ଦାର୍ଶନିକ ଓ ରାବାଇ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜ‌େଣ ଇହୁଦୀ ଦାର୍ଶନିକ ତାଙ୍କ ଦ୍ବାରା ଲିଖିତ ପୁସ୍ତକକୁ ନିଜ ପୁଅ ହାତରେ ନିଜର ପରମ ଶତ୍ରୁ ଜଣେ ଧର୍ମଗୁରୁ ବା ‘ରାବାଇ’ଙ୍କ ନିକଟକୁ ପଠାଇଲେ। ପୁସ୍ତକଟିରେ ଲେଖକଙ୍କ ନାମ ଦେଖିବା ମାତ୍ରକେ ରାବାଇ ତାହାକୁ ବିରକ୍ତି ଓ ଘୃଣାରେ ଫିଙ୍ଗି ଦେଲେ। ଦାର୍ଶନିକଙ୍କ ପୁଅ ଅପମାନିତ ହୋଇ ଫେରିବା ବେଳକୁ ଶୁଣିଲା ‘ରାବାଇ’ଙ୍କ ପତ୍ନୀ କହୁଛନ୍ତି- ଏଭଳି ଅଶିଷ୍ଟ ବ୍ୟବହାର କାହିଁକି? ପଢ଼ିବାର ନାହିଁ ଯଦି ନ ପଢ଼, ଫିଙ୍ଗିଲ କାହିଁକି? ତୁମ ଲାଇବ୍ରେରିରେ ଗୋଟିଏ କୋଣରେ ତାହା ପଡ଼ି ରହନ୍ତା। ପୁଣି ତାକୁ ନେଇ ଆସିଥିବା ପିଲା ଆଗରେ ତାକୁ ଫିଙ୍ଗିଲ! ଅନ୍ତତଃ ସେ ଗଲା ପରେ ଫିଙ୍ଗିଥାଆନ୍ତ!
ଘୋର ମ୍ରିୟମାଣ ଦାର୍ଶନିକଙ୍କ ତରୁଣ ପୁତ୍ର ଘରକୁ ଫେରି କହିଲା- ସେ ‘ରାବାଇ’ ମହା ଦୁଷ୍ଟ। ବରଂ, ତାଙ୍କ ପତ୍ନୀ ଭଲ ଓ ସଂସ୍କାରୀ।
ଦାର୍ଶନିକ ଏହା ଶୁଣି ପୁଅକୁ କହିଲେ- ବେବକୁବ୍‌ କାହାଁକା? ତୁ କିଛି ଜାଣିନାହୁଁ। ପରମ ଶତ୍ରୁ ବେଳେ ବେଳେ ପରମ ମିତ୍ର ହୋଇଯାଇପାରନ୍ତି; କିନ୍ତୁ ତୁମକୁ ଯିଏ ଉପେକ୍ଷା କରେ ସେ ବଦଳିବା ଅସମ୍ଭବ। ରାବାଇଙ୍କ ପତ୍ନୀଙ୍କ ବାକ୍ୟରେ ଥିଲା ମୋ ପ୍ରତି ଚରମ ଉପେକ୍ଷା। ସେ ଯାହା କହିଲେ, ତା’ର ମର୍ମ ହେଲା- ରଖି ଦେଇଥାନ୍ତ, ଲାଇବ୍ରେରିର କୋଉ କୋଣରେ ତାହା ପଡ଼ି ରହନ୍ତା ବା ଫିଙ୍ଗିବାର ଥିଲା ଯଦି ସେ ପିଲା ଗଲା ପରେ ଫିଙ୍ଗି ଦେଇଥାନ୍ତ। ଏଭଳି ଉତ୍ତାପହୀନ ଉପେକ୍ଷା ଉପରେ ବିଜୟ ଲାଭ କରିବା ଅସମ୍ଭବ।
ଦାର୍ଶନିକ ସେ ଦିନ ଠିକ୍‌ କହିଥିଲେ। ବହିଟି ଫିଙ୍ଗି ଦେବାର କିଛି ସମୟ ପରେ ‘ରାବାଇ’ଙ୍କ ମନ ଅସ୍ଥିର ହେଲା। କ’ଣ ଲେଖାଯାଇଛି ସେ ବହିରେ? ଅତି ସନ୍ତର୍ପଣରେ ସେ ବହିଟିକୁ ଉଠାଇ ଆଣି ପଢ଼ିବା ବେଳେ ତାଙ୍କର ଆଖି ଖୋଲି ଯାଉଥିଲା। ଚମତ୍କାର ବହି। ବହିଟି ପଢ଼ି ସାରିବା ପରେ ସେ ଦାର୍ଶନିକଙ୍କ ସ୍ତାବକ ପାଲଟି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe