ଗୌତମ ବୁଦ୍ଧ ପରମ ଜ୍ଞାନ ଲାଭ କଲା ପରେ ସାତ ଦିନ କାଳ ମୌନ ହୋଇ ରହିଲେ। ସେ ଦ୍ବନ୍ଦ୍ବରେ ପଡ଼ିଲେ ଯେ ସେ ଲାଭ କରିଥିବା ଜ୍ଞାନର ବିତରଣ କରିବେ କି ନାହିଁ? କ୍ରମେ ତାଙ୍କ ମନେର ତର୍କ ଉଦୟ ହେଲା: ଯେଉଁ ନଗଣ୍ୟ ସଂଖ୍ୟକ ଲୋକ ଏଭଳି ଦିବ୍ୟ ଜ୍ଞାନ ଲାଭ କରିବାକୁ ଯୋଗ୍ୟ ଏବଂ ସମର୍ଥ, ସେମାନଙ୍କୁ ଏହା ଦେବାର ଆବଶ୍ୟକତା ନାହିଁ। କାରଣ ସେମାନେ କେବେ ନା କେବେ ତାହାର ସନ୍ଧାନ ପାଇଯିବେ। ବାକି ଅନ୍ୟମାନେ ଏହି ପରମ ଜ୍ଞାନର ମର୍ମ ବୁଝିବେ ନାହିଁ, ସେମାନଙ୍କ ଲାଗି ଜ୍ଞାନର ବିତରଣ ଅର୍ଥହୀନ ହେବ। ତେଣୁ କ୍ରମେ ବୁଦ୍ଧଙ୍କ ନିରବତା ଗଭୀର ହେଲା।
କିଂବଦନ୍ତି କହେ ଯେ ଏହା ଦେଖି ବ୍ରହ୍ମା ଆକାଶରୁ ଓହ୍ଲାଇ ଆସିଲେ ଏବଂ ଅନୁରୋଧ କଲେ ଯେ ବୁଦ୍ଧ ଲାଭ କରିଥିବା ପରମ ଜ୍ଞାନର ପ୍ରଚାର କରନ୍ତୁ।
ବୁଦ୍ଧ ନିଜର ବିଚାର ଜଣାଇ ଦେଲେ ଯେ ଏହି ବିରଳ ଜ୍ଞାନର ବଣ୍ଟନର କୌଣସି ମୂଲ୍ୟ ନାହିଁ।
ବ୍ରହ୍ମା କହିଲେ- ନା। ତୁମେ ଯଦି ପରମ ଜ୍ଞାନ ପାଇ ସୁଦ୍ଧା ତା’ର ବତରଣ କରିବ ନାହିଁ, ତେବେ ତୁମେ ଅକ୍ଷମଣୀୟ ଅପରାଧ କରିବ। ତୁମେ ଜାଣି ନାହଁ ଯେ ପରମ ଜ୍ଞାନ ପାଇବାକୁ ଯୋଗ୍ୟ ମୁଷ୍ଟିମେୟ ଲୋକ ଓ ସେହି ଜ୍ଞାନର ମହିମା ବୁଝିବାକୁ ଅସମର୍ଥ ଅକଳନ୍ତିି ଲୋକଙ୍କ ମଧ୍ୟରେ ଆଉ ଦଳେ ଥାଆନ୍ତି, ଯେଉଁମାନଙ୍କୁ ଚେତାଇ ଦେଲେ ସେମାନେ ଚେତି ଯାଆନ୍ତି। ସେହିମାନଙ୍କ ଲାଗି ତୁମେ ଜ୍ଞାନ ବଣ୍ଟନ କର। ସେମାନେ କୂଳରେ ଛିଡ଼ା ହୋଇଛନ୍ତି ସତ, କିନ୍ତୁ ସେ ନେଇ ସଚେତନ ନୁହନ୍ତି। ସେମାନଙ୍କୁ ତୁମ ବାଣୀ ପରମ ଜ୍ଞାନର ମହୋଦଧିରେ ବୁଡ଼ାଇ ପକାଇବ। ତେଣୁ ତୁମ ବାଣୀ ଅକାରଣ ହେବ ନାହିଁ।
ଏବେ ବୁଦ୍ଧ ତାଙ୍କ ବାଣୀ ପ୍ରଚାର କରିବାକୁ ବାହାରିଲେ।
ବୁଦ୍ଧଙ୍କ ନିରବତା
Advertisment
Follow Us