ଦୁଇ ଜଣ ଲୋକ ଭଗବାନଙ୍କ ପାଖରେ ପହଞ୍ଚିଲେ। ଭଗବାନ କହିଲେ- ମୋ ମୁଣିରେ ଦୁଇଟି ମଣିଷ ଗୁଣ ପଡ଼ିଛି। ଗୋଟିଏ ହେଲା- ‘ବହୁତକୁ ଅଳ୍ପ ମଣିବ’ ଏବ˚ ଆରଟି ହେଲା ‘ଅଳ୍ପକୁ ବହୁତ ମଣିବ’। କୁହ କିଏ କେଉଁଟା ନେବ। ଏହା ଶୁଣି ଯିଏ ଆଗଚଲା ଚଟାପଟ୍ ଡେଇଁପଡ଼ି କହିଲା- ମୁଁ ନେବି ‘ବହୁତକୁ ଅଳ୍ପ ମଣିବ।’ ଭଗବାନ କହିଲେ- ତଥାସ୍ତୁ। ତା’ ପରେ ସେ କହିଲା- ପ୍ରଭୁ କ’ଣ ସେତିକି ଅଛି ଆଉ ନାହିଁ? ଭଗବାନ ହସି ହସି କହିଲେ- ବର ପାଉ ପାଉ ଗୁଣ ଦେଖାଇଲୁଣି। ଭାଗ୍ ଏଠୁ। ସେ ଚାଲିଗଲା। ଦ୍ବିତୀୟ ବ୍ୟକ୍ତି ‘ଅଳ୍ପକୁ ବହୁତ ମଣିବ’କୁ ଧରି ଭଗବାନଙ୍କ ପାଖରେ କୃତ୍ୟକୃତ୍ୟ ହୋଇ ଫେରିଲା।
ଘରକୁ ଫେରିବା ପରେ ପ୍ରଥମ ଲୋକଟି ବ୍ୟବସାୟ ଆରମ୍ଭ କରି ବିପୁଳ ସଫଳତା ପାଇଲା। କାରଣ ସେ ଯାହା ପାଉଥିଲା ତାକୁ ଅଳ୍ପ ମଣି ଅସନ୍ତୁଷ୍ଟ ରହୁଥିଲା ଏବ˚ ଆହୁରି ପାଇବାକୁ ଲାଗି ପଡୁଥିଲା। ତେଣୁ ସେ ଖୁବ୍ ଧନୀ ହୋଇଗଲା ସିନା, ତା’ ମନରେ ଶାନ୍ତି ନ ଥିଲା। ଯେତେ ମିଳିଲେ ବି ସେ ଆହୁରି ଅଧିକରୁ ଅଧିକ ଚାହୁଁଥିଲା। ଏମିତି ହୋଇ ସେ ମାନସିକ ଅଶାନ୍ତି କାରଣରୁ ରୋଗଗ୍ରସ୍ତ ହୋଇପଡ଼ିଲା ଏବ˚ ଭଗବାନଙ୍କୁ ଡାକିଲା। ଭଗବାନ ଆସିଲେ ଓ କହିଲେ- କ’ଣ ହେଲା? ଲୋକଟି କହିଲା- ଆପଣ ତ ସବୁ ଜାଣନ୍ତି ପୁଣି କାହିଁକି ପଚାରୁଛନ୍ତି?
ଭଗବାନ କହିଲେ- ଏବେ ଆଉ ମନ କଷ୍ଟ କରି ଲାଭ ନାହିଁ। ବିଡ଼ମ୍ବନା ହେଲା, ଲୋକେ ଭାବୁଛନ୍ତି ତୁ ମହା ଆରାମରେ ଅଛୁ, କିନ୍ତୁ ମୁଁ ଜାଣୁଛି ତୋ ମନ କେମିତି ଅସନ୍ତୋଷର ନିଆଁରେ ପୋଡ଼ିଯାଉଛି। ସେ ଦିନ ତୋ ସହିତ ଯେଉଁ ଧୀରସ୍ଥିର ଲୋକଟି ଆସିଥିଲା ସେ ଆଜି ଅମାପ ଶାନ୍ତିରେ ଅଛି। ଅଳ୍ପ ଟିକିଏ ପାଇଲେ ବି ତାକୁ ସେ ପ୍ରଭୁଙ୍କ ଆଶୀର୍ବାଦ ବୋଲି ଭାବି ଶାନ୍ତିରେ ଅଛି। ଦାରିଦ୍ର୍ୟ ସତ୍ତ୍ବେ ତା’ ମନର ଆନନ୍ଦ ଓ ମୁହଁର ପ୍ରସନ୍ନତା ସମସ୍ତଙ୍କୁ ଚକିତ କରୁଛି।
ଦୁଇଟି ଗୁଣ
Advertisment
Follow Us