ଜଣେ ଯୁବକ ତା’ର ଗୁରୁଙ୍କୁ ପଚାରିଲା- ଜୀବନଟି କ’ଣ ତାହା ମୁଁ ଜାଣିବାକୁ ଚାହେଁ। ଆପଣ ମୋତେ ମାର୍ଗ ଦେଖାଇ ପାରିବେ କି?
ଗୁରୁ କହିଲେ- ଜିଜ୍ଞାସୁ ବାଳକ, ମୁଁ ତୁମକୁ ବାଟ ଦେଖାଇବା ପୂର୍ବରୁ ଗପଟିଏ କହିବି।
ଗୋଟିଏ ତେଲୁଣି ପୋକ ଥିଲା। ସେ ଥିଲା ତୁମ ଭଳି ଜିଜ୍ଞାସୁ। ତେଣୁ ସେ ତା’ ବାପାଙ୍କୁ କହିଲା- ମୁଁ ପାଠ ପଢ଼ିବି। ମୋତେ ଗୁରୁଙ୍କ ପାଖକୁ ପଠାଅ। ତା’ ବାପା ତାକୁ ଗୁରୁଙ୍କ ପାଖକୁ ପଠାଇ ଦେଲେ।
ପିଲା ତେଲୁଣି ପୋକଟି ତା’ର ଜିଜ୍ଞାସା ଅଟକାଇ ନ ପାରି ଗୁରୁଙ୍କୁ ପଚାରିଲା- ଆଜ୍ଞା, ଆମେମାନେ ଚାଲୁ କେମିତି? ଆମମାନଙ୍କର ତ ଶହେ ଲେଖାଏ ଗୋଡ଼। ଚାଲିଲା ସମୟରେ କେତେବେଳେ କେଉଁ ଗୋଡ଼ ଉଠେ ଓ କେତେବେଳେ କେଉଁ ଗୋଡ଼ ପଡ଼େ ସେ ବାବଦରେ ମୁଁ ଜାଣିବାକୁ ଚାହେଁ।
ଗୁରୁ କହିଲେ- ତୁ ବଡ଼ ଅବାଗିଆ ପିଲା। ସେଥିରେ ପଶନାହିଁ।
ପିଲାଟି କିନ୍ତୁ ନଛୋଡ଼ବନ୍ଦା ଥିବାରୁ ସେ ବିଷୟରେ ଚିନ୍ତା କରିବାକୁ ଲାଗିଲା। ନିଜର ଚାଲିକୁ ଦେଖି ତା’ର ଶହେ ଗୋଡ଼ ଭିତରୁ କେଉଁ ଗୋଡ଼ କେଉଁ କ୍ରମରେ ପଡୁଛି ତାହା ପରଖିବାକୁ ଲାଗିଲା। ଫଳ ହେଲା ଏୟା ଯେ ତା’ର ଗୋଡ଼ ସବୁ ଛନ୍ଦି ହୋଇଗଲା, ଗଣ୍ଠି ପଡ଼ିଗଲା ଓ ସେ ଚାଲି ପାରିଲା ନାହିଁ।
ଗପଟି କହିସାରି ଗୁରୁ ଯୁବକକୁ କହିଲେ- ଗପରୁ କ’ଣ ଶିଖିଲୁ? ଜୀବନକୁ ଭରପୂର ଜିଅନ୍ତି କେମିତି ତାହା ଶିଖ। ଆନନ୍ଦରେ ଜିଅ। ଜୀବନଟା କ’ଣ ତାହା ବୁଝିବାକୁ ଚେଷ୍ଟା କରନା। ସେଥିରେ ମାତିଲେ ଜୀବନ ଜିଇବା ଭୁଲିଯିବୁ ଓ ଅଯଥା ଅଡୁଆରେ ପଶିବୁ।
ତେଲୁଣି ପୋକର ଚାଲି
Advertisment
Follow Us