ବହୁବଚନ: ଚିତ୍ତାକର୍ଷକ ଚିତ୍ରକାବ୍ୟ

Advertisment

ବିଜୟ ନାୟକ

ବିଜୟ ନାୟକ

ବହୁବଚନ: ଚିତ୍ତାକର୍ଷକ ଚିତ୍ରକାବ୍ୟ

Prabhat Khabar

ସେପ୍‌ଟେମ୍ବର ମାସ ୯ ଓ ୧୦ ତାରିଖ- ଦୁଇଦିନ ବ୍ୟାପୀ ଅନୁଷ୍ଠିତ ଜି-୨୦ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କର ଶିଖର ସମ୍ମିଳନୀରେ ଭାରତ ଅପାର ଆତ୍ମବିଶ୍ୱାସ, ନେତୃତ୍ୱର ତୁଙ୍ଗିମା ଓ ବିଶ୍ୱଜନପ୍ରୀତି ପ୍ରଦର୍ଶିତ କରି ସମଗ୍ର ପୃଥିବୀକୁ ଚକିତ କରିଛି। ପରମ୍ପରା ସହିତ ପ୍ରଯୁକ୍ତିବିଦ୍ୟାର ସମନ୍ୱୟରେ ହିଁ ବିଶ୍ୱବିକାଶ ସମ୍ଭବ- ଭାରତର ଏହି ଅଭିନବ ବାର୍ତ୍ତା ବିଶ୍ୱବାସୀଙ୍କୁ ବିମୁଗ୍ଧ କରିଛି ଏବଂ ସର୍ବୋପରି ବିବିଧ କଳା ବିଭବକୁ ଚିତ୍ତାକର୍ଷକ ଚିତ୍ରକାବ୍ୟର ରୂପ ଦେଇ ସମବେତ ନେତୃବୃନ୍ଦଙ୍କୁ ଚମତ୍କୃତ କରିଛି ଭାରତ।

ଏକ ପ୍ରଲମ୍ବିତ ଯୁଦ୍ଧ ଯୋଗୁ ପୃଥିବୀ କେବଳ ବିଭାଜିତ ନୁହେଁ, କ୍ଳାନ୍ତ ମଧ୍ୟ। ଏମନ୍ତ ପରିସ୍ଥିତିରେ ଭାରତର ନିରପେକ୍ଷତା ବିଶ୍ୱ-ସମୁଦାୟର ଆସ୍ଥାର ଆଲୋକବର୍ତ୍ତିକା ହୋଇଛି। ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ସ୍ଥାପିତ ଏକ ପୁରାତନ ପ୍ରସ୍ତର ସ୍ତମ୍ଭରେ ପ୍ରାକୃତ ଭାଷାରେ ଉଲ୍ଲିଖିତ ମାନବତାର ମହାମନ୍ତ୍ର ଉଦ୍ଧାର କରି ଭାରତୀୟ ସଂସ୍କୃତିର ଶାଶ୍ୱତବାଣୀ ‘ବସୁଧୈବ କୁଟୁମ୍ବକମ୍’ ଉପରେ ଆଧାରିତ ଜି-୨୦ର ଦୃଷ୍ଟିଭଙ୍ଗୀ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’କୁ ପରୋକ୍ଷରେ ଦୋହରାଇଛନ୍ତି। ସେହିପରି ଆଫ୍ରିକୀୟ ସଂଘକୁ ଏହି ସମ୍ଭ୍ରାନ୍ତ ସମ୍ମିଳନୀର ସ୍ଥାୟୀ ସଦସ୍ୟ କରାଇ ବିକଶିତ ଦେଶଗୁଡ଼ିକ ସହିତ ବିକାଶୋନ୍ମୁଖୀ ଦେଶସମୂହର ସଂପର୍କକୁ ସୁଦୃଢ଼ କରିବାର ପ୍ରୟାସ କରିଛନ୍ତି। ସଭିଏଁ ଏକ ହେଲେ ବିଶ୍ୱର ଶାନ୍ତି ଓ ସମୃଦ୍ଧି ସମ୍ଭବ ବୋଲି ତାଙ୍କ ପ୍ରିୟ ସ୍ଲୋଗାନ୍ ମାଧ୍ୟମରେ ସୂଚନା ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ତିନିଗୋଟି ମହତ୍ତ୍ୱପୂର୍ଣ୍ଣ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ଆଲୋଚନା ମାଧ୍ୟମରେ ବିଶ୍ୱଭ୍ରାତୃତ୍ୱ ପ୍ରମୂର୍ତ୍ତ ହେବା ସଙ୍ଗେସଙ୍ଗେ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ସାଇବର ନିରାପତ୍ତା, ଖାଦ୍ୟ, ଉର୍ବରକ, ଜୈବ ଇନ୍ଧନ ଓ ଅନ୍ୟାନ୍ୟ ସମସ୍ୟା ସମାଧାନର ଯେ ଦ୍ୱାର ଉନ୍ମୁକ୍ତ ହୋଇପାରିଛି, ଏଥିରେ ଦ୍ୱିମତ ନାହିଁ। ପୁନଶ୍ଚ ଦିଲ୍ଲୀ ଘୋଷଣାପତ୍ର ଯେ ଭାରତର ସାଙ୍ଗଠନିକ ସାମର୍ଥ୍ୟ ଓ ନେତୃତ୍ୱର ନିପୁଣତାର ପ୍ରମାଣପତ୍ର, ଏହା ମଧ୍ୟ ଅବିସମ୍ବାଦିତ। ଏହି ସମ୍ମିଳନୀ ଅବସରରେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ ଅଳିନ୍ଦ ପ୍ରତିଷ୍ଠା ଏବଂ ବୈଶ୍ୱିକ ଜୈବଇନ୍ଧନ ମେଣ୍ଟ ଗଠନର ସହମତି ଅନ୍ୟ ଏକ ଐତିହାସିକ ଉପଲବ୍‌ଧି ଅବଶ୍ୟ।

ଏହି ଉପଲକ୍ଷେ ବିଶାଳ ଭାରତର ପ୍ରତିରୂପ ଭାବରେ ଦିଲ୍ଲୀ ସଜ୍ଜିତ ହୋଇଥିଲା। ମହାନଗରୀର ଅନେକତ୍ର ସ୍ଥାନିତ ଭାରତର କଳାକୃତିମାନ ଦିଲ୍ଲୀର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛି। ଅଳସକନ୍ୟା, ନୃତ୍ୟାଙ୍ଗନା, ଶିବଲିଙ୍ଗ ଆଦି ଅନୁପମ ପ୍ରତିମାଗୁଡ଼ିକ କଦାପି ଜନଦୃଷ୍ଟି ଆଢୁଆଳରେ ରହିପାରିବେ ନାହିଁ। ବିଭିନ୍ନ ସ୍ଥାନରେ ହାତୀ, ଘୋଡ଼ା, ସିଂହ ଆଦିର ମୂର୍ତ୍ତି ସାଙ୍ଗକୁ ବୁଦ୍ଧ, ଗାନ୍ଧୀ ଓ ଅନ୍ୟ ମନୀଷୀମାନଙ୍କ ପ୍ରତିମୂର୍ତ୍ତି ତଥା କୋଣାର୍କ ଚକ୍ର ପରି ଭାରତୀୟ ଭାସ୍କର୍ଯ୍ୟର ପ୍ରତିଭୂ ପ୍ରଭୃତି ସ୍ଥାପନ କରାଯାଇଛି। ବିଭିନ୍ନ ଫ୍ଲାଏଓଭର୍‌ ଅଣ୍ଡର୍‌ପାସ୍‌ର ଉଭୟ କାନ୍ଥରେ ଭାରତର ବିଭିନ୍ନ ପ୍ରଦେଶର ପ୍ରତିନିଧିତ୍ୱ କରୁଥିବା ଚିତ୍ରସବୁ ଅଙ୍କିତ ହୋଇଛି। ପୁନଶ୍ଚ ବାପୁଜୀ, ନେତାଜୀଙ୍କ ଠାରୁ ଏ.ପି.ଜେ.ଙ୍କ ପର୍ଯ୍ୟନ୍ତ ଅନେକ କର୍ଣ୍ଣଧାର, ରାମାୟଣ ଓ ମହାଭାରତର କଥା, ସ୍ୱାଧୀନତା ସଂଗ୍ରାମ, ଐତିହ୍ୟ ସଂପନ୍ନ ଅଟ୍ଟାଳିକା, ନାନା ନୃତ୍ୟ ଓ ବାଦ୍ୟ, ପର୍ବପର୍ବାଣି, ଶିଳାଶିଳ୍ପ ପ୍ରବୀଣ ଶିଳ୍ପୀମାନଙ୍କ ତୂଳୀରେ ଜୀବନ୍ୟାସ ପାଇଛନ୍ତି ଯେମିତି। ‘ଭାରତ ମଣ୍ଡପମ୍’ ଓ ତା’ ଚତୁଃପାର୍ଶ୍ୱର ଶୋଭା ଅବର୍ଣ୍ଣନୀୟ। ଗୋଲାକାର ମଣ୍ଡପ ସମ୍ମୁଖରେ ପାଞ୍ଚ ଫୁଟ ଉଚ୍ଚର ପିଣ୍ଡି ଉପରେ ସଂସ୍ଥାପିତ ୨୭ ଫୁଟ ଉଚ୍ଚତା ବିଶିଷ୍ଟ ଅଷ୍ଟଧାତୁରେ ନିର୍ମିତ ନଟରାଜ ମୂର୍ତ୍ତି ପରିବେଶକୁ ବେଶ୍ ମନୋଜ୍ଞ କରିଥିଲା। ମଣ୍ଡପ ପରିସରରେ ବିଭିନ୍ନ ରାଜ୍ୟ ଓ କେତେକ କେନ୍ଦ୍ରୀୟ ସଂସ୍ଥା ତରଫରୁ ଖୋଲାଯାଇଥିବା ଷ୍ଟଲ୍‌ଗୁଡ଼ିକରେ ବିଭିନ୍ନ ରାଜ୍ୟର ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀଗୁଡ଼ିକ ଅତୁଲ୍ୟ ଭାରତର ଅମୂଲ୍ୟ ରତ୍ନ ପ୍ରାୟେ ପ୍ରତୀୟମାନ ହେଉଥିଲେ। ମଣ୍ଡପର ଅଗଣା ଓ ଅଳିନ୍ଦରେ ପାଦ ଦେଲା କ୍ଷଣି ଭାରତର ବିବିଧ କଳାର ଝଲକ ସ୍ପଷ୍ଟ ହେଉଥିଲା। ଭବ୍ୟ ଭାରତ, ଭବନଟିଏ ମଧ୍ୟରେ ପ୍ରତିବିମ୍ବିତ ହେଉଥିବା ଶୈଳ୍ପିକ ସାନ୍ଦ୍ରତାର ପରିଚାୟକ।

ଏହି ମହାସମ୍ମିଳନୀରେ ଓଡ଼ିଶାର କଳାନୈପୁଣ୍ୟ ଫୁଟି ବାହାରୁଥିଲା। ଦିଲ୍ଲୀର ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ ଏବଂ ରଥଯାତ୍ରା ଆଦିର ଚିତ୍ର ସହିତ ସୌରା, ସାନ୍ତାଳ ଆଦି ଆଦିବାସୀ ଲଳିତ କଳା ଅଙ୍କିତ ହୋଇଛି। ମଣ୍ଡପ ବାହାରେ ନଟରାଜ ଓ ମଣ୍ଡପ ଭିତରେ କୋଣାର୍କ ଚକ୍ର ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ପ୍ରଧାନମନ୍ତ୍ରୀ ଯେଉଁଠି ଠିଆ ହୋଇ ଅତିଥିମାନଙ୍କୁ ସ୍ୱାଗତ କରୁଥିଲେ, ତା’ ପୃଷ୍ଠଭୂମିରେ ଶୋଭା ପାଉଥିଲା ଚକ୍ରମଣ୍ଡିତ କୋଣାର୍କ ମନ୍ଦିରର କିୟଦଂଶ। ସେହି ମନୋରମ ମନ୍ଦିରର ସାଦୃଶ୍ୟ ଦେଖି ବିମୋହିତ ହୋଇଛନ୍ତି ରାଷ୍ଟ୍ରମୁଖ୍ୟମାନେ। କେତେକଙ୍କ ଜିଜ୍ଞାସାର ଉତ୍ତର ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମହୋଦୟ। ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତିଙ୍କୁ ଶ୍ରୀ ମୋଦୀ କୋଣାର୍କ ବିଷୟରେ ଅବଗତ କରାଉଥିବା ଦୃଶ୍ୟ ଓଡ଼ିଶାରେ କାହିଁକି ସାରା ଭାରତରେ ଚହଳ ପକାଇଛି। ଶ୍ରୀ ମୋଦୀଙ୍କର ଓଡ଼ିଶୀ ସ୍ଥାପତ୍ୟ ପ୍ରତି ଯେ ରହିଛି ଅପ୍ରମିତ ଅନୁରାଗ, ଏହା ସହଜରେ ଅନୁମେୟ। କୋଣାର୍କ ଚକ୍ର ସହିତ ସମ୍ବଲପୁରୀ ଶାଢ଼ି ଓ ଡାଲଖାଇ ନୃତ୍ୟ ମଧ୍ୟ ଦିଲ୍ଲୀ ନଗରୀରେ ପ୍ରାଧାନ୍ୟ ଲାଭ କରିଥିଲା। ଉତ୍କର୍ଷ କଳା କ’ଣ କେବେ ଉହାଡ଼ରେ ରହିପାରେ? ତେବେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଳନ୍ଦା ବିଶ୍ୱବିଦ୍ୟାଳୟ ଛବି ସମ୍ମୁଖରେ ଦଣ୍ଡାୟମାନ ହୋଇ ରାତ୍ରିଭୋଜନ ପାଇଁ ଅତିଥିମାନଙ୍କୁ ସ୍ୱାଗତ କରୁଥିବାର ଦୃଶ୍ୟ ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ। ତାତ୍ପର୍ଯ୍ୟପୂର୍ଣ୍ଣ ମଧ୍ୟ ରାଜଘାଟରେ ସାବରମତୀ ଆଶ୍ରମର ଉପସ୍ଥାପନା। କୋଣାର୍କ ପ୍ରାଚ୍ୟ କଳାର ତ ନାଳନ୍ଦା ପ୍ରାଚ୍ୟ ବିଦ୍ୟାର ପ୍ରତୀକ। ସାବରମତୀ ଆଶ୍ରମ ସେମିତି ସତ୍ୟ ଓ ଅହିଂସାର ସ୍ୱରୁପ। ଭାରତକୁ କେବଳ ଦେଖିବା ପାଇଁ ନୁହେଁ, ଅନୁଭବ କରିବା ପାଇଁ ସୁଯୋଗ ଦିଆଯାଇଥିଲା ଅତିଥିମାନଙ୍କୁ।

ଭାରତର ବିଭିନ୍ନ ପ୍ରଦେଶରୁ ଶିଳ୍ପୀମାନେ ଆସି ଏହି ବୃହତ୍ କାର‌୍ୟ୍ୟକ୍ରମ ପରିପ୍ରେକ୍ଷୀରେ ସଭାସ୍ଥଳୀ ଏବଂ ମହାନଗରୀକୁ ଶୋଭାର ଭଣ୍ଡାର କରି ଗଢ଼ିତୋଳିଥିଲେ। ଏ କ୍ଷେତ୍ରରେ ଓଡ଼ିଆ ଶିଳ୍ପୀକୁଳର ଥିଲା ପ୍ରଶଂସନୀୟ ଭୂମିକା। ସେମାନଙ୍କ କର୍ମକୁଶଳତା ସହିତ ନିଷ୍ଠା ଆୟୋଜକମାନଙ୍କୁ ଅଭିଭୂତ କରିଥିଲା। ଗୋଟିଏ ଟି.ଭି. ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇ ଦିଲ୍ଲୀର ଉପରାଜ୍ୟପାଳ ଶ୍ରୀ ବିନୟ କୁମାର ସାକ୍‌ସେନା ଓଡ଼ିଶା ଓ ରାଜସ୍ଥାନର ଶିଳ୍ପୀମାନଙ୍କୁ ବିଶେଷ ଧନ୍ୟବାଦ ଦେଇଥିଲେ। ଓଡ଼ିଶାର କାରିଗରି ଓ କାରିଗର ଉଭୟ ସଦା ସମ୍ମାନାର୍ହ। ଚିର ବନ୍ଦନୀୟ ଭାରତର ଭୂମି ଓ ଭୂମା।
ମୋ: ୯୪୩୭୧୪୩୮୯୬

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe