Oneindia
ଗତ ମେ ମାସ ୨୫ ତାରିଖରୁ ଦେଶ ମଧ୍ୟରେ ସତର୍କତାର ସହ ଉଡ଼ାଜାହାଜ ଉଡ଼ାଣକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ କରୋନା ଭୟରେ ଖୁବ୍ କମ୍ ଯାତ୍ରୀ ଆକାଶ ମାର୍ଗରେ ଯାତାୟାତ କରୁଥିବାରୁ ଅନେକ ଏୟାରଲାଇନ୍ସ କଂପାନି ଯାତ୍ରୀ ଅଭାବ କାରଣରୁ ଉଡ଼ାଣ ରଦ୍ଦ କରିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ କେତେକ କଂପାନି ଏହାକୁ ଆଳ କରି ଚାଲବାଜି ସମ୍ବଳିତ ଚଞ୍ଚକତା କରୁଥିବା ଘଟଣା ପଦାକୁ ଆସିଛି। ଏହା ସମଗ୍ର ବେସାମରିକ ବିମାନ ଉଡ଼ାଣ ପ୍ରକରଣକୁ ସନ୍ଦିଗ୍ଧ କରି ପକାଇଛି।
ଚଞ୍ଚକତାଟି ଏହିପରି। ଉଦାହରଣ ସ୍ବରୂପ ଜଣେ ଯାତ୍ରୀ ଇଣ୍ଟରନେଟରେ ମୁମ୍ବାଇରୁ ମାଙ୍ଗାଲୋର ପର୍ଯ୍ୟନ୍ତ ଯିବାକୁ ଉପଲବ୍ଧ ବିମାନ ଯାତ୍ରା ସୂଚି ଦେଖି ଟିକଟଟିଏ କଲେ। ତେବେ ଯାତ୍ରାର ପୂର୍ବ ଦିନ ତାଙ୍କ ପାଖକୁ ଏସ୍ଏମ୍ଏସ୍ ଜରିଆରେ ଖବର ଆସିବ ଯେ ବିମାନଟି ଯାତ୍ରୀ ଅଭାବ କାରଣରୁ ବାତିଲ ହୋଇଯାଇଛି। କିନ୍ତୁ ଏହି ଗ୍ରାହକ ଜଣକ ଦେଇଥିବା ଟଙ୍କା ଫେରି ପାଇବେ ନାହିଁ। କାରଣ ତାହା ସେହି ବିମାନରେ ତାଙ୍କର ଭବିଷ୍ୟତ୍ର ଯାତ୍ରା ଲାଗି ଅଗ୍ରୀମ ଦେୟ ହୋଇ ରହିଯାଇଛି। ପରେ ଯଦି ଗ୍ରାହକ କେବେ ସେହି ବିମାନରେ ଯାତ୍ରା କରନ୍ତି, ତେବେ, ତାହା ସେ ବାବଦରେ ଖର୍ଚ୍ଚ ହେବ।
ଏହାକୁ କୁହାଯାଉଛି ‘କ୍ରେଡିଟ୍ ସେଲ୍’। ‘କ୍ରେଡିଟ୍ ସେଲ୍’ରେ ଟଙ୍କା ୭୩୦ ଦିନ ଆର୍ଥାତ୍ ଦୁଇ ବର୍ଷ ପର୍ଯ୍ୟନ୍ତ ରହିବା ପରେ ଯଦି ଗ୍ରାହକ ଖର୍ଚ୍ଚ କରି ନ ଥାଆନ୍ତି, ତେବେ ତାହା ଫେରି ପାଇବେ। ପ୍ରଥମ କଥା ତ ଏହା ବିମାନ କଂପାନିର ଏକଚାଟିଆ ବ୍ୟବହାର କାରଣରୁ ଗ୍ରାହକ ଅଧିକାରର ହନନ। କିନ୍ତୁ ଏଥିରେ ଯାହା ଆହୁରି ଉଦ୍ବେଗଜନକ ତାହା ହେଲା ଅନେକ କଂପାନିର ବିମାନ ମୁମ୍ବାଇରୁ ମାଙ୍ଗାଲୋରକୁ ସିଧାସଳଖ ଉଡ଼ାଣ କରୁ ନ ଥିବା ସତ୍ତ୍ବେ ଏଥି ଲାଗି ଟିକଟ କରି ଟଙ୍କା ଆଦାୟ କରୁଛନ୍ତିି। ଏଭଳି ଭୂତ ଉଡ଼ାଜାହାଜରେ ଯାତ୍ରାର ଲୋଭ ପ୍ରଦର୍ଶନ ଏକ କଞ୍ଚା ଠକାମି।
କରୋନା କାଳରେ ବିମାନ କଂପାନି କ୍ଷତିଗ୍ରସ୍ତ ହୋଇଛନ୍ତି ସତ, ସାଧାରଣ ନାଗରିକମାନେ ବି ଘୋର ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। ଏଭଳି ସ୍ଥଳେ ଦିନ ଦ୍ବି ପ୍ରହରରେ କରାଯାଉଥିବା ଠକାମି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବା ଉଚିତ ନୁହେଁ କି?
Follow Us