ଜଣେ ଚାଷୀର ଦୁଇଟି ବଳଦ ଥିଲେ। ସେମାନଙ୍କୁ ଚାଷୀ ବହୁତ ଖଟାଉଥିଲା। ବଳଦ ଦୁଇଟି ଖଟି ଖଟି ନୟାନ୍ତ ହୋଇଯାଉଥିଲେ।
ଏମିତି ଏକ ପରିସ୍ଥିତିରେ ଜଣେ ସନ୍ଥ ସେଇ ବାଟ ଦେଇ ଗଲେ ଯେ ପଶୁପକ୍ଷୀଙ୍କ ମନର କଥା ବୁଝିପାରୁଥିଲେ। ସେ ଏଇ ବଳଦ ଦୁଇଟିଙ୍କ ମନ କଷ୍ଟ କଥା ବୁଝିପାରିଲେ ଏବ˚ ସେମାନଙ୍କୁ କହିଲେ- ଈଶ୍ବରଙ୍କୁ ପ୍ରାର୍ଥନା କର। ଦେଖିବ ତୁମ କଷ୍ଟ ଲାଘବ ହୋଇଛି।
ଦୁଇଟି ଯାକ ବଳଦ ତାଙ୍କ କଥା ମାନି ଈଶ୍ବରଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ। କିଛି ଦିନ ପରେ ଦେଖାଗଲା ଯେ ଗୋଟିଏ ବଳଦ ମନ ଖୁସିରେ ଥିବା ବେଳେ ଆରଟି ଆହୁରି ଦୁଃଖିତ ହୋଇ କେବଳ ଦୀର୍ଘଶ୍ବାସ ଛାଡୁଛି। ଦିନେ ଦୁଃଖୀ ବଳଦ ଖୁସି ଥିବା ବଳଦକୁ କହିଲା- ସେଇ ବାବା ଆମ ଦୁହିଁଙ୍କୁ ଗୋଟିଏ ଉପଦେଶ ଦେଇଥିଲେ। କିନ୍ତୁ ଏମିତି କଅଣ ହେଲା ଯେ ତୋ ପ୍ରାର୍ଥନା ଭଗବାନ ଶୁଣିଲେ ଅଥଚ ମୋର ଶୁଣୁନାହାନ୍ତି। କାରଣ ତୋ ମନ ଖୁସି ରହୁଥିବା ମୁଁ ଦେଖୁଛି, ଅଥଚ ମୋ ମନ କଷ୍ଟ ଦିନକୁ ଦିନ ବଢ଼ିବାରେ ଲାଗିଛି।
ଏହା ଶୁଣି ପ୍ରଫୁଲ୍ଲିତ ବଳଦ କହିଲା- ତୁ ଭଗବାନଙ୍କୁ ପ୍ରାର୍ଥନା କରି କଅଣ କହୁଛୁ କି?
ଦୁଃଖୀ କହିଲା- ମୁଁ ପ୍ରଭୁଙ୍କୁ ପ୍ରତିଦିନ ଏହା କହୁଛି ଯେ ପ୍ରଭୁ ବହୁତ ହୋଇଗଲା। ଏବେ ମୋ ଜୀବନରୁ ଏ କଷ୍ଟ ଦୂର କର।
ଏହା ଶୁଣି ଆର ବଳଦ କହିଲା- ଆରେ ତାହା କଅଣ କେବେ ସମ୍ଭବ? ଆମ ଜୀବନରୁ କଷ୍ଟ ଦୂର ହେବ କେମିତି? ମୁଁ କିନ୍ତୁ ଅଲଗା କଥା ପ୍ରଭୁଙ୍କୁ ମାଗୁଛି। ମୁଁ କହୁଛି ପ୍ରଭୁ, ଦୁଃଖ ଭୋଗ ତ ମୋ ଭାଗ୍ୟରେ ଅଛି। ତେବେ ସବୁ କଷ୍ଟ ସହିବାର ବଳ ମୋ କାନ୍ଧକୁ ଦିଅ। ପ୍ରତି ଦିନ ଭଗବାନଙ୍କୁ ଏହା କହି କାମ କଲେ ବଳ ମିଳୁଛି।
Follow Us