ଗୋଟିଏ ଗାଁରେ ମରୁଡ଼ି ପଡ଼ିଲା। ବହୁତ ଦିନ ଧରି ବର୍ଷା ହେଲା ନାହିଁ। ତେଣୁ ଗାଁ ଲୋକେ ସ୍ଥିର କଲେ ଯେ ଦୂରରେ ଥିବା ଆଶ୍ରମର ସାଧୁଙ୍କୁ ଡକାଇ ଆଣିବେ। କାରଣ ସେମାନେ ଶୁଣିଥିଲେ ଯେ ସେ ଯାହା ପ୍ରାର୍ଥନା କରନ୍ତି, ତାହା ଫଳିଯାଏ।
ସୁତରାଂ, ତାଙ୍କୁ ଆମନ୍ତ୍ରଣ କରାଗଲା। ସେ ମଧ୍ୟ ରାଜି ହେଲେ। ଏକ ପାହାଡ଼ ଚୂଡ଼ାରେ ଧ୍ୟାନରେ ବସି ସେ ପ୍ରାର୍ଥନା କଲେ। କିନ୍ତୁ ମେଘର ଦେଖା ମିଳିଲା ନାହିଁ। ନିର୍ମଳ ଆକାଶରେ ସୂର୍ଯ୍ୟ ପୂର୍ବ ଭଳି ଜଳୁଥିଲେ। ସେଠାରେ ଜମିଥିବା ଲୋକେ ଆକାଶକୁ ଚାହିଁ ନିରାଶ ହେଉଥିଲେ।
ଅନେକ ସମୟ ପରେ ଦୂର ଦିଗ୍ବଳୟରେ ହଠାତ୍ ମେଘ ଦିଶିଲା। କିଛି ସମୟ ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା। ଉଲ୍ଲସିତ ଲୋକେ ଏବେ ସାଧୁଙ୍କୁ କାନ୍ଧରେ ବସାଇ ନାଚିବାକୁ ଲାଗିଲେ।
ସାଧୁ କହିଲେ- ଏଥିରେ ମୋର କୌଣସି ଅବଦାନ ନାହିଁ। ମୁଁ ସବୁ ବେଳେ ଯେମିତି ପ୍ରଭୁଙ୍କୁ ଡାକିଥାଏ, ଏଥର ବି ସେମିତି ଡାକିଥିଲି। ଏହି ବର୍ଷା ପଛରେ ଅବଦାନ କେବଳ ସେହି ବୃଦ୍ଧଙ୍କର ଯେ ସବା ଶେଷରେ ଏଠାରେ ପହଞ୍ଚିଲେ।
ଲୋକେ ପଚାରିଲେ- ଏ କଥା କେମିତି ସମ୍ଭବ ଆମେ ବୁଝି ପାରୁନାହୁଁ। ଫିଟାଇ କହନ୍ତୁ।
ସାଧୁ କହିଲେ- ମୁଁ ପ୍ରଭୁଙ୍କୁ ପ୍ରାର୍ଥନା କଲି ସତ, କିନ୍ତୁ ପ୍ରଭୁଙ୍କୁ ଛୁଇଁବା ଲାଗି ଯେଉଁ ବିଶ୍ବାସର ବାତାବରଣ ଲୋଡ଼ା ଥିଲା, ତାହା ଏଠି ନ ଥିଲା। ଆପଣମାନେ ସମସ୍ତେ ମନରେ ସନ୍ଦେହ ନେଇ ଆସିଥିେଲ। ଶେଷରେ ଯେଉଁ ବୃଦ୍ଧ ପହଞ୍ଚିଲେ, କେବଳ ସେ ହିଁ ଛତାଟିଏ ଧରି ପହଞ୍ଚିଥିଲେ। କେବଳ ତାଙ୍କରି ଅଖଣ୍ଡ ବିଶ୍ବାସ ଥିଲା ଯେ ମୋ ପ୍ରାର୍ଥନା କାରଣରୁ ବର୍ଷା ହେବ। ତେଣୁ ମେଘ ଘୋଟି ଆସି ବର୍ଷା କରାଇଲା। ଗୋଟିଏ କଥା ମନେ ରଖ ବିଶ୍ବାସ ମୂଳରେ ହିଁ ଏ ଜଗତ୍।
ସବୁରି ମୂଳରେ ବିଶ୍ବାସ
Advertisment
Follow Us