ଦୁଇ ସହଯୋଗୀଙ୍କ ଭିତରେ ଭଲ ପଡ଼ିଲା ନାହିଁ। ସେମାନଙ୍କ ଭିତରେ ମତାନ୍ତର ହୋଇ ତାହା ମନାନ୍ତର ସ୍ତରରେ ପହଞ୍ଚିଲା। ଜଣେ ଅନ୍ୟ ଜଣଙ୍କର ଗୋଛି କାଟିବାକୁ ଚାହିଁଲା।
ସେଥିଲାଗି ସେମାନେ ଦୁହେଁ ନିଜ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ନିଜ ନିଜ ସୁବିଧା ସମୟରେ ଗଲେ। ପ୍ରଥମେ ଅଧିକାରୀଙ୍କ ଗୁଣ ଗାନ କରି ତାଙ୍କର ନିକଟସ୍ଥ ହେବାର ଉଦ୍ୟମ କଲେ। ତା’ ପରେ କିଛି ଦିନ ପରେ ସେମାନେ ସନ୍ତର୍ପଣରେ ପରସ୍ପର ବିରୋଧରେ ଗୋଇ ଖୋଳିବାକୁ ଲାଗିଲେ।
ଦିନେ ଅଧିକାରୀ ଜଣକ ଜଣଙ୍କୁ କହିଲେ- ଦୁଇ ଦିନ ତଳେ ତୁମ ସହଯୋଗୀ ମୋ ପାଖକୁ ଆସିଥିଲେ। ତୁମେ ତାଙ୍କ ବିରୋଧରେ ଯାହା ଯାହା ଅଭିଯୋଗ କରୁଛ ସେ ତୁମ ବିରୋଧରେ ତାହା ତାହା କହି ଯାଇଥିଲେ। ସେ କହିଥିଲେ ଯେ ତୁମେ ଦାୟିତ୍ବଶୂନ୍ୟ, ସମ୍ବେଦନଶୂନ୍ୟ, ଅଯଥା କଳି ସୃଷ୍ଟିକାରୀ, କଟୁ ଭାଷୀ ଇତ୍ୟାଦି। ସେ ଆହୁରି କହୁଥିଲେ ଯେ ତୁମେ ଅସାଧୁ।
ଏ କଥା ଶୁଣି ଦ୍ବିତୀୟ ବ୍ୟକ୍ତି ଜଣକ ଉଚ୍ଚ ସ୍ବରରେ କହିଲେ- ସେ ମୋ ବିଷୟରେ ଏମିତି କହୁଥିଲା ଟି! ଏବେ ବୁଝନ୍ତୁ ତା’ର ଚରିତ୍ର। ଆପଣ ତାକୁ ଶୀଘ୍ର ଏଠାରୁ ହଟାନ୍ତୁ ତ!
ଏହା ଶୁଣି ଉପରିସ୍ଥ ଅଧିକାରୀ କହିଲେ- ଏତେ ଦିନ ଧରି ତୁମେ ଆଉ ଅଲଗା କ’ଣ କରୁଥିଲ କି? ତୁମେ ବି ତ ତା’ ବିରୋଧରେ ସେୟା କହୁଛ! ତୁମ ଦୁହିଁଙ୍କ ଦୋଷ ହେଲା ତୁମେ ଦୁଇଜଣ ଯାକ ନିଜକୁ ଦେଖିବାରେ ଏତେ ଅନ୍ଧ ଯେ କେବଳ ଅନ୍ୟର ଦୋଷ ବାହାର କରିବାରେ ବ୍ୟସ୍ତ। ଦୁହେଁ ଏବେ ନିଜକୁ ଦେଖ ଓ ଜାଣ ଯେ କେହି କାହାଠାରୁ ବିଶେଷ ଅଲଗା ନୁହେଁ। କବୀର ଆମ ଭଳି ଦୋଷଦର୍ଶୀଙ୍କ ଲାଗି କହି ନ ଥିଲେ କି ଅନ୍ୟର ଖରାପ ଖୋଜିବାକୁ ଯାଇ ପାଇଲି ଯେ ମୋ ଠାରୁ ଖରାପ କେହି ନାହିଁ! ଏ କଥାକୁ ଧ୍ୟାନରେ ରଖ।
କଥାଟିଏ-ଯାଯାବର: ଦୋଷଦର୍ଶୀଙ୍କ ପାଇଁ
Advertisment
Follow Us