ଜଣେ ସାଧୁ ଥିଲେ। ତାଙ୍କର ଶିଷ୍ୟମାନଙ୍କୁ ସେ ସର୍ବଦା ଉପଦେଶ ଦେଇ କହୁଥିଲେ- ଯେତେବେଳେ ଭଗବାନଙ୍କୁ ପ୍ରାର୍ଥନା କରୁଛ, ନିଜ ଲାଗି କିଛି ନ ମାଗି ସଦାବେଳେ ଅନ୍ୟମାନଙ୍କ ମଙ୍ଗଳ ଲାଗି ମାଗ। ତାହା ହେଲେ ଭଗବାନ ଶୁଣିବେ।
ଦିନକର କଥା। ସାଧୁ ଚେଲାମାନଙ୍କ ସହିତ ଗୋଟିଏ ଡଙ୍ଗାରେ ନଈ ପାର ହେଉଥାଆନ୍ତି। ମଝି ନଈରେ ହଠାତ୍ ବହିଲା ଅଣଚାଶ ପବନ। ବତାସରେ ଡଙ୍ଗାଟି ଖେଳଣା ଭଳି ନଈରେ ଘିରିଘିରି ହୋଇ ବୁଲିବାକୁ ଲାଗିଲା। ସମସ୍ତେ ଭଗବାନଙ୍କୁ ଡାକିଲେ- ହେ ପ୍ରଭୁ ଆମକୁ ରକ୍ଷା କର।
ହଠାତ୍ ସାଧୁ ପାଟି କରି କହିଲେ- ମୂର୍ଖମାନେ ଯେତେବେଳେ ପରୀକ୍ଷାର ସମୟ ଆସିଲା, ମୋ’ ଉପଦେଶ ଭୁଲିଗଲ! ଏବେ ପ୍ରାର୍ଥନା କର ଭଗବାନ ଅନ୍ୟମାନଙ୍କ ମଙ୍ଗଳ କର। ଶିଷ୍ୟମାନେ କ’ଣ କହିବେ ବୁଝିପାରିଲେ ନାହିଁ।
ଯାହାହେଉ, ବତାସ ଥମିଗଲା। କୌଣସିମତେ ସମସ୍ତେ ରକ୍ଷା ପାଇଗଲେ। କୂଳରେ ପହଞ୍ଚିବା ପରେ ସାଧୁ ଶିଷ୍ୟମାନଙ୍କୁ କହିଲେ- ଭଗବାନଙ୍କୁ ଧନ୍ୟବାଦ ଦିଅ। ଏବେ ମୁଁ କାହିଁକି ଏମିତି ପ୍ରାର୍ଥନା କରିବାକୁ କହୁଛି ତା’ର ମର୍ମଟା ବୁଝ। ତୁମେମାନେ ଜାଣିବା ଦରକାର ଯେ ଆମର ଯାହା ବି ମଙ୍ଗଳ ହେଉଛି, ତାହାର କାରଣ କୋଉଠି ନା କୋଉଠି କେହି ଅନ୍ୟମାନଙ୍କ ଲାଗି ପ୍ରାର୍ଥନା କରୁଛି। ତାହାର ପ୍ରାର୍ଥନା ଶୁଣି ଈଶ୍ବର ଆମକୁ ବଞ୍ଚାଇଲେ। ତେଣୁ ତୁମେମାନେ ମଧ୍ୟ ସେହି ଋଣ ପରିେଶାଧ କରିବା ଲାଗି ସର୍ବଦା ଅନ୍ୟମାନଙ୍କ ହିତ ଲାଗି ପ୍ରାର୍ଥନା କର। ଏହା ହିଁ ପ୍ରକୃତ ପ୍ରାର୍ଥନାର ମାର୍ଗ।
ପ୍ରକୃତ ପ୍ରାର୍ଥନା
Advertisment
Follow Us