ଆଶା ଓ ଆକାଶ: ରୁଗ୍‌ଣ ଚିନି କଳ, ଅବହେଳିତ ଆଖୁ ଚାଷ

ସମଗ୍ର ଦକ୍ଷିଣପୂର୍ବ ଏସିଆର ପ୍ରଥମ ଅତ୍ୟାଧୁନିକ ଚିନି କଳ ପ୍ରତିଷ୍ଠା ହୋଇଥିଲା ଭାରତରେ ପ୍ରସିଦ୍ଧି ପାଇଥିବା ‘ସୁଗାର୍ ସିଟି’ ବା ଚିନି ସହର ଆସିକାରେ। ଦେଶ ସ୍ବାଧୀନ ହେବାର ପ୍ରାୟ ଶହେ ବର୍ଷ ପୂର୍ବରୁ ଏହାକୁ ପ୍ରତିଷ୍ଠା କରିଥିଲେ ଜଣେ ବ୍ରିଟିସ୍‌ ନାଗରିକ ଫ୍ରେଡରିକ....

sffsfsxxc

ଜାନକୀଶ ବଡ଼ପଣ୍ଡା

ସମଗ୍ର ଦକ୍ଷିଣପୂର୍ବ ଏସିଆର ପ୍ରଥମ ଅତ୍ୟାଧୁନିକ ଚିନି କଳ ପ୍ରତିଷ୍ଠା ହୋଇଥିଲା ଭାରତରେ ପ୍ରସିଦ୍ଧି ପାଇଥିବା ‘ସୁଗାର୍ ସିଟି’ ବା ଚିନି ସହର ଆସିକାରେ। ଦେଶ ସ୍ବାଧୀନ ହେବାର ପ୍ରାୟ ଶହେ ବର୍ଷ ପୂର୍ବରୁ ଏହାକୁ ପ୍ରତିଷ୍ଠା କରିଥିଲେ ଜଣେ ବ୍ରିଟିସ୍‌ ନାଗରିକ ଫ୍ରେଡରିକ ଜେମ୍‌ସ ଭିଭିଆନ୍ ମିଞ୍ଚିନ୍। ୧୯୫୬ ମସିହାରେ ରାଜ୍ୟର ପ୍ରଥମ ସମବାୟ ଚିନି କଳ ମଧ୍ୟ ଏହି ସହରରେ ପ୍ରତିଷ୍ଠା କରାଯାଇ ୧୯୬୩ ମସିହାରେ ଚିନି ଉତ୍ପାଦନ ଆରମ୍ଭ ହୋଇଥିଲା। ବହୁ ପୂର୍ବରୁ, ମିଞ୍ଚିନ୍ ସାହେବଙ୍କ ତିଆରି ଚିନି ଗୋପାଳପୁର ବନ୍ଦର ଦେଇ ଚେନ୍ନାଇ ଯାଉଥିଲା। ସେଥିପାଇଁ, ତାମିଲ୍ ଭାଷାରେ ‘ଚିନି’ର ନାମ ଆସ୍କା! ୨୦୧୨ ମସିହାରୁ ଆସିକା ସମବାୟ ଚିନି କଳ ରୁଗ୍‌ଣ ଅବସ୍ଥାରେ ଆର୍ତ୍ତନାଦ କରୁଛି। କେବଳ ଆସିକା ନୁହେଁ, ସମବାୟ ଭିତ୍ତିରେ ୧୯୮୮ ମସିହାରେ ସ୍ଥାପିତ ନୟାଗଡ଼ ସମେତ ବରଗଡ଼, ବଲାଙ୍ଗୀର, ବଡ଼ମ୍ବା, ରାୟଗଡ଼ା ଚିନି କଳରେ ପ୍ରାୟ ଏକ ଦଶକ ପୂର୍ବରୁ ତାଲା ପଡ଼ି ସାରିଛି। ସେହିପରି ଧର୍ମଗଡ଼ରେ ସ୍ଥାପିତ ଚିନି କଳ ବନ୍ଦ ହୋଇ ସାରିଛି। ସୌଭାଗ୍ୟକୁ ଢେଙ୍କାନାଳ ଚିନି କଳକୁ ହାତକୁ ନେଇ ଭାରତୀୟ ପଟାସ୍ ଲିଃ ପରିଚାଳନା କରୁଥିବାରୁ, ସେଠାରେ ଚିନି ଉତ୍ପାଦନ ହେଉଛି। ଆଠଟି ମଧ୍ୟରୁ ଏବେ ଚାଲିଛି କେବଳ ଦୁଇଟି- ଆସ୍କା ଓ ଢେଙ୍କାନାଳ।
ଆଖୁ ସର୍ବାଧିକ ଜଳ ଆବଶ୍ୟକ କରୁଥିବା ଏକ ବର୍ଷିକିଆ ଅର୍ଥକରୀ ଫସଲ ହିସାବରେ ଜଣାଶୁଣା। ଆଖୁରୁ ଗୁଡ଼ ଓ ଖଣ୍ଡସାରି ପ୍ରସ୍ତୁତ ହେଉଥିଲେ ମଧ୍ୟ ମୁଖ୍ୟତଃ ଚିନି ଉତ୍ପାଦନ ପାଇଁ ଆଖୁ ଚାଷ କରାଯାଏ। ସେଥିପାଇଁ ଚିନି କଳଗୁଡ଼ିକ ନିଜ ଚାରିପାଖରେ ଅବସ୍ଥିତ ଗ୍ରାମର ଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରି ଅଧିକ ଆଖୁ ଚାଷ କରାନ୍ତି। ଚିନି କଳଗୁଡ଼ିକ କ୍ରମଶଃ ବନ୍ଦ ହୋଇ ଯାଇଥିବାରୁ ଆଖୁ ଚାଷୀମାନେ ଚାଷ ବିମୁଖ ହୋଇଛନ୍ତି। ଦୀର୍ଘ ୧୦ ମାସ ଧରି କ୍ଷେତରେ ଫସଲ ଠିଆ ହେଉଥିବାରୁ ଓ ପର ବର୍ଷ ମୂଳିଆଖୁ ଚାଷ କରାଯାଉଥିବାରୁ ଦୀର୍ଘ ସମୟ ଧରି ଚାଷୀମାନଙ୍କୁ ବ୍ୟସ୍ତ ରହିବାକୁ ପଡୁଛି। ବୁଲା ଗୋରୁ ଓ ବନ୍ୟଜନ୍ତୁ ଆକ୍ରମଣରେ ଫସଲ କ୍ଷତିଗ୍ରସ୍ତ ହେଉଛି। ଚିନି କଳ ନଥିବାରୁ ଚାଷୀ ନିଶ୍ଚିତ ବିକ୍ରି ବ୍ୟବସ୍ଥା ପାଉନାହିଁ ଏବଂ ହତୋତ୍ସାହିତ ହେଉଛି। କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ସମସ୍ୟାକୁ ଗମ୍ଭୀର କରୁଛି। ଅନ୍ୟ ପକ୍ଷରେ ଚିନି କଳ କର୍ତ୍ତୃପକ୍ଷ ମଧ୍ୟ ଚାଷୀଙ୍କ ପକ୍ଷରୁ ଆଶାଜନକ ଉତ୍ପାଦନ, ଆଖୁ ଯୋଗାଣରେ ଅସ୍ଥିରତା ଓ ଆଖୁରେ କମ୍ ଶର୍କରା ଅଂଶ ରହିବା କାରଣରୁ ବିବ୍ରତ। ଚିନି କଳଗୁଡ଼ିକ ଆଖୁ ପାଇଁ ନିଶ୍ଚିତ ଲାଭଜନକ ମୂଲ୍ୟ (ଏଫ୍‌ଆରପି) ଦେଉଥିବାରୁ ଚାଷୀମାନେ ଚିନି କଳ ପ୍ରତିଷ୍ଠାକୁ ସମର୍ଥନ କରନ୍ତି। ରାଜ୍ୟ କୃଷି ବିଭାଗ ପକ୍ଷରୁ ସଅଳ ବିହନ ଲଗାଇବା ପାଇଁ ଚାଷୀଙ୍କୁ ହେକ୍ଟର ପିଛା ୫ ହଜାର ଟଙ୍କା, ଆଖୁ ବିହନର ଉତ୍ସ ବାବଦରେ ହେକ୍ଟର ପିଛା ୨୫ ହଜାର ଟଙ୍କା, ମୂଳିଆଖୁ ପରିଚାଳନା ପାଇଁ ହେକ୍ଟର ପିଛା ୧୨ ହଜାର ୫୦୦ ଟଙ୍କା ଓ ବ୍ୟବଧାନ ରୋପଣ ପଦ୍ଧତି ଆପଣାଇବା ପାଇଁ ହେକ୍ଟର ପିଛା ୨୨ ହଜାର ୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରୁଛନ୍ତି। ଯଦି, ସରକାର ଆଖୁଚାଷକୁ ପ୍ରୋତ୍ସାହନ ଦେଉଛନ୍ତି, ଚାଷୀମାନେ ଆଖୁ ଚାଷ କରୁଛନ୍ତି ଓ ଚିନି କଳ ଚାଲୁହେବା ଚାହୁଁଛନ୍ତି, ତେବେ ଓଡ଼ିଶାରେ ଚିନି କଳଗୁଡ଼ିକ ରୁଗ୍‌ଣ ହୋଇଗଲେ କାହିଁକି? ବର୍ଦ୍ଧିତ ଚାଷ ଖର୍ଚ୍ଚ ଓ ଅପାରଗ ଚିନି କଳ ପରିଚାଳନାକୁ ଦୋଷ ଦେଇ ଆମେ ନିଜକୁ ଠକି ଚାଲୁନେ କି?
ଥରେ ଆସିକା ନିକଟସ୍ଥ ଏକ ଗ୍ରାମରେ ଆୟୋଜିତ ଆଖୁ ଚାଷୀ ତାଲିମ ଶିବିରରେ ଆୟୋଜକ ବ୍ୟାଙ୍କ ଅଧିକାରୀ ଭାବେ ମୁଁ ଯୋଗ ଦେଇ ଉପସ୍ଥିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଆଖୁ ଚାଷ ବିଶେଷଜ୍ଞଙ୍କୁ ଅନୁରୋଧ କଲି ଯେ ଚାଷୀମାନେ କେଉଁସବୁ ତ୍ରୁଟି ସୁଧାରିଲେ କମ୍ ଖର୍ଚ୍ଚ କରି ଅଧିକ ଅମଳ ପାଇବେ, ସେ ବିଷୟରେ ତାଲିମ ଦିଅନ୍ତୁ। ଜିଲ୍ଲା ଅଧିକାରୀ ମୋତେ ଚକିତ କରିଦେଇ କହିଲେ, “ଏମାନେ ଚାଷୀ ହେବା ଲାଗି ଯୋଗ୍ୟ ନୁହନ୍ତି।” ସେଠାରେ ଉପସ୍ଥିତ ଥିବା ଚାଷୀ ଓ କୃଷି ଅଧିକାରୀଙ୍କ ମଧ୍ୟରେ ସମ୍ପର୍କ ଏତେ ମଧୁର ଓ ନିବିଡ଼ ଥିଲା ଯେ, ଆଖୁ ଚାଷୀମାନେ ଖରାପ ଭାବିଲେ ନାହିଁ, ବରଂ ସହମତି ପ୍ରକାଶ କଲେ। ଅଧିକାରୀ ବୁଝାଇ ଦେଲେ ଯେ, ଏକ ଏକର ଜମିରେ ୪୦-୬୦ ହଜାର ଗଛ ବା ଧଣ୍ଡା ଅମଳ ହୁଏ, ଯାହାର ଓଜନ ହେବ ୨୪୦ କୁଇଣ୍ଟାଲ। ହିସାବ କଲେ, ଗୋଟିଏ ଗଛର ଓଜନ ହେବ ୬୦୦ ଗ୍ରାମ୍। ଚାଷୀ ଆଖୁ ଚାଷ କରୁଛନ୍ତି ନା ନିଜକୁ ଠକୁଛନ୍ତି? ସତ କଥା। ଆଖୁ ଚାଷ ପାଇଁ ଏକର ପ୍ରତି ପ୍ରାୟ ୪୦ ହଜାର ଟଙ୍କା ଖର୍ଚ୍ଚ ହୁଏ। ଚଳିତ ୨୦୨୫-୨୬ ମସିହା ପାଇଁ ୧୦.୫ ପ୍ରତିଶତ ଶର୍କରା ବିଶିଷ୍ଟ ଏକ କୁଇଣ୍ଟାଲ ଆଖୁ ପାଇଁ ସାଧାରଣ ଲାଭ ମୂଲ୍ୟ ବା ଫେଆର ରେମୁନରେଟିଭ ପ୍ରାଇସ୍ (ଏଫ୍ଆରପି) ୩୨୯ ଟଙ୍କା ସ୍ଥିର ହୋଇଥିଲା, ଯାହା ଏବେ ୩୫୫ ଟଙ୍କାକୁ ବଢ଼ିଛି! ଏକର ପ୍ରତି ୪୦୦ କୁଇଣ୍ଟାଲ ଅମଳ ହେଲେ ୧,୩୧,୬୦୦ ଟଙ୍କା ଆୟ କରି ସବୁ ଖର୍ଚ୍ଚ ପରେ ୯୦ ହଜାରରୁ ଅଧିକ ଟଙ୍କା ଲାଭ ମିଳିବା କଥା! କିନ୍ତୁ, ଆମ ଚାଷୀ ପାରମ୍ପରିକ ପ୍ରଣାଳୀରେ ଚାଷ କରିଚାଲିଛନ୍ତି। ନୂଆ କିସମର ବିହନ ବ୍ୟବହାର, ସାର, ଜଳସେଚନ, ଦେଖାରଖା କରୁଥିଲେ ଅଧିକ ନ ହେଉ ପଛେ, ଏକର ପ୍ରତି ୪୦୦ କୁଇଣ୍ଟାଲ ଅମଳ ତ ପାଉଥାଆନ୍ତେ!
ବିଶ୍ବରେ ସର୍ବାଧିକ ଆଖୁ ଉତ୍ପାଦନ କରୁଥିବା ଦେଶ ତାଲିକାରେ ଯଥାକ୍ରମେ ବ୍ରାଜିଲ୍, ଭାରତ ଓ ଚୀନ୍ ରହୁଥିବାବେଳେ ଆମ ଦେଶରେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟ ଅଗ୍ରଣୀ ସ୍ଥାନରେ ଅଛନ୍ତି। ସର୍ବଭାରତୀୟ ତାଲିକାରେ ଓଡ଼ିଶାର ସ୍ଥାନ ସପ୍ତମ। ସେହିଭଳି ଓଡ଼ିଶାର ଜିଲ୍ଲାମାନଙ୍କ ମଧ୍ୟରେ କଟକ, କୋରାପୁଟ ଓ ନୟାଗଡ଼ର ନାମ ଆସେ। ଅର୍ଦ୍ଧଶତାବ୍ଦୀ ତଳେ, ଓଡ଼ିଶାରେ ୫୭ ହଜାର ହେକ୍ଟର ଜମିରେ ଆଖୁ ଚାଷ ହୋଇ ପ୍ରାୟ ୩୬ ଲକ୍ଷ ଟନ୍ ଆଖୁ ଉତ୍ପାଦନ ହେଉଥିଲା! ୨୦୨୩-୨୪ ବେଳକୁ ଏହା ଯଥାକ୍ରମେ ୨୨,୪୬୦ ହେକ୍ଟର ଜମି ଓ ୧୬.୩୫ ଲକ୍ଷ ଟନ୍‌କୁ କମିଗଲା। ଆଖୁ ଅମଳ ହୋଇଥିଲା ଏକର ପ୍ରତି ହାରାହାରି ୨୮.୮୦ ଟନ୍‌! ସମୁଦାୟ ଆଖୁ ଉତ୍ପାଦନର ୪୫ ପ୍ରତିଶତ ଏକାକୀ ଉତ୍ତରପ୍ରଦେଶ କରୁଥିବା ବେଳେ, ମହାରାଷ୍ଟ୍ର ଓ କର୍ଣ୍ଣାଟକର ଅବଦାନ ଯଥାକ୍ରମେ ୨୧ ଓ ୧୦ ପ୍ରତିଶତ। ଉତ୍ତର ପ୍ରଦେଶରେ ପ୍ରାୟ ୩୦ ଲକ୍ଷ ହେକ୍ଟର ଆଖୁଚାଷ କରାଯାଇ ପ୍ରାୟ ୧୨୦ଟି ଚିନି କଳ ଚାଲୁଥିଲା ବେଳେ, ମହାରାଷ୍ଟ୍ରରେ ପ୍ରାୟ ୧୪ ଲକ୍ଷ ହେକ୍ଟର ଆଖୁଚାଷ ହେଉଥିଲେ ବି ବହୁ ଅଧିକ ଉତ୍ପାଦନ ହେଉଥିବାରୁ ପ୍ରାୟ ୨୦୦ଟି ଚିନି କଳ ଲାଭରେ ଚାଲିଛି! ଖୁସିର କଥା ଯେ ମୁଖ୍ୟମନ୍ତ୍ରୀ ନୟାଗଡ଼ ଚିନି କଳକୁ ଚାଲୁ କରିବାକୁ ଘୋଷଣା କରିସାରିଛନ୍ତି।
ଗୋଟିଏ ଚିନି କଳ ଦୈନିକ ୨,୫୦୦ ଟନ୍ ଆଖୁ ବ୍ୟବହାର କଲେ, ୧୦୦ ଦିନରେ ଅଢ଼େଇ ଲକ୍ଷ ଟନ୍‌ ଆଖୁ ଆବଶ୍ୟକ ହେବ। ଏକର ପ୍ରତି ୪୦ ଟନ୍‌ ବା ହେକ୍ଟର ପ୍ରତି ୧୦୦ ଟନ୍‌ ଆଖୁ ଉତ୍ପାଦନ ହେଲେ ଚିନି କଳ ପିଛା ୨,୫୦୦ ହେକ୍ଟର ଜମିରେ ଆଖୁଚାଷ କରିବା ଆବଶ୍ୟକ ହେବ। ଯେଭଳି ଶୀତଳ ଭଣ୍ଡାର ଉପରେ ଆଳୁ ଚାଷ ନିର୍ଭରଶୀଳ, ସେହିଭଳି କାର୍ଯ୍ୟକ୍ଷମ ଚିନି କଳକୁ ନେଇ ଆଖୁ ଚାଷ ମଧ୍ୟ ନିର୍ଭରଶୀଳ। ପାଇକାରୀ ବଜାରରେ ଚିନି କେଜି ୪୫ ଟଙ୍କା ହୋଇଥିଲେ ବି ଉତ୍ପାଦନ ଖର୍ଚ୍ଚ ୬୫ ଟଙ୍କା। ତେଣୁ ଦେଶର ଚିନି କଳଗୁଡ଼ିକ କିଲୋଗ୍ରାମ ପିଛା ୨୦ ଟଙ୍କା କ୍ଷତି ସହନ୍ତି। ଏହି କ୍ଷତିକୁ ଭରଣା କରିବା ପାଇଁ ଚିନି କଳମାନେ ବିଭିନ୍ନ ପ୍ରକାରର ଆନୁଷଙ୍ଗିକ ଉତ୍ପାଦ ପ୍ରସ୍ତୁତ କରି କ୍ଷତି ଭରଣା କରିବା ସହିତ ଲାଭ କରିଥାଆନ୍ତି। ଅତ୍ୟାଧୁନିକ ଚିନି କଳଗୁଡ଼ିକରୁ ଅଗ୍ରାଧିକାର ସହିତ ଚିନି ଉତ୍ପାଦନ ହେବା ପରେ ଅଦରକାରୀ ମନେ ହେଉଥିବା ମୋଲାସେସରୁ ଇଥାନଲ ଓ ପଶୁ ଖାଦ୍ୟ, ଆଖୁ ଛେଦାରୁ କାଗଜ ଏବଂ ଆଖୁଦୋରୁଅ ତଳେ ବସିଯାଉଥିବା କାଦୁଅ ବା ପ୍ରେସ ମଡ୍‌କୁ ବ୍ୟବହାର କରି ଜୈବ ଖତ-ସାର ପ୍ରସ୍ତୁତ କରାଯାଇଥାଏ। ଆସ୍କାରେ ମୋଲାସେସରୁ ସ୍ପିରିଟ୍ ବା ଆଲକୋହଲ ପ୍ରସ୍ତୁତ ହୋଇ ମଦ କାରଖାନାକୁ ବିକ୍ରି କରାଯାଏ। ଏଣୁ ପ୍ରତ୍ୟେକ ଚିନି କଳ ୩-୪ ମାସ ଚିନି ଉତ୍ପାଦନ କଲେ ବି ଆନୁସଙ୍ଗିକ ଉତ୍ପାଦ ପ୍ରସ୍ତୁତି ଉପରେ ଅଧିକ ଧ୍ୟାନ ଦେଲେ ବର୍ଷ ସାରା କାମ କରିବା ସହିତ ଲାଭ କରିବେ। ତେଣୁ ଓଡ଼ିଶାରେ ବ୍ୟାପକ ଆଖୁଚାଷ ହେବାପାଇଁ ବନ୍ଦ ରହିଥିବା ଚିନି କଳଗୁଡ଼ିକୁ ଆବଶ୍ୟକ ମରାମତି ଓ ଆଧୁନିକୀକରଣ କରି କାର୍ଯ୍ୟକ୍ଷମ କରିବା ଜରୁରି।
ଆଖୁ ଅଧିକ ଜଳ ଆବଶ୍ୟକ କରୁଥିବାରୁ ଯେପରି ଶ୍ରୀ ପ୍ରଣାଳୀରେ ଧାନଚାଷ କରାଯାଉଛି, ସେହିଭଳି ପ୍ରଣାଳୀରେ (ଏସ୍. ଏସ୍. ଆଇ) ଆଖୁଚାଷ କଲେ ଅଳ୍ପ ଜଳ ବ୍ୟବହାର କରି ଅଧିକ ଅମଳ ମିଳିବ। ଏହି ପ୍ରଣାଳୀରେ ନର୍ସରିରେ ଚାରା ପ୍ରସ୍ତୁତ କରି ଜମିରେ ରୋପଣ କରାଯାଏ। ଦୁଇ ଧାଡ଼ି ମଧ୍ୟରେ ପାଣି ମଡ଼ାଇବା ପରିବର୍ତ୍ତେ ବୁନ୍ଦା ଜଳସେଚନ କରାଯାଏ। ସମନ୍ବିିତ ସାର ପ୍ରୟୋଗ ଓ ଅନ୍ତଃଫସଲ ଚାଷ କରି ଅଳ୍ପ ଖର୍ଚ୍ଚରେ ଉନ୍ନତ ଫସଲ ଓ ଅଧିକ ରୋଜଗାର ହୁଏ। ଚିନି କଳ ପକ୍ଷରୁ ଯୋଜନାବଦ୍ଧ ଭାବେ ଯୋଗାଇ ଦିଆଯାଉଥିବା ବିଭିନ୍ନ ଅବଧିର ବିହନ କିସମ ଓ କୃଷି ପରାମର୍ଶ ଚାଷୀମାନେ ଗ୍ରହଣ କଲେ ଅମଳ ହୋଇଥିବା ଆଖୁକୁ ଚିନି କଳ ଅବିଳମ୍ବେ ଗ୍ରହଣ କରିବା ସମ୍ଭବ ହେବ। ପ୍ରତ୍ୟେକ ଚିନି କଳକୁ ୪-୫ ମାସ ଯାଏ ଆଖୁ ଯୋଗାଣ ହୋଇ ପାରିଲେ, ଉଭୟ ଚାଷୀ ଓ କାରଖାନା ଉପକୃତ ହେବେ। ଟିସୁ କଲଚର୍ ପ୍ରଣାଳୀରେ ପ୍ରସ୍ତୁତ ଚାରା ବ୍ୟବହାର କରାଗଲେ ଅଧିକ ଅମଳ ସହିତ ଚାଷ ଖର୍ଚ୍ଚ କମି ପାରିବ। ଚୁକ୍ତିଭିତ୍ତିକ ଚାଷ ବ୍ୟବସ୍ଥାକୁ ଆଖୁ ଚାଷ କ୍ଷେତ୍ରରେ ବ୍ୟବହାର କଲେ, ଆଖୁ କିଆରିରେ ବୁନ୍ଦା ଜଳସେଚନ, ଡ୍ରୋନ ବ୍ୟବହାର କରାଯାଇ ସମନ୍ବିତ ସାର ଓ ପୋଷକ ପ୍ରୟୋଗ ସମ୍ଭବ ହୁଅନ୍ତା। ମରୁଡ଼ି, ବନ୍ୟା, ବିଭିନ୍ନ ବନ୍ୟଜନ୍ତୁ ଓ ରୋଗ ପୋକ କବଳରୁ ମଧ୍ୟ ଫସଲ ରକ୍ଷା ପାଆନ୍ତା। ଅବହେଳିତ ଆଖୁ ଚାଷୀଙ୍କ ଅର୍ଥନୈତିକ ବିକାଶ ଚାହୁଁଥିବା କୃଷକ ଓ ଶ୍ରମିକ ସଙ୍ଗଠନ ଏବଂ ସରକାର ଏ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୨୯୯୦୩୭

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe