ଗଭୀର ରାତ୍ରିରେ ଶ୍ରାବସ୍ତୀର ରାଜପଥ ନିକଟସ୍ଥ ଉଦ୍ୟାନରେ ଗୌତମ ବୁଦ୍ଧ ଏବଂ ଆନନ୍ଦ ବସିଥିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କୁ ରାସ୍ତାରେ ଯାଉଥିବାର ଦେଖିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ହାତରେ ଗୋଟିଏ ଦୀପ ଥିଲା ଏବଂ ଅନ୍ୟ ଜଣକ ତା’ରି ଆଲୋକରେ ତାଙ୍କୁ ଅନୁସରଣ କରି ଚାଲିଥିଲେ। ରାଜପଥର ଏକ ମୋଡ଼ରେ ଦୀପଧାରୀ ବ୍ୟକ୍ତି ଅନ୍ୟ ଦିଗରେ ଚାଲିଗଲେ। ତେଣୁ ତାଙ୍କୁ ଅନୁସରଣ କରୁଥିବା ବ୍ୟକ୍ତି ଅଗତ୍ୟା ଅନ୍ଧକାରରେ ଅସହାୟ ଭାବେ ଅଟକି ଗଲେ।
ବୁଦ୍ଧ କହିଲେ- ଆନନ୍ଦ ମୁଁ କହି ନ ଥାଏ କି ସର୍ବଦା ନିଜ ଦୀପ ପ୍ରଜ୍ଜ୍ବଳନ କରି ରଖ!
ଏହାର ଅନେକ ବର୍ଷ ପରେ ବୁଦ୍ଧଙ୍କ ତିରୋଧାନ ସମୟ ନିକଟ ହେଲା। ବୁଦ୍ଧଙ୍କ ଚିର ବିଦାୟ ଆସନ୍ନ ଜାଣି ଶିଷ୍ୟମାନେ କ୍ରନ୍ଦନ କରିବାକୁ ଲାଗିଲେ। ଅଳ୍ପ କିଛି ଶିଷ୍ୟ କିନ୍ତୁ ସ୍ଥିର ମୁଦ୍ରାରେ ଧ୍ୟାନରତ ଥିଲେ। କାନ୍ଦୁଥିବା ଶିଷ୍ୟଙ୍କ ମଧ୍ୟରେ ଥିଲେ ବୁଦ୍ଧଙ୍କ ଅନ୍ୟତମ ପ୍ରିୟ ଶିଷ୍ୟ ଆନନ୍ଦ।
ବୁଦ୍ଧ ଏବେ ଆନନ୍ଦଙ୍କୁ କ୍ଷୀଣ କଣ୍ଠରେ କହିଲେ- ଆନନ୍ଦ, ମୁଁ ସର୍ବଦା କହି ନ ଥାଏ କି ନିଜ ଦୀପ ପ୍ରଜ୍ଜ୍ବଳନ କର? ତୁମେ ତାହା କଲ ନାହିଁ। ମୋ ସହିତ ରହିଲ। କିନ୍ତୁ ଦିନେ ନା ଦିନେ ତ ତୁମକୁ ଏକୁଟିଆ ଚାଲିବାର ଥିଲା। ଦେଖ ଯେଉଁମାନେ ନିଜ ଭିତରେ ଦୀପ ଜଳାଇ ପାରିଛନ୍ତି, ସେମାନେ ସ୍ଥିର ଭାବେ ଧ୍ୟାନରତ। ସେମାନଙ୍କୁ ମୋ ଅନୁପସ୍ଥିତି ହୁଏତ ବୋଧ ହେବ, କିନ୍ତୁ ସେମାନେ ମାର୍ଗ ପାଇଯିବେ। ତୁମେ କିନ୍ତୁ ହଠାତ୍ ମାର୍ଗ ପାଇବ ନାହିଁ। ନିଜ ଦୀପକୁ ପ୍ରଜ୍ଜ୍ବଳନ କର ଆନନ୍ଦ।
ଆନନ୍ଦ ଏବେ ଗୌତମ ବୁଦ୍ଧଙ୍କ ବାଣୀର ମର୍ମ ହୃଦୟଙ୍ଗମ କରି ପାରୁଥିଲେ।
ନିଜ ଦୀପ ପ୍ରଜ୍ଜ୍ବଳନ କର
Advertisment
Follow Us