ବିବେକାନନ୍ଦଙ୍କ ଗୁରୁ ଖୋଜା

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଗୋଟିଏ ପ୍ରଶ୍ନ ଛାତିରେ ଧରି ଗୁରୁଙ୍କ ତଲାସରେ ବାହାରିଲେ ବିବେକାନନ୍ଦ। ରବୀନ୍ଦ୍ରନାଥ ଟାଗୋରଙ୍କ ଜେଜେବାପା ମହର୍ଷି ଦେବେନ୍ଦ୍ରନାଥଙ୍କ ଖ୍ୟାତି ସେତେବେଳେ କାହିଁରେ କ’ଣ। ନଈ ଆର ପଟେ ରହୁଥାଆନ୍ତି ଦେବେନ୍ଦ୍ରନାଥ। ଉତ୍ତର ପାଇବା ଲାଗି ପାଗଳପ୍ରାୟ ବିବେକାନନ୍ଦ ପହଁରି ପହଁରି ନଈ ପାର ହୋଇ ନିଶାର୍ଧରେ ଦେବେନ୍ଦ୍ରନାଥଙ୍କ ଘରର କବାଟ ପେଲି ଧସେଇ ପଶିଲେ। ଧ୍ୟାନରେ ବସିବା ଲାଗି ବାହାରିଥିବା ଦେବେନ୍ଦ୍ରନାଥଙ୍କୁ ସିଧା ପ୍ରଶ୍ନ କଲେ-ଈଶ୍ବର ଅଛନ୍ତି?
ରାତି ଅଧରେ ଓଦା ସରସର ଉଦ୍‌ଭ୍ରାନ୍ତ ଯୁବକର ଏଭଳି ପ୍ରଶ୍ନରେ ଚମକି ପଡ଼ିଲେ ଦେବେନ୍ଦ୍ରନାଥ। ଏହି ଚମକିବା ଦେଖି ବିବେକାନନ୍ଦ ବୁଲି ପଡ଼ିଲେ ଏବଂ ଫେରିଯିବାକୁ ଲାଗିଲେ। ପଛରୁ ଡାକିଲେ ‌େଦ‌ବେନ୍ଦ୍ରନାଥ: ‘ଫେରି ଯାଉଛ କାହିଁକି? ଉତ୍ତର ଶୁଣି ଯାଅ!’ ବିବେକାନନ୍ଦ ପଛକୁ ନ ଚାହିଁ କହିଲେ- ଆପଣଙ୍କ ଚମକିବା କହିଦେଲା ଆପଣଙ୍କ ପାଖରେ ଉତ୍ତର ନାହିଁ।
ପରେ ଦେବେନ୍ଦ୍ରନାଥ ଲେଖିଛନ୍ତି: ତରୁଣ ବିବେକାନନ୍ଦଙ୍କ କଥା ତାଙ୍କ ଭିତରେ କ୍ଷତ ସୃଷ୍ଟି କରିଦେଲା। ସତରେ ଈଶ୍ବର ଅଛନ୍ତି କି ନାହିଁ, ତାହା ଅନୁଭବ ନ କରି ଈଶ୍ବର ଅଛନ୍ତି ବୋଲି ଉତ୍ତର ଦେବାକୁ ବାହାରିଥିଲେ ସେ!
ଏବେ ବିବେକାନନ୍ଦ ପହଞ୍ଚିଲେ ରାମକୃଷ୍ଣ ପରମହଂସଙ୍କ ନିକଟରେ। ସେହି ବ୍ୟାକୁଳ ପ୍ରଶ୍ନ!
ରାମକୃଷ୍ଣଙ୍କ ପ୍ରତିକ୍ରିୟା କିନ୍ତୁ ଥିଲା ଭିନ୍ନ ପ୍ରକାରର। ସେ ବିବେକାନନ୍ଦଙ୍କ ଗଳାକୁ ଧରି ମାଡ଼ି ବସିଲେ ଏବଂ ଜୋରରେ କହିଲେ- ଏବେ ଜାଣିବାକୁ ଚାହୁଁ? ଏବେ? ଏଇ କ୍ଷଣି?
ଏବେ ଚମକିବାର ପାଳି ବିବେକାନନ୍ଦଙ୍କର। ୟେ କି ପ୍ରତିକ୍ରିୟା? ଉତ୍ତର ନେଇ ସ୍ଥିର ନିଶ୍ଚିତ ବ୍ୟକ୍ତି ହିଁ କେବଳ ଏଭଳି କରିପାରେ!
ରାମକୃଷ୍ଣଙ୍କ ସ୍ପର୍ଶରେ ଚୈତନ୍ୟ ହରାଇଲେ ବିବେକାନନ୍ଦ। ଚେତା ଫେରିବା ପରେ ସେ ହୋଇଯାଇଥିଲେ ଜଣେ ଭିନ୍ନ ମନୁଷ୍ୟ। ରାମକୃଷ୍ଣଙ୍କ ଠାରେ ତାଙ୍କ ଗୁରୁ ଅନ୍ବେଷଣ ସମାପ୍ତ ହେଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe