ଦୁଇ ସହରର ଲୋକ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜଣେ ବଣିକ ଓ ତାଙ୍କ ଭୃତ୍ୟ ବେପାର ଉଦ୍ଦେଶ୍ୟରେ ବାହାରିଲେ। ସେମାନେ ବିଭିନ୍ନ ରାଜ୍ୟ ଦେଇ ଭ୍ରମଣ କରୁଥିଲେ। ଏମିତି ଯାଉଯାଉ ସେମାନେ ଥରେ ଏମିତି ଏକ ସହର ଦେଇ ଗଲେ ଯେଉଁଠି ସେମାନଙ୍କୁ ନା ଆଶ୍ରୟ ନା ଖାଦ୍ୟ; କିଛି ହେଲେ ମିଳିଲା ନାହିଁ। ସେ ସହରର ଲୋକେ ଥିଲେ ମହା ସ୍ବାର୍ଥପର ଓ ଲୋଭୀ। ସେମାନେ ବହିରାଗତମାନଙ୍କୁ ଆଦୌ ପଚାରୁ ନ ଥିଲେ। ସେଠାରେ ଖାଦ୍ୟ ବା ବିଶ୍ରାମ ନେବା ଲାଗି ବା ରାତ୍ରିଯାପନ କରିବା ଲାଗି ଆଶ୍ରୟଟିଏ ନ ମିଳିବାରୁ ଦୁହେଁ ବଡ଼ ବିକଳ ହୋଇ ସେଇ ସହରରୁ ବାହାରି ଗଲା ବେଳେ ଭୃତ୍ୟଟି କହିଲା ଏଠାକାର ଲୋକେ ନର୍କଗାମୀ।
ପ୍ରାଜ୍ଞ ବଣିକ କହିଲେ- ତୁମେ ଯାହା କହୁଛ ତାହା ଆ˚ଶିକ ସତ୍ୟ। ଏ ସହରର ଲୋକେ ଖରାପ କିନ୍ତୁ ନର୍କଗାମୀ ନୁହନ୍ତି। ବେଳ ପଡ଼ିଲେ ହୁଏତ ଆମେ ନର୍କଗାମୀ ଲୋକଙ୍କୁ ବି ଦେଖିବ।
ଏମିତି ସହରରୁ ସହର ଭ୍ରମଣ କରୁଥିବା ବେଳେ ସେମାନେ ଆଉ ଏକ ସହରରେ ପଶିଲେ। ସେ ସହରରେ ରାତିରେ ରହିବା ଲାଗି ସେମାନେ ଆଶ୍ରା ଖୋଜିଲେ। ଜଣେ ବ୍ୟକ୍ତିି ସେମାନଙ୍କୁ ଆଶ୍ରୟ ଦେଲା। ଭୋଜନ ଆଦି ଦେଇ ଅପ୍ୟାୟିତ କଲେ। କିନ୍ତୁ ନିଶାର୍ଧରେ ସେମାନେ ଶୋଇଥିବା ବେଳେ ସେଇ ଲୋକ ଓ ତା’ର କିଛି ବନ୍ଧୁ ମିଶି ବଣିକ ଓ ଭୃତ୍ୟଙ୍କ ହାତଗୋଡ଼ ବାନ୍ଧି ସେମାନଙ୍କ ପାଖରେ ଯାହା ବି ଥିଲା ତାକୁ ଲୁଟି ନେଲେ ଏବଂ ସେମାନଙ୍କୁ ପାଖ ଜଙ୍ଗଲରେ ପକାଇ ଦେଇ ଆସିଲେ।
କୌଣସିମତେ ବନ୍ଧନରୁ ମୁକ୍ତ ହେବା ପରେ ବଣିକ କହିଲେ, ବାବୁ ଏ ସହରର ଲୋକେ ହିଁ ପ୍ରକୃତରେ ନର୍କଗାମୀ। ଆର ସହରରେ ଲୋକେ ଅବିବେକୀ ଥିଲେ, ସ୍ବାର୍ଥପର ଥିଲେ, ଖରାପ ବ୍ୟବହାର କରୁଥିଲେ, କିନ୍ତୁ ଅନ୍ତତଃ ଯାହା ଥିଲେ ସେମିତି ବ୍ୟବହାର କରୁଥିଲେ। ଏ ସହରର ଲୋକ ତ ଆଶ୍ରା ଦେଇ ହତ୍ୟା କରିବା ଲୋକ। ଏମାନେ ବିଶ୍ବାସଘାତକ। ଏମାନେ ହିଁ ନର୍କଗାମୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe