ସ୍ବପ୍ନ ପୂରଣ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜଣେ ଦକ୍ଷ କାଠ କାରିଗର ଥିଲେ। ଥରେ ସେ ଦେଖିଲେ ଗୋଟିଏ ବିଶାଳ ନୌକାର ଚିତ୍ର। ସେଇ ଚିତ୍ର ତାଙ୍କ ହୃଦୟକୁ ଏମିତି ଛୁଇଁ ଗଲା ଯେ ରାତି ଦିନ ସେ କେବଳ ସେମିତି ଏକ ନୌକା ଗଢ଼ିବାର ସ୍ବପ୍ନ ଦେଖିଲେ। କିନ୍ତୁ ସେମିତି ଏକ ନୌକା ତିଆରି କରିବା ଲାଗି ଯେଉଁ ପ୍ରକାର କାଠ ଦରକାର, ତାହା ତ ଅତି ବିରଳ! ତେଣୁ ସ୍ବପ୍ନ ଅପୂର୍ଣ୍ଣ ରହିଲା।
ଦିନେ ଜଣେ ବଣିକ ସେଇ ଅଞ୍ଚଳରେ ପହଞ୍ଚିଲେ। ସେ ପ୍ରକୃତରେ ଏଇ କାଠ କାରିଗରଙ୍କ ସୁନାମ ଶୁଣି ଆସିଥିଲେ। କାଠ କାରିଗରଙ୍କୁ ସେ ଦେଖାଇଲେ ଗୋଟିଏ ଅତି ସୁନ୍ଦର ନୌକାର ଚିତ୍ର ଏବ˚ ପଚାରିଲେ- ତୁମେ ଏମିତି ନୌକାଟିଏ ମୋ ଲାଗି ଗଢ଼ି ପାରିବ କି?
ସେଇ ନୌକାର ଚିତ୍ର ଦେଖି କାଠ କାରିଗର ଜଣକ ତଟସ୍ଥ ହୋଇଗଲେ। କାରଣ ବଣିକ ଜଣକ ଯେଉଁ ନୌକାର ଚିତ୍ର ଦେଖାଇଲେ, ତାହା ଥିଲା ସେଇ କାଠ କାରିଗର ଦେଖିଥିବା ଏବ˚ ଗଢ଼ିବାକୁ ମନ କରିଥିବା ସେଇ ସ୍ବପ୍ନର ନୌକାର ଚିତ୍ର। କାଠ କାରିଗର କହିଲେ- କିନ୍ତୁ ଏଥି ଲାଗି ଦରକାର ସ୍ବତନ୍ତ୍ର ପ୍ରକାର କାଠ। ଯାହା ଅତି ବିରଳ।
ବଣିକ କହିଲେ- ତାହା ମୁଁ ଜାଣିଛି ବୋଲି ଏ ନୌକା ଗଢ଼ାଇବା ଲାଗି କାଠ ଯୋଗାଡ଼ରେ ବିତାଇ ଦେଇଛି କୋଡ଼ିଏ ବର୍ଷ। ଏବେ କେବଳ ତୁମ କାମକୁ ଅପେକ୍ଷା।
କାଠ କାରିଗର ନୌକା ଗଢ଼ିଲେ। କିଛି ମାସ ଭିତରେ ଅବିକଳ ସେଇ ନୌକା ତିଆରି ହୋଇଗଲା। ପ୍ରଶସ୍ତ ନଈରେ ନୌକା ଯେତେବେଳେ ଆଗକୁ ମେଲିଲା, ସେତିକି ବେଳେ ବଣିକଙ୍କୁ କାରିଗର ଧନ୍ୟବାଦ ଦେଲେ, କାରଣ ତାଙ୍କ ସ୍ବପ୍ନ ପୂରଣ କରିବା ଲାଗି ବଣିକ ଜଣକ କୋଡ଼ିଏ ବର୍ଷ କାଳ କାଠର ଅନ୍ବେଷଣ କରିଥିଲେ। ବଣିକ ଜଣକ କହିଲେ- ତୁମକୁ ମଧ୍ୟ ଧନ୍ୟବାଦ। କାରଣ କାଠ ମିଳିଥିଲେ ବି ଏଭଳି ନୌକା‌ ଗଢ଼ିବା ଲାଗି କେବଳ ତୁମେ ସମର୍ଥ।
ଦୁହିଁଙ୍କ ସ୍ବପ୍ନ ପୂରଣ ହେଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe