ରାଜାଙ୍କ ଉଦ୍ୟାନରେ ରହୁଥିବା ବୃଦ୍ଧ ମର୍କଟ ଦଳପତି ଦିନେ ଦୁଇଟି ଘଟଣା ଦେଖିଲା। ସକାଳେ ତା’ ଦଳର ମର୍କଟମାନେ ରାଜ ବୈଦ୍ୟଙ୍କୁ ହଇରାଣ କଲେ ଏବଂ ମଧ୍ୟାହ୍ନରେ ରାଜାଙ୍କ ରାନ୍ଧୁଣିଆର ପାଳିତ ମେଣ୍ଢା ରୋଷେଇ ଘରେ ପଶିବାକୁ ଉଦ୍ୟମ କଲା। ସୁତରାଂ, ଦଳପତି ସମସ୍ତଙ୍କୁ ଡାକି କହିଲା- ଚାଲ ଏଠାରୁ ପଳାଇବା। ବିପଦ ଆସିପାରେ! ଦଳର ମର୍କଟମାନେ ପରିହାସ କରି କହିଲେ- ବୁଢ଼ାର ମୁଣ୍ଡ ଖରାପ ହୋଇଯାଇଛି। ତା’ ନ ହେଲେ ରାଜ ଉଦ୍ୟାନ ଛାଡ଼ି ଅନ୍ୟତ୍ର ଯିବା ଲାଗି କହନ୍ତା? ରାଜ ଉଦ୍ୟାନରେ ତ ଆମେ ସବୁଠାରୁ ଅଧିକ ସୁରକ୍ଷିତ!
ଦଳପତି ଆଉ କିଛି ନ କହି ନିଜର ଅଳ୍ପ କିଛି ଅନୁଗତଙ୍କୁ ଧରି ଅନ୍ୟତ୍ର ଚାଲିଗଲା।
ଦିନକର କଥା। ରାନ୍ଧୁଣିଆର ମେଣ୍ଢା ରୋଷେଇ ଘରେ ପଶିବାକୁ ପୁଣି ଉଦ୍ୟମ କଲା। ରାନ୍ଧୁଣିଆ ରାଗି ଯାଇ ଦିକି ଦିକି ଜଳୁଥିବା କାଠରେ ତାକୁ ପାହାରେ ଦେଲା। ମେଣ୍ଢା ରୁମରେ ନିଆଁ ଲାଗିଗଲା ଓ ସେ ବିକଳରେ ବାହାରେ ଥିବା ଏକ ନଡ଼ା ଗଦା ଭିତରେ ପଶିବାକୁ ଉଦ୍ୟମ କଲା। ନଡ଼ା ଗଦା ହୁତୁହୁତୁ ହୋଇ ଜଳି ଉଠି ପାଖ ଅସ୍ତାବଲକୁ ନିଆଁ ବ୍ୟାପିଗଲା। ରାଜାଙ୍କ ପ୍ରିୟ ଘୋଡ଼ା ସେଥିେର ପୋଡ଼ି ହୋଇଗଲା।
ରାଜା ବ୍ୟସ୍ତ ହୋଇ ବୈଦ୍ୟଙ୍କୁ ଡକାଇଲେ। ଘୋଡ଼ାର ପୋଡ଼ା ଘା’ ଗୁରୁତର ଥିଲା। ବୈଦ୍ୟ ତ ମାଙ୍କଡ଼ମାନଙ୍କ ଉପରେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ! ସେ କହିଲେ- ମାଙ୍କଡ଼ ଚର୍ବିରେ ତିଆରି ମଲମ ଦ୍ବାରା ଏ ପୋଡ଼ା ଘା’ ଭଲ ହେବ।
ଏ କଥା ନ ସରୁଣୁ ରାଜାଙ୍କ ଆଦେଶରେ ରାଜ ଉଦ୍ୟାନର ମାଙ୍କଡ଼ମାନଙ୍କୁ ମାରି ଦିଆଗଲା ଓ ସେମାନଙ୍କ ଚର୍ବିରେ ଔଷଧ ତିଆରି ହେଲା।
ବୃଦ୍ଧ ଦଳପତି ଏହାକୁ ଦୂରରୁ ଦେଖି କେବଳ ଅଶ୍ରୁ ସମ୍ବରଣ କରୁଥିଲା।
ମର୍କଟ ଦଳପତି
Advertisment
Follow Us