଯାଇଥାଏ, ତାହା ହେଉଛି ଏହାର ବିପରୀତ- ଧକ୍‌କା ହେଉଛି ବିରଳ ଓ ଧକ୍‌କା ନ ଘଟିବା ହେଉଛି ସାଧାରଣ। ସୁରୋୱିକି ସେହିପରି ଆଉ ଯେଉଁ ଏକ ଉଦାହରଣ ଉପସ୍ଥାପନ କରିଛନ୍ତି, ତାହା ହେଉଛି ଏକ ଲୋକପ୍ରିୟ ରେଷ୍ଟୁରାଣ୍ଟରେ ଘଟୁଥିବା ଭିଡ଼ର ଦୃଶ୍ୟ। ଏଠାରେ ଗ୍ରାହକମାନେ ପରସ୍ପର ସହିତ ଧକ୍‌କା ନ ଖାଇ ଟେବୁଲଟିଏ ପାଇବାକୁ ଯେଉଁଭଳି ଚେଷ୍ଟା ଚଳାଇଥାନ୍ତି, ତାହା ହେଉଛି ସୁରୋୱିକିଙ୍କ ବିଚାରରେ ଭିଡ଼-ବିଜ୍ଞତାର ଆଉ ଏକ ନିଦର୍ଶନ।
ତା’ହେଲେ ସ୍ବାଭାବିକ ଭାବରେ ଏଭଳି ଚିନ୍ତାଧାରା ମନରେ ଯେଉଁ ପ୍ରଶ୍ନକୁ ଜନ୍ମ ଦେଇଥାଏ, ତାହା ହେଲା, ଯଦି ‘ଜଣ’ ଅପେକ୍ଷ‌‌ା‌ ‘ଗଣ’ ଏପରି ଅଧିକ ବୁଦ୍ଧିମାନ ହୋଇଥାନ୍ତି, ତେବେ ହାଥ୍‌ରସ୍ ଠାରେ ସେମାନେ ଏଭଳି ନିର୍ବୋଧସୁଲଭ ଅଯୌକ୍ତିକ ଆଚରଣ କାହିଁକି ପ୍ରଦର୍ଶନ କଲେ? କେବଳ ହାଥ୍‌ରସ୍ ନୁହେଁ, ଏଇଭଳି ତଥାକଥିତ ଧର୍ମବିଶ୍ବାସ ବା ଆଧ୍ୟାତ୍ମିକ ବିଶ୍ବାସର ପ୍ରବଳ ଆକର୍ଷଣ ଦ୍ବାରା ପରିଚାଳିତ ହୋଇ ପତଙ୍ଗମାନେ ଅନଳରେ ଝାସ ଦେବା ଭଳି ଶ୍ରଦ୍ଧାଳୁମାନେ ନିଜ ସୃଷ୍ଟ ଭିଡ଼ରେ ଦଳିମକଚି ହୋଇ ଏଭଳି ବହୁସଂଖ୍ୟାରେ ମୃତ୍ୟୁମୁଖରେ ପଡ଼ିବା ଘଟଣାମାନ ନିୟମିତ ଭାବରେ ଭାରତ ଭିତରେ ଓ ବାହାରେ ଦେଖିବାକୁ ମିଳିଥାଏ। ସେମାନଙ୍କର ଏଭଳି ବିଚାରହୀନ ଆତ୍ମଘାତୀ ଆଚରଣର ମୂଳ କାରଣ ଖୋଜି ବସିଲେ ଯେଉଁଠି ବୋଧହୁଏ ଏକ ସନ୍ତୋଷଜନକ ଉତ୍ତର ମିଳିଥାଏ ତାହା ହେଉଛି ଊନବିଂଶ ଶତାବ୍ଦୀର ଦୀନାମାର୍ ଦାର୍ଶନିକ ସୋରେନ୍ କିର୍କେଗାର୍ଡ ଏଭଳି ଧର୍ମବିଶ୍ବାସ ସମ୍ବନ୍ଧରେ ପ୍ରଦାନ କରିଥିବା ମତାମତ।
ସଂସାରରେ ପ୍ରତ୍ୟେକ ମନୁଷ୍ୟ ଯେଉଁସବୁ ସଂକଟମାନଙ୍କର ସମ୍ମୁଖୀନ ହୋଇଥାଏ, ତାହା ଅନିବାର୍ଯ୍ୟ ଭାବରେ ତା’ର ଅସ୍ତିତ୍ବକୁ ସଂପୂର୍ଣ୍ଣ ନିରର୍ଥକ କରିଦେଇଥାଏ। ମନୁଷ୍ୟ ନା କୌଣସି କ୍ଷଣିକ ଭୋଗବିଳାସ ଦ୍ବାରା ନା କୌଣସି ଅପହଞ୍ଚ ଆଦର୍ଶର ଅନୁସରଣ ଦ୍ବାରା ଜୀବନର ଏହି ଶୂନ୍ୟତାକୁ ଦୂର କରିପାରିଥାଏ। ତା’ହେଲେ ଏହି ଅସ୍ତିତ୍ବ ସଂକଟରୁ ମୁକୁଳିବାର ରାସ୍ତା କ’ଣ? କିର୍କେଗାର୍ଡଙ୍କ ବିଚାରରେ ମନୁଷ୍ୟ ସମ୍ମୁଖରେ ଏହି ଶୂନ୍ୟତାରୁ ରକ୍ଷା ପାଇବା ପାଇଁ ଗୋଟିଏ ମାତ୍ର ରାସ୍ତା ଉପଲବ୍‌ଧ ଅଛି: ପ୍ରଶ୍ନହୀନ ଧର୍ମବିଶ୍ବାସ, ଯାହାର ସେ ନାମକରଣ କରିଥିଲେ- ‘ଲିପ୍ ଅଫ୍ ଫେଥ୍’ ବା ‘ବିଶ୍ବାସର ଲମ୍ଫ’। ସମାଲୋଚକମାନଙ୍କୁ ଆରମ୍ଭରୁ ନିରସ୍ତ୍ର କରିଦେଇ ସେ ମଧ୍ୟ କହିଥିଲେ ଯେ ଏଭଳି ବିଶ୍ବାସକୁ ଯୁକ୍ତି ଦ୍ବାରା ପରୀକ୍ଷା କରିବା ଉଚିତ ନୁହେଁ (‘ବିଶ୍ବା‌େସ ମିଳଇ ହରି, ତର୍କେ ବହୁ ଦୂର’)।
ଏହା ଏକ ଅବଧାରିତ ସତ୍ୟ ଯେ ପୃଥିବୀପୃଷ୍ଠରେ ମନୁଷ୍ୟ ଯେତେ କାଳ ଧରି ତିଷ୍ଠି ରହିଥିବ, ସେତେ କାଳ ଧରି ସେ ବିଭିନ୍ନ ରୂପରେ ଅସ୍ତିତ୍ବ ସଂକଟ ସବୁର ସମ୍ମୁଖୀନ ହୋଇଚାଲିଥିବ ଓ ସେ ସଂକଟରୁ ଉଦ୍ଧାର ପାଇବା ଉଦ୍ଦେଶ୍ୟରେ ଏଇଭଳି ବିଶ୍ବାସର ଲମ୍ଫ ଦେଇ ‌ଚାଲିଥିବ। ଆଉ ଏହାର ଏକ ପାର୍ଶ୍ବ ଫଳ ସ୍ବରୂପ ଯେଉଁ ସମାଜରେ ଜାପାନୀସୁଲଭ ଶୃଙ୍ଖଳାବୋଧ ଅନୁପସ୍ଥିତ ଥିବ, ସେଠାରେ ସମୟ ସମୟରେ ଏହି ଲମ୍ଫ ଘାତକ ସାବ୍ୟସ୍ତ ହୋଇ ହାଥ୍‌ରସ୍ ଘଟଣା ପରି ଅଘଟଣମାନ ଘଟିଚାଲିଥିବ। ଏଭଳି ସମାଜରେ ରାଷ୍ଟ୍ର ଅର୍ଥାତ୍ ସରକାରର ଦାୟିତ୍ବ ହେଉଛି ଆବଶ୍ୟକ ସାବଧାନତାମୂଳକ ପଦକ୍ଷେପମାନ ଗ୍ରହଣ କରି ଯେତେଦୂର ସମ୍ଭବ ଏଭଳି ସ୍ବେଚ୍ଛାକୃତ ବିପର୍ଯ୍ୟୟକୁ ପ୍ରତିହତ କରିବା। ତେବେ ଏ ଲମ୍ଫ ପ୍ରଦାନକାରୀମାନଙ୍କୁ ଅଟକାଇବା ସହଜ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe