ଜଣେ ଯୁବକ ପହଞ୍ଚିଲା ଜଣେ ସିଦ୍ଧ ସନ୍ନ୍ୟାସୀଙ୍କ ପାଖରେ। ତାଙ୍କୁ ସେ କହିଲା- ଆଜ୍ଞା, ଲୋକେ କହନ୍ତି ଆପଣଙ୍କ ସହିତ ଭଗବାନଙ୍କ ଭେଟାଭେଟି ଚାଲେ। ମୁଁ କେମିତି ଭଗବାନଙ୍କ ସାନ୍ନିଧୢ ପାଇବି ସେ ବାଟଟି ବତେଇ ଦିଅନ୍ତୁ।
ସନ୍ନ୍ୟାସୀ ଯୁବକର ମୁହଁକୁ ଚାହିଁ କହିଲେ- ତାହା ହେଲେ, ମୋ ପାଖରେ ବସିଯାଅ।
ଯୁବକଟି ସନ୍ନ୍ୟାସୀଙ୍କ କଥା ମାନି ତାହା ହିଁ କଲା।
କିଛି ସମୟ ପରେ ଯୁବକ ଦେଖିଲା ଯେ ତା’ ସାମନାରେ ଥିବା ବୁଦାରେ କିଛି ହଲଚଲ ହେଉଛି। କିଛି ସମୟ ପରେ ଗୋଟିଏ ବାଘର ପଟାରିଆ ଦେହର ଝଲକ ତାକୁ ଦିଶିଗଲା। ଏବେ ସେ ଆଉ କାଳ ବିଳମ୍ବ ନ କରି ବିଜୁଳି ବେଗରେ ଦୌଡ଼ିଯାଇ କିଛି ଦୂରରେ ଥିବା ଗଛ ଉପରକୁ ଚଢ଼ିଗଲା ଏବଂ ପ୍ରାଣ ବଞ୍ଚିଗଲା ବୋଲି ସ୍ବସ୍ତିରେ ନିଃଶ୍ବାସ ମାରିଲା। ସେଇ ଗଛ ଉପରୁ ସେ ପରିଷ୍କାର ଭାବେ ଦେଖିପାରୁଥିଲା ଯେ ବାଘଟି ବୁଦାରୁ ବାହାରି ସନ୍ନ୍ୟାସୀଙ୍କ ଚାରିପଟେ ଘୂରି ବୁଲୁଛି। ତାଙ୍କ ସାମନାରେ ବସି ଲାଞ୍ଜ ପିଟୁଛି। କିନ୍ତୁ ସନ୍ନ୍ୟାସୀଙ୍କ ତା’ ପ୍ରତି ଧୢାନ ନାହିଁ। କିଛି ସମୟ ପରେ ଏମିତି ଲାଗିଲା ଯେ ବାଘଟି ବୀତସ୍ଫୃହ ହୋଇ ସେଠାରୁ ଚାଲିଗଲା।
ଯୁବକଟି ଏଥର ଗଛରୁ ଓହ୍ଲାଇ ଏଣେତେଣେ ଚାହିଁ ସନ୍ନ୍ୟାସୀଙ୍କ ପାଖକୁ ଆସିଲା ଓ କହିଲା- ଧନ୍ୟ ଆପଣ! ଆପଣ ବାଘକୁ ବି ଡରୁନାହାନ୍ତି?
ସନ୍ନ୍ୟାସୀ କହିଲେ- ତୁମେ ତ ଆଶ୍ଚର୍ଯ୍ୟକର ଲୋକ। ଭଗବାନଙ୍କୁ ଭେଟିବାକୁ ବସିଥିଲ ଅଥଚ ଭଗବାନ ଆସିଲା ବେଳକୁ ଦୌଡ଼ି ପଳାଇଗଲ?
ଯୁବକ ପଚାରିଲା- ବାଘଟି କ’ଣ ଭଗବାନ ଥିଲେ?
ସନ୍ନ୍ୟାସୀ କହିଲେ- ଧେତ୍, ନିର୍ବୋଧ! ଭଗବାନ ସାହସ ଓ ବିଶ୍ବାସ ରୂପେ ଆସିଥିଲେ। ସେ ପଚାରିଲେ- କ’ଣ ତୋର ଇଚ୍ଛା? ମୁଁ କହିଲି- ଯାହା ତୁମର ଇଚ୍ଛା! ତା’ ପରେ କ’ଣ ହେଲା ତୁମେ ଜାଣିଛ!
ଭଗବାନଙ୍କ ଭେଟ
Advertisment
Follow Us