ଫଜଲୁର ଗଛ କଟା

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜଣେ ବ୍ୟକ୍ତି ୟୁଜିକେଙ୍କୁ ସଗର୍ବ କହିଲେ- ମୁଁ ସବୁ ବେଳେ ମୋ ପିଲାଙ୍କୁ କହେ ସତ କୁହ! ମିଛ ମୁଁ ସହିପାରେ ନାହିଁ।
ୟୁଜି‌େକ କହିଲେ- ତେବେ ଏହି କଥାଟି ଶୁଣନ୍ତୁ। ନସିରୁଦ୍ଦିନ ଲଗାଇଥିଲେ ଗୋଟିଏ ସେଓ ଗଛ। ସେ ରହୁଥିବା ଜାଗାର ପାଣି, ମାଟି ଓ ପବନରେ ସେଓ ଗଛ ବଞ୍ଚିବା ଅସମ୍ଭବ ଥିଲା। କିନ୍ତୁ ନସିରୁଦ୍ଦିନ ବହୁ କଷ୍ଟ କରି ତାହା ବଞ୍ଚାଇଥିଲେ। ସେଥିରେ ଫଳ ଧରିବା ଆରମ୍ଭ ହୋଇଥିଲା। ଏହି ସମୟରେ ତାଙ୍କ ପୁଅ ଫଜଲୁ ଗୋଟିଏ ଟାଙ୍ଗିଆରେ ଗଛକୁ ହାଣି ପକାଇଲା। ନସିରୁଦ୍ଦିନ ଅଗ୍ନିଶର୍ମା ହୋଇ ଘର କଂପେଇ ପଚାରିଲେ- ଏମିତି କଲା କିଏ? ଫଜଲୁ କହିଲା- ମୁଁ କରିଛି!
ନସିରୁଦ୍ଦିନ କହିଲେ- ତୋର ତ ଭାରି ସାହସ! ଦୋଷ କରି ପୁଣି ଏଡ଼େ ବହପରେ କହୁଛୁ ମୁଁ କରିଛି? ମୋ ସେଓ ଗଛକୁ ତୁ ହାଣି ପକାଇଲୁ? ଏହା କହି ସେ ଫଜଲୁକୁ ବାଡ଼େଇ ଚାଲିଲେ।
କାନ୍ଦୁଥିବା ଫଜଲୁ କହିଲା- ହେଲେ ବାପା, ତୁମେ ମୋତେ କହିଥିଲ ଯେ ଆମେରିକାର ପ୍ରଥମ ରାଷ୍ଟ୍ରପତି ପିଲା ଥିବା ବେଳେ ତାଙ୍କ ବାପା ଲଗାଇଥିବା ସେଓ ଗଛକୁ ହାଣି ପକାଇଥିଲେ। କିନ୍ତୁ ସତ କହିଥିବାରୁ ତାଙ୍କ ବାପା ତାଙ୍କୁ ଖୁସିରେ କୁଣ୍ଢାଇ ପକାଇ ଥିଲେ! ଏହା କହି ତୁମେ ମୋତେ କହିଥିଲ ଯେ ମରିଯିବୁ ପଛେ ମିଛ କହିବୁ ନାହିଁ। ସବୁବେଳେ ସତ କହିବୁ!
ନସିରୁଦ୍ଦିନ କହିଲେ- ସତ ଶୁଣି ଗେହ୍ଲା କରିବା ଲୋକ ଥିଲା ୱାଶିଂଟନର ବାପ। ମୁଁ ସେମିତିକା ନୁହେଁ!
ଏହା କହି ୟୁଜିକେ କହିଲେ- ସତ କହିବା ଏଥି ଲାଗି କଷ୍ଟକର ହୁଏ ଯେ ସତ ଶୁଣିବାକୁ ଲୋକେ ଭଲ ପାଆନ୍ତି ନାହିଁ। ତେଣୁ ତୁମକୁ ଯାହା ଶୁଣିବାକୁ ଭଲ ଲାଗିବ ତାହା ହିଁ ତୁମକୁ ସମସ୍ତେ କହିବେ। ‌େତଣୁ ପିଲାଙ୍କୁ ସତ କହିବା ଲାଗି ପ୍ରସ୍ତୁତ କରିବା ପୂର୍ବରୁ ସତ ଶୁଣିବା ଲାଗି ଧୈର୍ଯ୍ୟ ଜୁଟାଇ ତୁମେ ନିଜକୁ ପ୍ରଥମେ ପ୍ରସ୍ତୁତ କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe