ଦୁଇ ଜଣ ମିତ୍ର ଜଣେ ଗୁରୁଙ୍କ ପାଖରେ ପହଞ୍ଚିଲେ। ସେମାନଙ୍କ ଭିତରୁ ଜଣେ ଘଟଣାକ୍ରମରେ ଏକ ବଡ଼ ଅପରାଧ କରିଦେଇଥିବାରୁ ଗଭୀର ଭାବେ ଅନୁତପ୍ତ ଥିଲା, ତେଣୁ ପଶ୍ଚାତ୍ତାପ କରିବା ଲାଗି ଗୁରୁଙ୍କ ପାଖକୁ ଆସିଥିଲା। ଆର ଜଣକ କେବଳ ତା’ ସହିତ ଆସିଥିଲା।
ଗୁରୁ ଅନୁତପ୍ତ ଯୁବକ ଠାରୁ ସବୁ ଶୁଣିଲେ ଏବଂ ଅନ୍ୟ ଯୁବକ ଆଡ଼କୁ ଚାହିଁ ପଚାରିଲେ- ତୁମେ କିଛି ଅପରାଧ କରିନାହଁ କି? ତୁମ ମନରେ କିଛି ଗ୍ଳାନି ନାହିଁ କି?
ଯୁବକଟି କହିଲା- ଛୋଟମୋଟ ଅପରାଧ କରିଥିବି ନିଶ୍ଚୟ। କିନ୍ତୁ ସେ ସବୁ ଛୋଟମୋଟ ହୋଇଥିବାରୁ ମୋ ମନରେ ଅନୁଶୋଚନା ନାହିଁ।
ଗୁରୁ କହିଲେ- ଗୋଟିଏ କାମ କର। ତୁମେମାନେ ନିଜ ନିଜ ଭୁଲ୍କୁ ମନ ଭିତରେ ତଉଲି ସେଇ ଓଜନର ପଥର ବୋହି ମୋ ପାଖକୁ ଆଣ, ଦେଖିବ କ’ଣ ହେଉଛି। ଅପରାଧବୋଧରେ ସନ୍ତୁଳି ହେଉଥିବା ଯୁବକଟି ଗୋଟିଏ ବଡ଼ ପଥର ନେଇ ଆସିଲା ଏବଂ ଅନ୍ୟ ଯୁବକଟି କିଛି ଛୋଟ ମୋଟ ଗୋଡ଼ି ଧରି ଆସି ପହଞ୍ଚିଲା। ଏବେ ଗୁରୁ କହିଲେ- ଏହାକୁ ଯେଉଁଠୁ ନେଇ ଆସିଛ, ପୁଣି ନେଇ ସେଇଠି ରଖିଦିଅ। ଏଥର ବଡ଼ ପଥର ନେଇ ଆସିଥିବା ଯୁବକଟି ତ ପଥରଟିକୁ ଥୋଇ ଦେଇ ଆସିଲା, ଅନ୍ୟ ଯୁବକଟି କ’ଣ କରିବ ବୁଝି ପାରିଲା ନାହିଁ।
ଗୁରୁ କହିଲେ- କଥାଟିକୁ ବୁଝିବାକୁ ଚେଷ୍ଟା କର। ଏହାଙ୍କର ଅପରାଧ ବଡ଼ ହୋଇଥିବାରୁ ସେ ଗ୍ଳାନି ଜର୍ଜରିତ, ତେଣୁ ସେ ବଡ଼ ପଥରକୁ ନେଇ ଆସିଥିଲା ଓ ପୁଣି ଠିକ୍ ସ୍ଥାନରେ ଥୋଇଦେଲା। ଏଣୁ ଏହାଙ୍କର ଅପରାଧର ମାର୍ଜନା ସମ୍ଭବ। କିନ୍ତୁ ଏହି ଯୁବକ ଛୋଟ ଛୋଟ ଗୋଡ଼ିକୁ ଠିକଣା ଜାଗାରେ ଥୋଇ ନ ପାରିବା ଭଳି ନିଜ ଛୋଟମୋଟ ଦୋଷକୁ ଗୁରୁତ୍ବ ଦେଇ ନ ଥିବାରୁ ସେସବୁର ମାର୍ଜନା କରିପାରିବ ନାହିଁ। କିନ୍ତୁ ମନେ ରଖ, ଦୁଇ ଲକ୍ଷ ମୁଦ୍ରା ହେଉ ବା ଦୁଇଟି ମୁଦ୍ରା ହେଉ; ଚୋରି ଭିତରେ ଅପରାଧର ପରିମାଣରେ ପ୍ରଭେଦ ନାହିଁ। ଦୁଇଟି ଯାକ ହେଉଛି ଚୋରି, ଗୋଟିଏ ଅପରାଧ।
ଅପରାଧ ମାର୍ଜନ
Advertisment
Follow Us