ଆଶାର କିରଣ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଆଶାର କିରଣ କିଭଳି ଦୁର୍ବିଷହ ସମୟରେ ମଧ୍ୟ ଜୀବନକୁ ରସମୟ କରିପାରେ, ତାହାର ଉଦାହରଣ ତାଙ୍କ ସ୍ମୃତି ଚରିତରେ ଲେଖିଛନ୍ତି ଆମେରିକୀୟ ଇହୁଦୀ ମନସ୍ତତ୍ତ୍ବବିତ୍ ଭିକ୍‌ଟର ଫ୍ରା‌େଙ୍କଲ।
ଅଷ୍ଟ୍ରିଆରେ ଜନ୍ମିତ ଫ୍ରାଙ୍କେଲ ତାଙ୍କ ପରିବାର ସହିତ ହିଟଲର ଦ୍ବାରା ଆୟୋଜିତ ଇହୁଦୀ ମାରଣ କାର୍ଯ୍ୟକ୍ରମରେ ଗୋଟିଏ ମରଣ ଶିବିରର ଅନ୍ତେବାସୀ ହୋଇଥିଲେ। ଶରୀରିକ ଓ ମାନସିକ ଅବସାଦ, ଆସନ୍ନ ମୃତ୍ୟୁର ଭୟ, ଅସହ୍ୟ ଥଣ୍ଡା ଓ ନିର୍ଯାତନା ସେମାନଙ୍କୁ ରୋଗଗ୍ରସ୍ତ ଓ ନିର୍ବେଦ କରି ରଖିଥିଲା। ସେମାନେ ରହୁଥିବା ପ୍ରକୋଷ୍ଠରୁ ଦିଶୁଥିଲା ଏକ ପ୍ରକାଣ୍ଡ ଚିମନି, ଯହିଁରୁ ଉଠୁଥିଲା ଘନକୃଷ୍ଣ ଧୂମ କୁଣ୍ଡଳି; ହିଟଲର ପରିକଳ୍ପିତ ଗ୍ୟାସ ଚାମ୍ବରକୁ ନିକ୍ଷେପିତ ଶହ ଶହ ଇହୁଦୀଙ୍କ ଦଗ୍‌ଧୀଭୂତ ଶରୀରରୁ ଉଠୁଥିବା ଧୂଆଁ।
ଦିନକର କଥା। ଏହି ଅନ୍ତେବାସୀମାନଙ୍କୁ ସ୍ଥାନାନ୍ତର କରାଗଲା। ଏକ ରେଳଗାଡ଼ିରେ ସେମାନେ ବୁହା ହୋଇ ଅନ୍ୟ ଏକ ଶିବିରକୁ ଗଲେ। ନିଶାର୍ଧରେ ଦୁର୍ବଳ ଓ ବୁଭୁକ୍ଷୁ ଇହୁଦୀ ଦଳ ପହଞ୍ଚିଲେ ନୂଆ ଶିବିରରେ। ସମସ୍ତେ ଚାରି ଆଡ଼କୁ ଚାହିଁ କିଛି ଦେଖିବାର ଉଦ୍ୟମ କରୁଥିଲେ। ସେହି ନୂଆ ଶିବିରରେ କୌଣସି ଚିମନି ଦିଶୁ ନ ଥିଲା।
ଫ୍ରାଙ୍କଲ ଲେଖିଛନ୍ତି ଯେ ଏତିକିରେ ଅନ୍ତେବାସୀମାନଙ୍କ ଶରୀରରେ ଯେମିତି ବଳ ଫେରି ଆସିଲା। ଧାଡ଼ିରେ ଛିଡ଼ା ହୋଇ ଜଣକ ପରେ ଜଣେ ପଂଜୀକୃତ ହେବା ବେଳେ ସେମାନେ ପରସ୍ପର ସହିତ ଥଟ୍ଟାମଜାରେ ଲାଗିଯାଇଥିଲେ। କାରଣ ଚିମନିର ଅନୁପସ୍ଥିତିର ଅର୍ଥ ମୃତ୍ୟୁର ଭୟ ନାହିଁ।
ଫ୍ରାଙ୍କେଲ ଲେଖିଛନ୍ତି ଯେ କାହା ମନରେ କିନ୍ତୁ ଆସି ନ ଥିଲା ଯେ ଗଭୀର ରାତିରେ ଦୃଷ୍ଟିଗୋଚର ହେଉ ନ ଥିବା ଚିମନି ହୁଏତ ସକାଳକୁ ଦିଶିଯାଇପାରେ। ସେ ଲେଖିଛନ୍ତି ଏହା ହିଁ ଆଶାର ଶକ୍ତି। ସେ ସବୁ କିଛି ଭୁଲାଇ ଦେଇ ନୂଆ ଜୀବନକୁ ଖୋଜେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe