ମୃତ୍ୟୁର ଦୂତ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଗୋଟିଏ ଗ୍ରାମ ଦେଇ ଯାଉଥିଲେ ଜଣେ ତରୁଣ ସାଧୁ। ଅଳ୍ପ ବୟସରୁ କିଛିଟା ସିଦ୍ଧି ହାସଲ କରିଥିବା ତରୁଣଙ୍କ ମନରେ ଟିକିଏ ଅହ˚କାର ଜାତ ହୋଇଥାଏ। ଯୁବ ସାଧୁ ଯାଉଥିବା ବେଳେ ବାଟରେ ଜଣେ ବୃଦ୍ଧ ତାଙ୍କୁ ଗୋଟିଏ ଫଳଗଛରୁ ପାଚିଲା ଫଳଟିଏ ତୋଳି ଦେବା ଲାଗି ଅନୁରୋଧ କଲେ। ସାଧୁ ଦେଖିଲେ ଯେ ବୃଦ୍ଧଙ୍କ ଚକ୍ଷୁ ଦ୍ବୟ ଲୋଭରେ ଚକ୍‌ ଚକ୍‌ କରୁଛି। କିନ୍ତୁ ତା ସହିତ ସେ ଆଉ ଯାହା ଦେଖିଲେ ତାହା ତାଙ୍କୁ ଟିକିଏ ବିଚଳିତ କରିଦେଲା। କାରଣ ବୃଦ୍ଧଙ୍କ ପଛ ପଟେ ଛାଇ ଭଳି ଛିଡ଼ା ହୋଇଥିଲା ମୃତ୍ୟୁ ଦୂତ। ସେ ମନେ ମନେ ଭାବିଲେ- ଧନ୍ୟ କହିବ ମଣିଷର ଲୋଭକୁ। ମୃତ୍ୟୁର ଏତେ ପାଖରେ, ଅଥଚ ଫଳ ଖାଇବାର ଲୋଭ ତୁଟୁନାହିଁ! ଏହା ଭାବୁଥିବା ବେଳେ ଅଜାଣତରେ ତାଙ୍କ ମୁହଁରୁ ହସ ବାହାରି ପଡ଼ିଲା।

ବୃଦ୍ଧ ଏହା ଦେଖିପାରି ପଚାରିଲେ- ହସିଲ କାହିଁକି? ଏଥିରେ ହସିବାର କ’ଣ ଅଛି?

ବୃଦ୍ଧଙ୍କ ଶାଣିତ କଣ୍ଠ ସ୍ବରରେ ଯୁବ ସାଧୁ ଚମକି ପଡ଼ି ଥତମତ ହୋଇ କହିପକାଇଲେ- ମହାଶୟ, ମୁଁ ଆପଣଙ୍କ ପଛରେ ମୃତ୍ୟୁର ଦୂତ ଛିଡ଼ା ହୋଇଥିବାର ଦେଖୁଛି। ତେଣୁ ମନରେ ଭାବନା ଆସିଲା- ଆସନ୍ନ ମୃତ୍ୟୁ ଆଗରେ ବି ଏ ଲୋଭ? ତେଣୁ ହସି ଦେଲି।

ଏହା ଶୁଣି ବୃଦ୍ଧ ଅଟ୍ଟହାସ୍ୟ କରି କହିଲେ- ନିର୍ବୋଧ! ମୁଁ ବି ତ ତୁମ ପଛରେ ମୃତ୍ୟୁର ଦୂତ ଛିଡ଼ା ହୋଇଥିବାର ଦେଖୁଛି। ମୁଁ ତ ସମସ୍ତଙ୍କ ପଛରେ ମୃତ୍ୟୁର ଦୂତକୁ ଦେଖିପାରେ। କିନ୍ତୁ ମୁଁ ତ ହସୁନାହିଁ? ମୃତ୍ୟୁର ଦୂତ ବୟସ ଦେଖେନା। ବୃଦ୍ଧ କି ତରୁଣ ବିଚାର କରେନା। ଏବେ ଫଳଟିଏ ତୋଳି ଦିଅ।

ତରୁଣ ସାଧୁ ବୃଦ୍ଧଙ୍କୁ ପ୍ରଣିପାତ କଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe