ତରୁଣ ଓ ତିନି ମହିଳା

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ତରୁଣ ସନ୍ନ୍ୟାସୀ ହେବା ଲାଗି ଘର ଛାଡ଼ି ବାହରିଗଲା। ଚାଲି ଚାଲି ହାଲିଆ ଲାଗିବାରୁ ଏକ ନଈ କୂଳରେ ଟିକିଏ ଗଡ଼ି ପଡ଼ିଲା। ନିଜ ଚପଲ ହଳକୁ ପାଖରେ ଥୋଇ ମୁଣ୍ଡ ତଳେ ଗୋଟିଏ ପଥରକୁ ତକିଆ ଭାବେ ବ୍ୟବହାର କରି ପବନ ଖାଉଥିବା ବେଳେ ତିନି ଜଣ ସ୍ତ୍ରୀ ଲୋକ ନଈକୁ ପାଣି ନେବା ଲାଗି ଆସିଲେ।

ତରୁଣ ସନ୍ନ୍ୟାସୀକୁ ଦେଖି ଜଣେ ମହିଳା କହିଲେ- ୟେ କ’ଣ ସାଧୁ ହେବ, ୟା’କୁ ତ ଶୋଇଲା ବେଳେ ତକିଆ ଦରକାର ପଡୁଛି?

ଏହା ଶୁଣି ତରୁଣଟି ଉଠି ବସିଲା। ତା’ ପରେ ସେଠାରୁ ଯିବାକୁ ବାହାରିଲା। ଯିବା ବେଳେ ଚପଲ ପିନ୍ଧିବାକୁ ଆରମ୍ଭ କଲା ମାତ୍ରକେ ଆଉ ଜଣେ ମହିଳା କହିଲେ- ତୁମେ ଠିକ୍‌ କହିଛ! ୟେ ସନ୍ନ୍ୟାସୀ ହେବା ଲାଗି ତ ବାହାରି ଆସିଛି; କିନ୍ତୁ ଦେଖୁନା, ଚପଲ ନ ପିନ୍ଧିଲେ ପାଦେ ବି ଚାଲୁ ନାହିଁ!

ଏହି କଥାରେ ତରୁଣ ଭାବିଲା ସତେ ତ! ଏହା ଜଣେ ସନ୍ନ୍ୟାସୀର ଗୁଣ ନୁହେଁ। ତେଣୁ ସେ ସେହି ଠାରେ ଚପଲ ତ୍ୟାଗ କରି ଆଗକୁ ବଢ଼ିଲା।

ଏତିକି ବେଳେ ତୃତୀୟ ମହିଳାଙ୍କ କଥା ତା’ କାନରେ ବାଜିଲା। ‌

ସେ କହୁଥିଲେ- ତକିଆ କି ଚପଲ ଜଣକର ସନ୍ନ୍ୟାସୀ ହେବା ପଥରେ ବାଧା ଦେବ ନାହିଁ। ଯାହା ବାଧା ଦେବ ତାହା ହେଉଛି ନିସ୍ପୃହ ରହି ପାରୁ ନ ଥିବା ମନ। ଏ ତ ସମସ୍ତଙ୍କ କଥା ଶୁଣି ସେହି ଅନୁରୂପେ କାମ କରୁଛି, ୟେ କ’ଣ ସନ୍ନ୍ୟାସୀ ହେବ?

ତୃତୀୟ ମହିଳାଙ୍କ କଥାଟି ତରୁଣର ଚେତନାକୁ ଯେମିତି ଆଲୋକିତ କରିଦେଲା। ଏବେ ସେ ବୁଝିଲା ଯେ ଏକ ବହିର୍ମୁଖୀ ଏବଂ ବିକ୍ଷିପ୍ତ ମନ କେବଳ ତାକୁ ତା ଲକ୍ଷ୍ୟ ପୂରଣରେ ବାଧକ ସାଜିବ।

ତେଣୁ ସେ ନିଜ ମନକୁ ଏକାଗ୍ର କରି ଧ୍ୟାନସ୍ଥ ହେବାକୁ ବଦ୍ଧପରିକର ହେଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe