ମରୁଭୂମିରେ ଯାଉଥିଲେ ଜଣେ ପଥିକ। ତାଙ୍କ ନିକଟରେ ପାଣି ସରି ଯାଇଥାଏ। ଚାରିଆଡ଼େ କେବଳ ବାଲି ଆଉ ବାଲି। ଟୋପାଏ ପାଣିର ଆଶ୍ବାସନା କେଉଁଠି ହେଲେ ନ ଥାଏ। ପଥିକ ଅତ୍ୟନ୍ତ ତୃଷାର୍ତ୍ତ। ହଠାତ ତାଙ୍କୁ ଦିଶିଗଲା ଏକ ଘର। ସାମାନ୍ୟ ଆଶା ନେଇ ସେ ତା’ ଭିତରକୁ ଢୁକିଲେ।
ଘରଟି ଥିଲା ସଂପୂର୍ଣ୍ଣ ପରିତ୍ୟକ୍ତ। କିନ୍ତୁ ସେଠି ପାଣି ପଂପ୍ଟିଏ ଥିଲା। ପଂପ୍ ସହିତ ଦଉଡ଼ିରେ ବନ୍ଧା ଥିଲା ଗୋଟିଏ ପାଣି ଭରା ବୋତଲ। ବୋତଲରେ ଝୁଲିଥିଲା ଗୋଟିଏ କାଗଜ ଯାହା ଉପରେ ଲେଖା ଥିଲା: ‘ଏହି ପାଣିକୁ ପଂପ୍ର ଶୁଷ୍କ ନଳରେ ପୂରାଇ ଚାଲୁ କରନ୍ତୁ। ପାଣି ଉଠିବ।’
ପଥିକ ଦ୍ବନ୍ଦ୍ବରେ ପଡ଼ିଗଲେ। କଣ୍ଠରେ ଅସମ୍ଭବ ତୃଷା। ହାତରେ ପାଣି ଭରା ବୋତଲ। ଅଥଚ, ତାକୁ ବ୍ୟବହାର କରି ପଂପ ଚାଲୁ କରିବାର ପରାମର୍ଶ, ଯାହା ସଫଳ ହେବ କି ନାହିଁ ସନ୍ଦେହ!
ପଥିକ ଭାବିଲେ ସରଳ ବିଶ୍ବାସ ସ୍ଥାପନ କରିବାକୁ ହେବ। ତା’ ନ ହେଲେ ଅଲୌକିକତା ସମ୍ଭବ ନୁହେଁ। ସୁତରାଂ, ପଂପର ନଳ ଭିତରକୁ ବୋତଲର ପାଣିତକ ନିଗାଡ଼ି ଦେଇ ସେ ତାକୁ ଚାଲୁ କଲେ। ଘର୍ଘର ଶବ୍ଦ ସହିତ ପଂପ ଚାଲିଲା ଏବଂ ଜଳର ଫୁଆରା ଛୁଟିଲା। ପଥିକ ପାଣି ପିଇ ତୃଷା ମେଣ୍ଟାଇଲେ। ପାଖେର ଥିବା ଜଳମୁଣିକୁ ପୂର୍ଣ୍ଣ କଲେ ଏବଂ ଶେଷରେ ସେହି ବୋତଲରେ ପାଣି ପୂରାଇ ରଖି ଦେଇ ଆସିଲେ।
ଏବେ ସେ ଭାବୁଥିଲେ ଯେ ତାଙ୍କ ପୂର୍ବବର୍ତ୍ତୀ ପଥିକ ମଧ୍ୟ ସରଳ ବିଶ୍ବାସ ସ୍ଥାପନ କରିଥିବ ବୋଲି ସେ ଜଳର ଆଶୀର୍ବାଦ ଲାଭ କଲେ। ଏଣିକି ତାଙ୍କ ପରବର୍ତ୍ତୀ ପଥିକ ସେଠାରେ ପହଞ୍ଚି ବିଶ୍ବାସର ଦୋଛକିରେ ଛିଡ଼ା ହୋଇ ଯାହା ନିଷ୍ପତ୍ତି ନେବ, ତା’ରି ଉପରେ ନିର୍ଭର କରିବ ଜଳ ଉତ୍ସର ନିରନ୍ତରତା।
କଥାଟିଏ-ଯାଯାବର: ସରଳ ବିଶ୍ବାସ
Advertisment
Follow Us