ସମୟ ଓ ଆଶା

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ଗୁରୁ ତାଙ୍କ ଅନୁଗାମୀଙ୍କୁ ପଚାରିଲେ- ଆମେମାନେ କାହିଁକି ପ୍ରାର୍ଥନା କରୁ?

ଅନୁଗାମୀ କହିଲେ- କାରଣ ଈଶ୍ବର ସର୍ବଶକ୍ତିମାନ। ସବୁ ତାଙ୍କ ଅଧୀନରେ। ତେଣୁ ଆମେ ଯାହା ପାଇବାକୁ ଚାହୁଁ, ତାହା ପାଇବା ଲାଗି ଈଶ୍ବରଙ୍କୁ ପ୍ରାର୍ଥନା କରୁ।

ଗୁରୁ କହିଲେ- କିନ୍ତୁ ଆମେ ଯାହା ମାଗୁ, ସବୁ ପାଉ କି? ଭଲ ଭାବେ ଚିନ୍ତା କରି କୁହ।

ଅନୁଗାମୀ ଟିକିଏ ନିରବ ରହିବା ପରେ କହିଲେ- ଈଶ୍ବର କିଛି କିଛି ଦିଅନ୍ତି।

ଗୁରୁ କହିଲେ- ଏମିତି ବି ହତଭାଗ୍ୟ ବ୍ୟକ୍ତି ଆମ ଭିତରେ ଅଛନ୍ତି ଯେଉଁମାନେ ଭଗବାନଙ୍କୁ ନିୟମିତ ପ୍ରାର୍ଥନା କରି ଆକୁଳ ଭାବେ ନିଜ ଦୁଃଖ ଜଣାଉଥିଲେ ବିଶେଷ କିଛି ପାଆନ୍ତି ନାହିଁ, ବହୁତ କିଛି ହରାନ୍ତି। ଅନେକ ଲୋକ ଏହା କହି ପ୍ରାର୍ଥନା କରନ୍ତି ଯେ ପ୍ରଭୁ ତୁମେ ରଖିଲେ ରଖିବ, ମାରିଲେ ମାରିବ। ସବୁ ତୁମରି ଇଚ୍ଛା। ତା ଅର୍ଥ ଭଗବାନ ରଖିବାର ଗ୍ୟାରେଣ୍ଟି ଦିଅନ୍ତି ନାହିଁ। ତେବେ ବି କାହିଁକି ଆମେ ପ୍ରାର୍ଥନା କରୁ?

ଅନୁଗାମୀ ଟିକିଏ ଚିନ୍ତା କଲେ ଓ କହିଲେ- ମୁଁ ଭାବୁଛି ଈଶ୍ବର ଦୁଇଟି ଚମତ୍କାର ଔଷଧ ଆମକୁ ଦେଇଛନ୍ତି। ଗୋଟିଏ ହେଲା ସମୟ ଓ ଦ୍ବିତୀୟଟି ହେଉଛି ଆଶା।

ବେଳେବେଳେ ଜଣକର ସବୁ କିଛି ସରିଯାଏ, ହତାଶାର ଅନ୍ଧାରରେ ସେ ଡୁବିଯାଏ। କିନ୍ତୁ ସମୟର ସ୍ରୋତରେ କ୍ରମେ କଷ୍ଟର ଦାଗ ଫିକା ପଡ଼ିଆସେ। ଏଭଳି ଫିକା ପଡୁଥିବା ବେଳେ ପୁଣି ନୂଆ ଆଶାର ଉଦ୍ରେକ ହୁଏ। ସେ ଭାବେ ବୋଧହୁଏ ଈଶ୍ବରଙ୍କ ଭିଆଣ ପଛରେ କିଛି ମହତ୍‌ ଉଦ୍ଦେଶ୍ୟ ଥିଲା। ସେଥି ଲାଗି ପୁଣି ସେ ଭଗବାନଙ୍କୁ ଡାକେ।

ଗୁରୁ କହିଲେ- ତୁମେ ଠିକ୍‌ କହିଛ। ସମୟ ଓ ଆଶା ରୂପକ ଦୁଇ ନଦୀ ଆମ ସମସ୍ତଙ୍କ ଲାଗି ଅମୃତତୁଲ୍ୟ। ଏ ଦୁଇଟିର ବ୍ୟବସ୍ଥା କରି ଥିବାରୁ ଆମେ କୃତଜ୍ଞତା ଜଣାଇ କେବଳ ପ୍ରାର୍ଥନା କରିବା ଉଚିତ ଯେ ଯାହା ହେଉ ପ୍ରଭୁ ତୁମେ ଏ ଯୋଡ଼ିକ ଦେଇଛ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe