indiamart.com
ଆସନ୍ତା ୯ ତାରିଖରୁ ଘରୁ ବାହାରକୁ ବାହାରୁଥିବା ଲୋକେ ମୁଖା ବା ‘ମାସ୍କ୍’ ପିନ୍ଧିବା ବାଧ୍ୟତାମୂଳକ ବୋଲି ସରକାରଙ୍କ ପକ୍ଷରୁ ନିୟମ କରାଯାଇଛି। କୁହାଯାଇଛି ଯେ ସାଧାରଣ ରୁମାଲ ଠାରୁ ଆରମ୍ଭ କରି ନାକ ଓ ପାଟିକୁ ଘୋଡ଼ାଉଥିବା ଭଳି ଯେ କୌଣସି ‘ମାସ୍କ୍’ ଏ କ୍ଷେତ୍ରରେ ଚଳିବ। ଯଦିଓ ଅନେକ ବିଶେଷଜ୍ଞ ମୂଳରୁ ‘ମାସ୍କ୍’ ବ୍ୟବହାର ଉପରେ ଅତ୍ୟନ୍ତ ଗୁରୁତ୍ବ ଦେଇ ଆସୁଥିଲେ, କିନ୍ତୁ ବିସ୍ମୟକର ଭାବେ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଠାରୁ ଆରମ୍ଭ କରି ଭାରତ ସମେତ ଅନେକ ପାଶ୍ଚାତ୍ୟ ରାଷ୍ଟ୍ରରେ ଏହା ଉପରେ ଗୁରୁତ୍ବ ଦିଆଯାଉ ନ ଥିଲା। କେବଳ ଚିକିତ୍ସା ପ୍ରଦାନକାରୀମାନେ ‘ମାସ୍କ୍’ ପିନ୍ଧିବା ଉପରେ ମହତ୍ତ୍ବ ପ୍ରଦାନ କରାଯାଉଥିଲା। କିନ୍ତୁ ସଂପ୍ରତି କେତେକ ବିଶ୍ଳେଷଣ ତଥା କେତେକ ତଥ୍ୟ ବା ‘ଡାଟା’ ଆଧାରରେ ‘ମାସ୍କ୍’ ପିନ୍ଧିବା ଉପରେ ପୁଣି ପ୍ରାଧାନ୍ୟ ଦିଆଯିବା ଆରମ୍ଭ ହୋଇଛି।
ସେହି ପରିପ୍ରେକ୍ଷୀରେ ଏଠାରେ ଚେକ୍ ସାଧାରଣତନ୍ତ୍ର ଏକ ଉଜ୍ଜ୍ବଳ ଦୃଷ୍ଟାନ୍ତ। ମାର୍ଚ୍ଚ ୧ ତାରିଖରେ ସେଠାରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ମାର୍ଚ୍ଚ ୮ ତାରିଖରେ ଏକ ଆଇନ କରିଦିଆଗଲା ଯେ ଘରୁ ବାହାରିବା ମାତ୍ରକେ ‘ମାସ୍କ୍’ ବ୍ୟବହାର ବାଧ୍ୟତାମୂଳକ। ତା ସହିତ ‘ଲକ୍ଡାଉନ୍’ ଏବଂ ‘ସାମାଜିକ ଦୂରତା’ ଭଳି ସାବଧାନତା ମଧ୍ୟ ଅବଲମ୍ବନ କରାଗଲା। ସେଥିରୁ ଦେଖିବାକୁ ମିଳିଛି ଯେ କରୋନା ସଂକ୍ରମଣର ଭୟାବହତା ଆଗରେ ସବୁ ୟୁରୋପୀୟ ରାଷ୍ଟ୍ର ଆତ୍ମସମର୍ପଣ ମୁଦ୍ରାରେ ଥିବା ବେଳେ କେବଳ ଚେକ୍ ସାଧାରଣତନ୍ତ୍ର ଆକ୍ରାନ୍ତଙ୍କ ଊର୍ଦ୍ଧ୍ବମୁଖୀ ଧାରାରେ ବିରାମ ଲଗାଇବାକୁ ସମର୍ଥ ହୋଇଛି। ଗତ କାଲି ସୁଦ୍ଧା ଚେକ୍ ସାଧାରଣତନ୍ତ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥିଲା ୪୮୨୮। ଆଜି ଯେତେବେଳେ ଇଟାଲି ବା ଫ୍ରାନ୍ସ ବା ସ୍ପେନ୍ ବା ଇଂଲଣ୍ଡରେ ଦିନକୁ ହଜାର ହଜାର କରୋନା ସଂକ୍ରମିତଙ୍କୁ ଦେଖିବାକୁ ମିଳୁଛି, ସେତିକି ବେଳେ ଚେକ୍ ସାଧାରଣତନ୍ତ୍ରର ଏହି ସଂଖ୍ୟା ଅତ୍ୟନ୍ତ କମ୍ ମନେ ହୁଏ।
ବିଶେଷଜ୍ଞମାନେ କହନ୍ତି ଯେ ‘ମାସ୍କ୍’ର ବ୍ୟବହାର କିଭଳି ‘କୋଭିଡ୍-୧୯’ ସଂକ୍ରମଣକୁ ରୋକିଥାଏ, ତାହା ପ୍ରଥମେ ଚୀନ୍ ଓ ଦକ୍ଷିଣ କୋରିଆ କରି ଦେଖାଇଥିଲେ ଏବଂ ଏବେ ତାହା ଚେକ୍ ସାଧାରଣତନ୍ତ୍ର କରି ଦେଖାଇଛି। ସେହି ଦୃଷ୍ଟିରୁ ଭାରତର ନାଗରିକମାନେ ‘ମାସ୍କ୍’ ପିନ୍ଧିବା କରୋନା ବିରୋଧରେ ଭାରତର ବିଜୟରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିପାରେ।
Follow Us