ହାସାନ ଓ ଜୁଆଡ଼ି

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ସୁଫି ସନ୍ଥ ହାସାନଙ୍କ ନିକଟରେ ପୁଳାଏ ସୁନା ଟଙ୍କା ଥୋଇ ଦେଇ ଜଣେ ଲୋକ ଜିଗର କଲା- ଏହାକୁ ରଖ।
ହାସାନ କହିଲେ- ମୁଁ ଫକିର। ଏହା ମୋର କୌଣସି କାମର ନୁହେଁ।
ସେ ଲୋକ କହିଲା- ମୁଁ ଜଣେ ଜୁଆଡ଼ି। ବେଳେ ବେଳେ ସବୁ ହାରି ନିଃସ୍ବ ହୋଇଯା‌ଏ, ପୁଣି କେତେବେଳେ କୋଟିପତି ହୋଇଯାଏ। ଏବେ ମୋ ସମୟ ଏମିତି ଚାଲିଛି ଯେ ମୁଁ ଜୁଆରେ ହାରୁ ନାହିଁ। ତେଣୁ ଭାବିଲି ସମୟ ବଦଳିବା ଆଗରୁ କିଛି ଆପଣଙ୍କୁ ଦେଇ ଦିଏ। ତେଣୁ ଗ୍ରହଣ କରନ୍ତୁ।
ହାସାନ ତଥାପି ମନା କଲେ।
ସେ ଲୋକ ଏବେ କାନ୍ଦିଲା। ସେ କହିଲା- ମୁଁ ଅତି ଗରିବ। ମୋ ପାଖରେ ଏବେ ଅଜସ୍ର ଟଙ୍କା ସୁନା, କିନ୍ତୁ ଆପଣଙ୍କୁ ଦେବା ଯୋଗ୍ୟ କିଛି ନାହିଁ। ତେଣୁ ଏ ଗରିବ ପାଖରେ ଯାହା ଅଛି ଆଣିଛି, ତାକୁ ସ୍ବୀକାର କରନ୍ତୁ।
ହାସାନ ଏଭଳି ସ୍ନେହ ଦେଖି ତରଳି ଗଲେ। ତେଣୁ ସୁନା ତକ ଗ୍ରହଣ କଲେ ଏବଂ ତା’ ସମ୍ମୁଖରେ ସେ ସବୁକୁ ନିକଟରେ ଥିବା ପୋଖରୀ ଭିତରକୁ ଫୋପାଡ଼ି ଦେଲେ।
ଲୋକଟିର କୌଣସି ଭାବାନ୍ତର ହେଲା ନାହିଁ। ସେ ଅପମାନିତ ବୋଧ କଲା ନାହିଁ। ହାସାନ ତାହା ଗ୍ରହଣ କରିଥିବାରୁ ସେ କୃତ୍ୟକୃତ୍ୟ ହୋଇ ଫେରିଗଲା।
ଅନେକ ଦିନ ପରେ ହାସାନ ଏ କଥା ସନ୍ଥ ରାବିୟାଙ୍କୁ କହିବା ପରେ ରାବିୟା କହିଲେ- ତା’ର ପ୍ରେମ ଦେଖ। ଟଙ୍କା ଥାଇ ବି ସେ ନିଜକୁ ଦରିଦ୍ର କହୁଛି, ତା’ର ଭାବକୁ ଦେଖ। ସେ ଦେଇଥିବା ଟଙ୍କାକୁ ତୁମେ ତା’ ଆଗରେ ଫିଙ୍ଗିଦେଲ; ଅଥଚ ସେ କିଛି କହିଲା ନାହିଁ, ତା’ର ବୈରାଗ୍ୟକୁ ଦେଖ।
ହାସାନ କହିଲେ- ମୁଁ ଭାବୁଛି ଜୁଆଡ଼ିମାନେ ବୈରାଗୀ ହୁଅନ୍ତି କି? କାରଣ ସେମାନେ ନିମିଷକେ ସବୁ କିଛି ହରାଇବାର ସାହସ ରଖନ୍ତି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe