ଉଦାରବାଦୀ ଅନ୍ଧ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ୟୁଜି କୃଷ୍ଣମୂର୍ତ୍ତିଙ୍କ ସହିତ କଥାବାର୍ତ୍ତା ହେଉଥିବା ବେଳେ ଜଣେ ପ୍ରଗତିଶୀଳ ଯୁବକ କହିଲେ- ମହାଶୟ, ଆମ ସମାଜ ଲାଗି ଧର୍ମାନ୍ଧମାନେ ହେଉଛନ୍ତି ସବୁଠାରୁ ବଡ଼ ବିପଦ। ସବୁ ଧର୍ମ ଆମକୁ ଦୟା, କ୍ଷମା ଆଦି ଶିଖାଏ। କିନ୍ତୁ ଧର୍ମ ବିଶ୍ବାସୀମାନେ ଧର୍ମାନ୍ଧ ହୋଇଗଲେ ସେଇ ସବୁ ଗୁଣକୁ ପା‌ସୋରି ଯାଇ ବିରୋଧୀମାନଙ୍କୁ ମାରି ଦେବାକୁ ମଧୢ ପଛାଇବେ ନାହିଁ।
ୟୁଜିକେ କହିଲେ- ତୁମେ କ’ଣ ଧର୍ମ ବିଶ୍ବାସୀ ନୁହେଁ?
ସେ ଯୁବକ କହିଲେ- ନା ମୁଁ ପ୍ରଗତିଶୀଳ, ଉଦାରଚେତା ବାମପନ୍ଥୀ। ମୁଁ ଧର୍ମରେ ବିଶ୍ବାସ କରେନାହିଁ। ମୁଁ ଯୁକ୍ତିନିଷ୍ଠ। ମୁଁ ବିଜ୍ଞାନବାଦୀ। ପ୍ରମାଣ ବିନା ମୁଁ କୌଣସି କଥା ବିଶ୍ବାସ କରେନାହିଁ।
ୟୁଜିକେ କହିଲେ- ମୁଁ ତୁମ ସହିତ ଏକମତ। କିନ୍ତୁ ମୋ ଆଶ୍ରମରେ ଜଣେ ଧର୍ମାନ୍ଧ ଅଛନ୍ତି। ତୁମେ ତାଙ୍କୁ ଟିକିଏ ବାଟକୁ ଆଣି ପାରିବ କି?
ଯୁବକ ଉତ୍‌ଫୁଲ୍ଲିତ ଦିଶିଲେ। ସେ କହିଲେ- ଅବଶ୍ୟ, ଆପଣ ମୋର ତାଙ୍କ ସହିତ ଏକ ଆଲୋଚନାର ବ୍ୟବସ୍ଥା କରନ୍ତୁ।
ୟୁଜିକେ ତା’ ପର ଦିନ ଏଭଳି ଏକ ଆଲୋଚନାର ବ୍ୟବସ୍ଥା କଲେ। କିନ୍ତୁ ସାଧାରଣତଃ ଏଭଳି ଆଲୋଚନା ଯେଉଁ ଦିଗ ଧରେ ତାହା ଧରିଲା। କିଛି ସମୟ ପରେ ନିଜ ନିଜ ମତରେ ଅଟଳ ଦୁହିଁଙ୍କର ଗର୍ଜନ ତର୍ଜନ ଶୁଭିଲା। ସେମାନେ ଆଲୋଚ୍ୟ ବିଷୟକୁ ଭୁଲିଯାଇ ପରସ୍ପରକୁ ଗାଳି ଦେବାରେ ଲାଗିଲେ।
ୟୁଜିକେ ଦୁହିଁଙ୍କୁ ଅଟକାଇଲେ ଏବ˚ ରାଗ ତମତମ ପ୍ରଗତିଶୀଳ ଯୁବକଙ୍କୁ କହିଲେ- ତୁମେ ଏବେ ଥଣ୍ତା ପଡ଼। ତୁମେ ପ୍ରଗତିବାଦୀ ଓ ଉଦାରଚେତା ବୋଲି କହୁଥିଲ ପରା? ଏବେ ତ ତୁମେ ନିଜ ମତବାଦକୁ ସିଦ୍ଧ କରିବା ଲାଗି ତାଙ୍କୁ ପାହାରେ ଦେବାକୁ ବସିଥିଲ! ମୂଳ କଥା ହେଲା, ତୁମେ ଉଦାରବାଦୀ କିନ୍ତୁ ଉଦାର ନୁହଁ। ତୁମେ ବି ଧର୍ମାନ୍ଧଙ୍କ ଭଳି ଅନ୍ଧ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe