ଜଣେ ସାଧୁ ଥିଲେ। ଥରେ ଜଣେ ଯୁବକ ତାଙ୍କ ନିକଟକୁ ଆସି ପ୍ରଣାମ କରି କହିଲା- ମହାତ୍ମା, ମୁଁ ଆପଣଙ୍କ ଜଣେ ଭକ୍ତ। ମୋତେ ଆପଣ ଆଶୀର୍ବାଦ କରନ୍ତୁ।
ସାଧୁ କହିଲେ- ଆରେ ବାବୁ, ତୁମେ ଯାହା କହିଲ ଶୁଣିବାକୁ ତ ଭଲ ଲାଗୁଛି, କିନ୍ତୁ ପ୍ରକୃତରେ ତାହା ଭଲ କଥା ନୁହେଁ। କାରଣ ତୁମେ ଏ ଭିତରେ ବେଶ୍ ବିପଜ୍ଜନକ ହୋଇଯାଇଛ। ତେଣୁ, ବାବା ଏଇଠାରୁ ଏବେ ଫେରିଯାଅ।
ଯୁବକର ମନ ଖଟା ହୋଇଗଲା। ସେ ମନେ ମନେ ଭାବିଲା- ସାଧୁ ତ ଏଥିରେ ଖୁସି ହେବାର କଥା, କିନ୍ତୁ କାହିଁକି ଏଭଳି ପ୍ରତିକ୍ରିୟା ପ୍ରକାଶ କଲେ?
ଯୁବକ ଏମିତି ଭାବୁଥିବା ବେଳେ ଘଟିଲା ଅଘଟଣଟିଏ। ଜଣେ ମଦ୍ୟପ ସାଧୁଙ୍କ ଘର ସାମନା ଦେଇ ଯାଉଥିବା ବେଳେ ତାଙ୍କ ଉପରେ ଗୁଡ଼ାଏ ଗାଳି ବର୍ଷଣ କଲା। ସାଧୁ କିଛି କହିବା ଆଗରୁ ଯୁବକଟି ବିଜୁଳି ପରି ସେଠାକୁ ଛୁଟି ଯାଇ ମଦ୍ୟପର ଗଳାକୁ ଧରି ଧକ୍କାଟିଏ ଦେଇ ଉତ୍ତମ ମଧୢମ ଚଢ଼ାଇ ଦେଲା। ସାଧୁ ଜଣକ ଦୌଡ଼ି ଆସି ହାଁ ହାଁ କରି ତାକୁ ଅଟକାଇ ଦେଲେ ଏବ˚ ମଦ୍ୟପକୁ ଉଠାଇ ସାଷ୍ଟମ କଲେ।
ତା’ ପରେ ସାଧୁ କହିଲେ- ମୁଁ କହୁ ନ ଥିଲି ତୁମେ ବେଶ୍ ବିପଜ୍ଜନକ ହୋଇଯାଇଛ ବୋଲି? ଏବେ ତା’ର ପ୍ରମାଣ ପାଇଲ ତ? ମୁଁ ମୋ ଜୀବନରେ କେବେ ବି ହି˚ସାଚାର କରିନାହିଁ। କାହା ଉପରେ ହାତ ଉଠାଇବା ତ ଦୂରର କଥା, ଗାଳିମନ୍ଦ କରିନାହିଁ। କିନ୍ତୁ ତୁମେ କ’ଣ କଲ ଦେଖିଲ ତ? ତେଣୁ ମୁଁ ଭାବେ ତୁମେ ଯଦି କାହାର ଭକ୍ତ ହୋଇଗଲ, ତେବେ ତାହା ବିପଜ୍ଜନକ। କାରଣ ଭକ୍ତ ହେବାର ଅର୍ଥ ତୁମେ ଅନ୍ଧ ହୋଇଗଲ। ବିଚାର ଶକ୍ତି ହରାଇଲ। ତେଣୁ ସତ କହିଲେ ହିତାହିତି ଜ୍ଞାନ ହରାଇଥିବା ମଦ୍ୟପଟି ଯାହା, ତୁମେ ପ୍ରାୟ ତାହା।
ଯୁବକ ଲଜ୍ଜିତ ହେଲା।
ଯୁବକ ଓ ସାଧୁ
Advertisment
Follow Us