ମୁଲ୍ଲା ନସିରୁଦ୍ଦିନ ତାଙ୍କ ଗଧକୁ ଖୁବ୍ ଭଲ ପାଉଥିଲେ। କିନ୍ତୁ ଗାଁର ଆଉ ଜଣେ ଲୋକ ଗଧକୁ ଏମିତି ଭଲ ପାଉଥିଲା ଯେ କହିଲେ ନ ସରେ। ସେ ଗଧକୁ ସବୁଠାରୁ କଅଁଳିଆ ଘାସ ଖୁଆଉଥିଲା, ତା’ ଲାଗି କୁଣ୍ତରେ ପରିଷ୍କାର ପାଣିର ବ୍ୟବସ୍ଥା କରୁଥିଲା, ବିଛଣା କରି ବେହେଲା ବଜାଇଲେ ଗଧ ଶୋଉଥିଲା। ମୁଲ୍ଲା ସେହି ଲୋକକୁ ବରାବର କହୁଥିଲେ- ଯିଏ ଯାହା ପାଇବା ଲାଗି ଯୋଗ୍ୟ ତାକୁ ସେମିତି ବ୍ୟବହାର ଦେଖାଅ। ତୁମେ ଯାହା କରୁଛ, ସେଥିରେ ବେଶୀ ଅସୁବିଧା ଭୋଗ କରିବ ତୁମର ଏଇ ଗଧ।
ସେ ଲୋକ କହିିଲା- ୟେ ଗଧ ନୁହେଁ, ଏ ହେଉଛି ମୋର ପୁଅ।
ଥରେ ଭୀଷଣ ମରୁଡ଼ି ପଡ଼ିଲା। ଲୋକଙ୍କ ଫସଲ ଉଜୁଡ଼ିଗଲା। ମହାଜନର କରଜ ଶୁଝିବା ଲାଗି ଲୋକେ ପାଖ ସହର ଆଡ଼କୁ ଚାଲିଲେ। ମୁଲ୍ଲା ତାଙ୍କ ଗଧକୁ ଜଣେ ଧନୀ ଲୋକ ପାଖରେ ବନ୍ଧା ପକାଇ ସହରକୁ ଚାଲିଲେ। ସେ ଲୋକଟି ବି ତା’ ଗଧକୁ ସାହୁକାର ପାଖରେ ବନ୍ଧା ପକାଇ ଭାରି ମନକଷ୍ଟରେ ସହରକୁ କାମ କରିବା ଲାଗି ଗଲା।
ସହରରେ ଅନେକ ଦିନ ରହି ଟଙ୍କା ରୋଜଗାର କଲା ପରେ ଗାଁ ଲୋକେ ଘରକୁ ଫେରିଲେ ଏବ˚ ମହାଜନର କରଜ ଶୁଝିଲେ। ସେ ଲୋକଟି ମଧ୍ୟ ଫେରିଲା। ଟଙ୍କା ଦେଇ ପୁତ୍ରପ୍ରତିମ ଗଧକୁ ମୁକୁଳାଇବାକୁ ଲାଗି ଯାଇ ଶୁଣିଲା ଯେ ସାହୁକାର ଲାଗି କାମ କରି ନ ପାରି ସେ ଗଧ ଥକି ଗଲା ଏବଂ ଶେଷରେ ଦେହ ଖରାପରୁ ମରିଗଲା। ଲୋକଟି ଦୁଃଖରେ କାନ୍ଦି ପକାଇଲା ସିନା ଏବେ ମୁଲ୍ଲାଙ୍କ ଉପଦେଶକୁ ମେନ ପକାଇଲା। ଗଧକୁ ଗଧ ଭଳିଆ କରି ରଖିଥିଲେ ସେ ହୁଏତ ବଞ୍ଚି ରହିଥାଆନ୍ତା।
ଯାହାକୁ ଯେମିତି
Advertisment
Follow Us