ସମୟ ଓ ଆଶା

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜଣେ ଗୁରୁ ତାଙ୍କ ଅନୁଗାମୀଙ୍କୁ ପଚାରିଲେ- ଆମେମାନେ କାହିଁକି ପ୍ରାର୍ଥନା କରୁ?
ଅନୁଗାମୀ କହିଲେ- କାରଣ ଈଶ୍ବର ସର୍ବଶକ୍ତିମାନ। ସବୁ ତାଙ୍କ ଅଧୀନରେ। ତେଣୁ ଆମେ ଯାହା ପାଇବାକୁ ଚାହୁଁ, ତାହା ପାଇବା ଲାଗି ଈଶ୍ବରଙ୍କୁ ପ୍ରାର୍ଥନା କରୁ।
ଗୁରୁ କହିଲେ- କିନ୍ତୁ ଆମେ ଯାହା ମାଗୁ, ସବୁ ପାଉ କି? ତୁମେ ପାଇଛ କି? ଭଲ ଭାବେ ଚିନ୍ତା କରି କୁହ।
ଅନୁଗାମୀ ଟିକିଏ ନିରବ ରହିଲେ।
ଗୁରୁ କହିଲେ- ଏମିତି ବି ହତଭାଗ୍ୟ ବ୍ୟକ୍ତି ଆମ ଭିତରେ ଅଛନ୍ତି ଯେଉଁମାନେ ଭଗବାନଙ୍କୁ ନିୟମିତ ପ୍ରାର୍ଥନା କରି ଆକୁଳ ଭାବେ ନିଜ ଦୁଃଖ ଜଣାଉଥିଲେ ବିଶେଷ କିଛି ପାଆନ୍ତି ନାହିଁ, ବହୁତ କିଛି ହରାନ୍ତି। ଅନେକ ଲୋକ ଏହା କହି ପ୍ରାର୍ଥନା କରନ୍ତି ଯେ ପ୍ରଭୁ ତୁମେ ରଖିଲେ ରଖିବ, ମାରିଲେ ମାରିବ। ସବୁ ତୁମରି ଇଚ୍ଛା। ତା’ ଅର୍ଥ ଭଗବାନ ରଖିବାର ଗ୍ୟାରେଣ୍ଟି ଦିଅନ୍ତି ନାହିଁ। ତେବେ ବି କାହିଁକି ଆମେ ପ୍ରାର୍ଥନା କରୁ?
ଅନୁଗାମୀ ଟିକିଏ ଚିନ୍ତା କଲେ ଓ କହିଲେ- ମୁଁ ଭାବୁଛି ଈଶ୍ବର ଦୁଇଟି ଚମତ୍କାର ଔଷଧ ଆମକୁ ଦେଇଛନ୍ତି। ଗୋଟିଏ ହେଲା ସମୟ ଓ ଦ୍ବିତୀୟଟି ହେଉଛି ଆଶା। ବେଳେବେଳେ ଜଣକର ସବୁ କିଛି ସରିଯାଏ, ହତାଶାର ଅନ୍ଧାରରେ ସେ ଡୁବିଯାଏ। କିନ୍ତୁ ସମୟର ସ୍ରୋତରେ କ୍ରମେ କଷ୍ଟର ଦାଗ ଫିକା ପଡ଼ିଆସେ। ଏଭଳି ଫିକା ପଡୁଥିବା ବେଳେ ପୁଣି ନୂଆ ଆଶାର ଉଦ୍ରେକ ହୁଏ। ସେ ଭାବେ ବୋଧହୁଏ ଈଶ୍ବରଙ୍କ ଭିଆଣ ପଛରେ କିଛି ମହତ୍‌ ଉଦ୍ଦେଶ୍ୟ ଥିଲା।
ଗୁରୁ କହିଲେ- ତୁମେ ଠିକ୍‌ କହିଛ। ସମୟ ଓ ଆଶା ରୂପକ ଦୁଇ ନଦୀ ଆମ ସମସ୍ତଙ୍କ ଲାଗି ଅମୃତ ତୁଲ୍ୟ। ସେଥି ଲାଗି ତ ଦୁଃଖର ସାଗର ଭିତରେ ଥିବା ମଣିଷ ଦୁଃଖ ହରଣର କୌଣସି ଗ୍ୟାରେଣ୍ଟି ଭଗବାନଙ୍କ ଠାରୁ ନ ପାଇ ସୁଦ୍ଧା ତାଙ୍କୁ ପ୍ରାର୍ଥନା କରି ଚାଲିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe