ଜଣେ ଚାଷୀଙ୍କ ଠାରୁ ଜଣେ ପାଉଁରୁଟିବାଲା ନିୟମିତ ଭାବେ ଅଢ଼େଇ ଶହ ଗ୍ରାମ୍ର ଲହୁଣି କିଣୁଥିଲେ। କୌଣସି ଦିନ କିନ୍ତୁ ସେ ଲହୁଣିର ଓଜନ କରୁ ନ ଥିଲେ। ଦିନେ ତାଙ୍କ ମନକୁ କ’ଣ ଆସିଲା କେଜାଣି, ଚାଷୀ ଦେଇଥିବା ଲହୁଣିକୁ ଓଜନ କଲେ। ସେଥିରୁ ଦେଖାଗଲା ଯେ ଚାଷୀ ତାଙ୍କୁ କମ୍ ଓଜନର ଲହୁଣି ଦେଉଛନ୍ତି। ଏହା ତାଙ୍କୁ ଏଭଳି କ୍ଷୁବ୍ଧ କଲା ଯେ ସେ ସିଧାସଳଖ ବିଚାରପତିଙ୍କ ନିକଟକୁ ଯାଇ ଅଭିଯୋଗ କଲେ ଯେ ଗଲା ଅନେକ ବର୍ଷ ଧରି ଚାଷୀ ତାଙ୍କୁ ଠକି ଆସୁଛନ୍ତି।
ବିଚାରପତି ଚାଷୀଙ୍କୁ ଡକାଇ ଏ ବିଷୟରେ ପଚାରିଲେ।
ଚାଷୀ କହିଲେ- ମୁଁ ଆଦୌ କୌଣସି ଠକାମି କରି ନାହିଁ। ପ୍ରତି ଦିନ ଓଜନ କରି ହିଁ ଲହୁଣି ଦେଉଛି।
ବିଚାରପତି ପଚାରିଲେ- ଲହୁଣି କେମିତି ଓଜନ କରୁଛ ବତାଅ!
ଚାଷୀ କହିଲେ- ମୁଁ ଗରିବ ଲୋକ। ମୋ ପାଖରେ ବଟକରା ନାହିଁ। ପୁରୁଣା ନିକିତିଟିଏ ଅଛି। ତେବେ ପ୍ରତିଦିନ ମୁଁ ଏହି ପାଉଁରୁଟି ବାଲାଙ୍କ ଠାରୁ ଅଢ଼େଇ ଶହ ଗ୍ରାମର ପାଉଁରୁଟି କିଣେ। ତାକୁ ହିଁ ବଟକରା ଭାବେ ବ୍ୟବହାର କରି ଲହୁଣି ଓଜନ କରି ତାଙ୍କୁ ଦିଏ।
ବିଚାରପତି ଟିକିଏ ଅଟକି ଗଲେ। ସେ କହିଲେ- ତା’ ମାନେ ପାଉଁରୁଟି ବିକାଳି ହିଁ ମୂଳରୁ ଓଜନରେ ଠକି ଚାଲିଛନ୍ତି, ଅଥଚ ନିଜ ତ୍ରୁଟି ନ ଦେଖି ଚାଷୀଙ୍କ ଦୋଷ ଦେଖୁଛନ୍ତି!
ସେ ପାଉଁରୁଟି ବାଲାଙ୍କୁ ଭର୍ତ୍ସନା କରି ବିଦା କଲେ।
Follow Us