ପ୍ରକୃତ ସଫଳତା

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ରାଜାଙ୍କ ଦରବାରକୁ ଆସିଲେ ଜଣେ ଯୁବକ। ସେ କହିଲେ- ମୁଁ ଗୋଟିଏ ଅଦ୍ଭୁତ ଖେଳ ଦେଖାଇବି ଯେଉଁଥିରେ ସାଧାରଣ ମନୁଷ୍ୟର ସାମର୍ଥ୍ୟକୁ ଅତିକ୍ରମ କରିବାକୁ ଚେଷ୍ଟା କରିବି। ସେଇ ଖେଳରେ ଦୁଇ ପାହାଡ଼ର ଚୂଡ଼ାରୁ ବନ୍ଧା ହେବ ଦଉଡ଼ିଟିଏ। ସୁ ସୁ ପବନରେ ସେ ଦଉଡ଼ିଟି ପ୍ରବଳ ଭାବେ ଆନ୍ଦୋଳିତ ହେଉଥିବ। ଏଣେ ମୋ ଆଖିରେ ଅତି ଜୋରରେ କଳା ପଟିଟିଏ ଭିଡ଼ା ହୋଇଥିବ ଯେମିତି କି ମୋତେ କିଛି ଦିଶୁ ନ ଥିବ। ସେଇ ସ୍ଥିତିରେ ମୁଁ ସେଇ ଦଉଡ଼ି ଉପରେ ଚାଲି ଗୋଟିଏ ପର୍ବତରୁ ଅନ୍ୟ ପର୍ବତକୁ ଯିବି। ତଳକୁ ପଡ଼ିଗଲେ ମୋ ପ୍ରାଣ ଯିବା ନିଶ୍ଚିତ। ଆପଣ ଅନୁମତି ଦିଅନ୍ତୁ। ରାଜା ସମ୍ମତି ଜଣାଇଲେ।
ଏହାର କିଛି ସମୟ ପରେ ଯୁବକର ମାଆ ଆସି ନେହୁରା ହୋଇ କହିଲେ- ମହାରାଜ, ମୋ ପୁଅ ଏହି ସାମର୍ଥ୍ୟ ହାସଲ କରିବା ଲାଗି ଦିନ ରାତି ଅଭ୍ୟାସ କରିଛି। କିନ୍ତୁ ଅଭ୍ୟାସ ବେଳେ ନିରାପତ୍ତା ଲାଗି ତା’ ଦେହରେ ଦଉଡ଼ିଟିଏ ଏମିତି ଭାବେ ବନ୍ଧା ଯାଇଥାଏ ଯେ ସେ ଖସି ପଡ଼ିଲେ ତଳେ ନ ପଡ଼ି ଝୁଲି ରହେ। ଅଭ୍ୟାସ ବେଳେ ସେ ଅନେକ ଥର ବିଫଳ ହୋଇଛି, କିନ୍ତୁ ଦଉଡ଼ିଟି ହେତୁ ବଞ୍ଚି ଯାଇଛି। ଏବେ ତା’ ଲାଗି ଅନ୍ତତଃ ସେମିତି ଦଉଡ଼ିଟିଏର ବ୍ୟବସ୍ଥା କରନ୍ତୁ।
ମାଆ ଚାଲିଗଲା ପରେ ରାଜା ଯୁବକକୁ ଡକାଇ ସେଇ କଥା କହିଲେ। ହେଲେ ଯୁବକ ବିନମ୍ରତାର ସହ କହିଲା- ମୋ ମା’ଙ୍କ କଥାକୁ ଶୁଣନ୍ତୁ ନାହିଁ। ମୋତେ ଅନୁମତି ଦିଅନ୍ତୁ।
ପର ଦିନ ଶହ ଶହ ଲୋକଙ୍କ ଉପସ୍ଥିତିରେ ଯୁବକ ସେ ଅଦ୍ଭୁତ ଖେଳକୁ ଅତି ସଫଳତାର ସହିତ ପ୍ରଦର୍ଶନ କଲେ। ରାଜା ତାଙ୍କୁ ସମ୍ମାନିତ କଲା ବେଳେ ସେ କହିଲେ- ମହାରାଜ, ଅଭ୍ୟାସ ବେଳର ସେ ସୁରକ୍ଷା ଦଉଡ଼ିଟି ମୋ ପ୍ରାଣ ରକ୍ଷା କଲା ବୋଲି ମୁଁ ଅନେକ ଥର ବିଫଳ ହୋଇଥିବା ସତ୍ତ୍ବେ ତାହା ଜାରି ରଖି ଏଥିରେ ଦୋରସ୍ତ ହେଲି। କିନ୍ତୁ ତାହା ସବୁ ଦିନ ଲାଗି ମୋର ଅବଲମ୍ବନ ହେଲେ ତାହା ମୋର ଦୁର୍ବଳତା ହେବ। ତେଣୁ ଦିନେ ମୋ‌େତ ଏମିତି ଚାଲିବାର ଥିଲା, ଯହିଁରେ ବିଫଳତାର ଅର୍ଥ ହେବ ମୃତ୍ୟୁ। ଏଭଳି ଚାଲିବା ଫଳରେ ମୁଁ ପ୍ରକୃତରେ ସଫଳ ହୋଇପାରିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe