ଏହା ବି କପଟାଚାର

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜଣେ ସଚ୍ଚୋଟ ଲୋକ ଥିଲେ। ତାଙ୍କର ଥିଲା ଗୋଟିଏ ମାତ୍ର ପୁତ୍ର ସନ୍ତାନ। ସେ ଚାହୁଁଥିଲେ ଯେ ପିଲାଟି ବଡ଼ ହୋଇ ତାଙ୍କ ଭଳି ସଚ୍ଚୋଟ ହେଉ। ତେଣୁ ସେ ପିଲାଟିକୁ ସର୍ବଦା ସେ ଭଳି ଉପଦେଶ ଦେଉଥିଲେ। ତା’ ଉପରେ ସଦାବେଳେ ନଜର ରଖୁଥିଲେ। କିନ୍ତୁ, ତାଙ୍କ ମନରେ ଭୟ ରହୁଥିଲା ଯେ କାଳେ ତାଙ୍କ ପୁଅଟି ବାଟ ହୁଡ଼ିଯିବ!
ତେଣୁ ସନ୍ତାନଟି ତରୁଣ ହେବା ପରେ ତା’ର ଗତିବିଧି ଉପରେ ନଜର ରଖିବା ସକାଶେ ସେ ଜଣେ ଲୋକକୁ ନିଯୁକ୍ତ କଲେ। ଲୋକଟି ଛାଇ ଭଳି ରହି ତରୁଣ ପୁତ୍ରର ସବୁ ଖବର ଆଣି ତାଙ୍କ ଠାରେ ପହଞ୍ଚାଉଥିଲା।
ଦିନକର କଥା। ପିଲାଟି ବିଦ୍ୟାଳୟକୁ ଯିବା ବେଳେ କିଛି ସାଙ୍ଗଙ୍କ କଥା କାଟି ନ ପାରି ସିନେମା ଦେଖିବାକୁ ଚାଲିଗଲା। କିନ୍ତୁ ଏଭଳି କରିବା ପରେ ତା’ ମନରେ ଅନୁତାପ ଆସିଲା।
ଏଣେ ପିଲାଟିର ଏତାଦୃଶ ଆଚରଣର ଖବର ପାଇ ବାପା ଅତି ବ୍ୟଥିତ ହେଲେ। ସେ ଭାବିଥିଲେ ପୁଅ ଅନୁତପ୍ତ ହୋଇ ତା’ର ଦୋଷ ସ୍ବୀକାର କରି କ୍ଷମା ମାଗିବ। କିନ୍ତୁ ପୁଅର ସେଭଳି କରିବାର ସାହସ ନ ଥିଲା। ଏହା ତାଙ୍କୁ ଆହୁରି ଦୁଃଖିତ କଲା। ସେ ଆଉ ସମ୍ଭାଳି ନ ପାରି ନିଜ ମନ କଷ୍ଟ କଥା ପତ୍ନୀଙ୍କୁ ଜଣାଇଲେ।
ପତ୍ନୀ କହିଲେ- ନିଜ ପୁଅ ଉପରେ ଏତିକି ବିଶ୍ବାସ ନାହିଁ ଯେ ସେ ନିଶ୍ଚୟ ଅନୁତପ୍ତ ହୋଇଥିବ! ତୁମକୁ ହୁଏତ କହିବାକୁ ସାହସ କୁଳାଇ ପାରି ନ ଥିବ। କିନ୍ତୁ ଶୁଣ, ତୁମେ ନିଜେ କ’ଣ କରୁଛ କେବେ ବିଚାର କରିଛ? ତୁମେ ପରା ସଚ୍ଚୋଟ? ନିଜ ପୁଅ ଉପରେ ଆଖି ରଖିବା ଲାଗି ପଛରେ ଲୋକ ଲଗାଇଛ କାହିଁକି? ଏହା ତ କପଟ ଆଚରଣ! ପୁଅ ଉପରେ ବିଶ୍ବାସ ରଖ ଏବଂ ନିଜେ ମଧ୍ୟ ସଚ୍ଚୋଟ ରହିବାକୁ ଚେଷ୍ଟା କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe