ଜେନ୍ ଗୁରୁ ଗୋକୁଜୁଙ୍କ ଆଶ୍ରମକୁ ଆସିଲା ଜଣେ ଯୁବକ। ଗୋକୁଜୁ ଆଶ୍ରମର ବାରଣ୍ଡାରେ ସହର୍ଷ ବସିଥିଲେ। ଯୁବକ କହିଲା- ଆପଣଙ୍କ ସୁନାମ ଶୁଣି ଆପଣଙ୍କ ପାଖକୁ ଆସିଲି। ଅାପଣଙ୍କୁ ଗୁରୁ ବୋଲି ମାନି ଆପଣଙ୍କ ଆଶ୍ରମରେ ରହିବି। ମୋତେ ଜ୍ଞାନ ପ୍ରଦାନ କରନ୍ତୁ।
ଗୋକୁଜୁ କହିଲେ- ଆଗ ବସି ପଡ଼ ଏବଂ ତା’ ପରେ ଶୁଣ। ମୁଁ ତ ନିଜେ କିଛି ଜାଣେନାହିଁ, ତୁମକୁ କି ଜ୍ଞାନ ଦେବି।
ଯୁବକ କହିଲା- ଆଜ୍ଞା କପଟ କରନ୍ତୁ ନାହିଁ। ଆପଣ ଜଣେ ମହାନ ଗୁରୁ। ଶ୍ରେଷ୍ଠ ପଣ୍ତିତ ଭାବେ ଆପଣଙ୍କ ଖୁବ୍ ନାମ ଡାକ। ଏତେ ପୁସ୍ତକ, ଗ୍ରନ୍ଥ, ପୋଥି ଆପଣ ପଢ଼ିଛନ୍ତି। ସମସ୍ତେ କହନ୍ତି ଯେ ଗୋକୁଜୁଙ୍କ ଭଳି କେହି ଜ୍ଞାନୀ ନାହାନ୍ତି। ଅଥଚ ଆପଣ ଏମିତି କହୁଛନ୍ତି କେମିତି?
ଗୋକୁଜୁ କହିଲେ- ବାବୁ ସେଇ ତ କଥା। ମୁଁ ଯେତେବେଳେ ତୁମ ବୟସର ଥିଲି, ସେତିକି ବେଳେ ଜ୍ଞାନ ପିପାସୁ ହୋଇ ସବୁ କିଛି ପଢ଼ିଗଲି। ଜ୍ଞାନୀ ହେବା ସହିତ ଭାବିଲି ଯେ ମୁଁ ସବୁ ଜାଣେ। କିନ୍ତୁ ପରେ ବୁଝୁଛି ଯେ କୌଣସି ବିଦ୍ୟା ସ˚ପୂର୍ଣ୍ଣ ନୁହେଁ। କୌଣସି ତର୍କ ସିଦ୍ଧ ନୁହେଁ। କୌଣସି ବାଦ ଏକାନ୍ତ ଭାବେ ସତ୍ୟ ନୁହେଁ। ସତ୍ୟ ବି ସଦାବେଳେ ସତ୍ୟ ନୁହେଁ, ମିଥ୍ୟା ବି ମିଥ୍ୟା ନୁହେଁ। ତା’ ଛଡ଼ା ଆମେ ଆହରଣ କରି ପାରିଥିବା ଜ୍ଞାନ ଆହୁରି ସୀମିତ। ପୁଣି ବଡ଼ କଥା ହେଲା ଏହା ଆମ ନିଜସ୍ବ ଜ୍ଞାନ ନୁହେଁ, ଅନ୍ୟର ଜ୍ଞାନ ଯାହା ଗ୍ରନ୍ଥ ଓ ପୋଥି ପଢ଼ି ଆମେ ମୁଖସ୍ଥ ଓ କଣ୍ଠସ୍ଥ କରିଛୁ। ଏମିତି ସ˚ଶୟରେ ଥିବା ବେଳେ ମୋର ଜ୍ଞାନୋଦୟ ହେଲା ଯେ ମୁଁ ଅନେକ କିଛି ଜାଣିଛି ବୋଲି ଭାବୁଛି ସିନା, ହେଲେ କିଛି ଜାଣେନାହିଁ।
ଯୁବକ ଏହା ଶୁଣି ତଟସ୍ଥ ହୋଇଗଲା ଏବଂ କହିଲା- ମୁଁ ଧନ୍ୟ ହୋଇଗଲି। ମୋର ବି ଜ୍ଞନୋଦୟ ହେଲା। ଏ ଜ୍ଞାନ କୌଣସି ପୋଥିରୁ ମିଳିବ ନାହିଁ।
ଗୋକୁଜୁ କହିଲେ- ଏବେ ତାହା ହେଲେ ଆଶ୍ରମରେ ରହ।
ଗୋକୁଜୁ ଓ ଯୁବକ
Advertisment
Follow Us