i-love-png.com
ଜଣେ ରାଜା ଫକିରଙ୍କୁ ପଚାରିଲେ- ଆପଣଙ୍କ ଭଳି ହେବି କେମିତି? ମୋ ପାଖରେ ସବୁ କିଛି ଅଛି। କିନ୍ତୁ ଆପଣଙ୍କ ଠାରେ ଥିବା ଭଳି ଉଛୁଳା ଆନନ୍ଦ ନାହିଁ।
ଫକିର ଥିଲେ ଯାଯାବର। ସେ କହିଲେ - ମହାରାଜ, ମୁଁ ତ ମୋ ବାଟରେ ଯାଉଛି। ତେବେ କେବଳ ଏତିକି କହିେଦଇ ଯାଉଛି ଗଦଗଦ ଆନନ୍ଦ ପାଇବାକୁ ହେଲେ ଗୋଟିଏ କଥା କରିବାକୁ ହେବ। ତାହା ହେଲା ମନରେ ଯେମିତି କିଛି ଇଚ୍ଛା ନ ରହେ ସେ ଦିଗରେ ଧ୍ୟାନ ଦେବାକୁ ହେବ।
ରାଜା ଭାବିଲେ- ଫକିର ଠିକ କହିଛନ୍ତି। ସେଥିଲାଗି ଫକିର ଭିକାରି ଭଳି ରହୁଥିଲେ ବି ମହାନନ୍ଦରେ ଅଛନ୍ତି। ତେଣୁ ମୋ ମନରୁ ଇଚ୍ଛା ଦୂର କରିବି। ଏ ସବୁ ଐଶ୍ବର୍ଯ୍ୟ, ଧନରତ୍ନ ଇତ୍ୟାଦି ତ୍ୟାଗ କରିବି।
ସତରେ ଆନନ୍ଦ ଗଦଗଦ ଜୀବନ କାଟିବାକୁ ଚାହୁଁଥିବା ରାଜା ସବୁ କିଛି ଛାଡ଼ିଦେଲେ। ମନ ଭିତରେ ଥିବା ସବୁ ଇଚ୍ଛାକୁ ମାରିଦେଲେ। ସେଥିଲାଗି ରୀତିମତ ସାଧନା କଲେ।
ଅନେକ ଦିନ ପରେ ଫକିର ସେଇ ବାଟେ ଫେରିଲେ। ରାଜାଙ୍କ ସହିତ ତାଙ୍କର ଦେଖା ହେଲା। ରାଜା ବି ଜଣେ ଫକିର ଭଳି ଦିଶୁଥିଲେ କିନ୍ତୁ ମୁହଁ ଶୁଖିଲା ଲାଗୁଥିଲା।
ରାଜା କହିଲେ- ଆପଣ କହିବା ମୁତାବକ ସବୁ ଇଚ୍ଛା ମାରିଦେଲି। ଆପଣଙ୍କ ଭଳି ହୋଇଗଲି। ତଥାପି ଆପଣଙ୍କ ଭଳି ଉଛୁଳା ଆନନ୍ଦ ମିଳିଲା ନାହିଁ।
ଫକିର କହିଲେ- ଆପଣଙ୍କ ମନରେ ତଥାପି ଗୋଟିଏ ଇଚ୍ଛା ରହିଛି। ତାହା ହେଲା ଆନନ୍ଦ ପାଇବାର ଇଚ୍ଛା। ତାକୁ ବି ମାରିବାକୁ ହେବ। ଆନନ୍ଦ ଲୋଡ଼ନ୍ତୁ ନାହିଁ। ତାହା ଆପେ ଆପେ ଆସିବ।
Follow Us