ଈଶ୍ବର ସାନ୍ନିଧ୍ୟ

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜଣେ ସନ୍ଥଙ୍କୁ ଯୁବକଟିଏ କହିଲା- ମୁଁ ଆପଣଙ୍କ ସହିତ ରହିବାକୁ ଚାହେଁ। ମୁଁ ଶୁଣିଛି ଯେ ଆପଣ ଭଗବାନଙ୍କ ସାନ୍ନିଧୢ ପାଉଛନ୍ତି। ମୁଁ ବି ସେଭଳି କୃପା ଲାଭ କରିବାକୁ ଇଚ୍ଛୁକ। ମୋତେ କ’ଣ କରିବାକୁ ହେବ?
ସନ୍ଥ କହିଲେ- ବାଗ କିଛି ନାହିଁ। ସମସ୍ତକୁ ଭଲ ପାଆ। ଦେଖିବୁ ଈଶ୍ବର ମିଳିବେ।
ଏମିତି କିଛି ଦିନ ବିତି ଗଲା। ଦିନେ ସନ୍ଥଙ୍କ ଆଶ୍ରମର ଦୁଆର ମୁହଁରେ ଜଣେ ସ୍ତ୍ରୀ ତାର ଛୋଟ ପୁଅକୁ ସାଙ୍ଗରେ ଧରି ପହଞ୍ଚିଲା। ସେ ଜାଣିବାକୁ ପାଇଲେ ଯେ ସେ ସ୍ତ୍ରୀ ଲୋକଟି ହେଉଛି ସେହି ଯୁବକର ପତ୍ନୀ ଯିଏ ଭଗବାନଙ୍କୁ ପାଇବା ଲାଗି ତାଙ୍କ ଠାରେ ଜୁଟିଛି ଏବଂ ଶିଶୁଟି ତା’ର ସନ୍ତାନ। ସେମାନେ ତାକୁ ଖୋଜି ସେଠାରେ ପହଞ୍ଚିଥିଲେ। ଦୁହିଁଙ୍କ ଦୁରବସ୍ଥା ଦେଖି ସନ୍ଥ ମ୍ରିୟମାଣ ହୋଇଗଲେ। ସେମାନଙ୍କୁ ସେଠାରେ ଦେଖି ଯୁବକଟି ବିଚଳିତ ହୋଇ କହିଲା- ମୁଁ ଏମାନଙ୍କୁ ତ୍ୟାଗ କରି ଆପଣଙ୍କ ପାଖକୁ ଆସିଥିଲି ଈଶ୍ବରଙ୍କୁ ପାଇବାକୁ। ଏବେ ପୁଣି କ’ଣ ସେମାନଙ୍କୁ ଗଳାରେ ବାନ୍ଧିବାକୁ ହେବ?
ସନ୍ଥ ଏବେ ଧୀର କଣ୍ଠରେ କହିଲେ- ବାବୁରେ ତୁ କେବେ ବି ଈଶ୍ବରଙ୍କ କୃପା ଲାଭ କରି ପାରିବୁ ନାହିଁ। କହିଥିଲି ନା ଈଶ୍ବରଙ୍କ କରୁଣା ବାରି ଲାଭ କରିବାର ଏକମାତ୍ର ବାଟ ସମସ୍ତଙ୍କ ପ୍ରତି ପ୍ରେମ ଭାବ ପୋଷଣ! କିନ୍ତୁ ଦେଖୁଛି, ତୋ ହୃଦୟ ତ ପଥର ଭଳି। ତହିଁରେ ଈଶ୍ବରଙ୍କ କରୁଣା ଭେଦିବ ନାହିଁ। ତେଣୁ ତୁ ଯେତେ ଯାହା କଲେ ବି ତାହା ସମ୍ଭବ ହେବ ନାହିଁ। ତେଣୁ ବୃଥା ଚେଷ୍ଟା କର ନାହିଁ। ଦ୍ବିତୀୟ କଥା ହେଲା ହୃଦୟରେ ପ୍ରେମ ଭାବ ଥିଲେ ନର୍କରେ ମଧ୍ୟ ଦୈବୀ ସାନ୍ନିଧ୍ୟ ଲାଭ କରି ପାରିବୁ। କିନ୍ତୁ ସେଥି ଲାଗି ତ ହୃଦୟ କୋମଳ ହେବା ଦରକାର!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe