i-love-png.com
ଏକ ଦପ୍ତରର ମୁଖ୍ୟ ସାହେବ ବିଦେଶ ଭ୍ରମଣରେ ଗଲେ। ସାହେବ ଥିଲେ ବହୁତ କଡ଼ା। ତେଣୁ ସେ ଯିବା ମାତ୍ରକେ ଗମାତ ଆରମ୍ଭ ହେଲା। ସମସ୍ତେ ଜାଣିଥିଲେ ଯେ ସାହେବ ବେଶ୍ କିଛି ଦିନ ଧରି ବିଦେଶରେ ରହିବେ। ଏଣେ ମୁଖ୍ୟଙ୍କ ସ୍ଥାନରେ ଯିଏ ଦାୟିତ୍ବରେ ରହିଲେ, ସେ ଥିଲେ ଅଳସୁଆ ଓ ଦୀର୍ଘସୂତ୍ରୀ। ତେଣୁ କର୍ମଚାରୀମାନଙ୍କୁ ସୁବିଧା ହେଲା। ସମସ୍ତେ କାମରେ ହେଳା କରି ହସଖୁସିରେ ମାତିଲେ। କେବଳ ଦେଖାଗଲା ଯେ ଦପ୍ତରର ସୁନ୍ଦର ଉଦ୍ୟାନର ମାଳୀ ଏକନିଷ୍ଠ ଭାବେ ନିଜ କାମରେ ଲାଗିଛନ୍ତି। ବୃଦ୍ଧ ମାଳୀଙ୍କୁ ଅନେକ ଲୋକ ଉପହାସ କଲେ। ମାଳୀ କିନ୍ତୁ କିଛି ନକହି ନିଜ କାମରେ ଲାଗିଥିଲେ। ପ୍ରତିଦିନ ଗଛରୁ ମଲା ପତ୍ର ଝାଡ଼ିବା ଠାରୁ ଆରମ୍ଭ କରି ପାଣି ଦେବା, ବଗିଚା ସଫା କରିବା ଭଳି କାମରେ ସେ ନିୟମିତ ଲାଗିଥିଲେ। ଦିନେ ମାଳୀଙ୍କର ଜଣେ ବନ୍ଧୁ ପଚାରିଲେ- ସାହେବ ନାହାନ୍ତି। ସମସ୍ତେ ଆରାମରେ ଅଛନ୍ତି। ତୁମେ ଫୁର୍ସତ ନ ନେଇ କାମରେ ଲାଗିଛ କାହିଁକି?
ମାଳୀ ଉତ୍ତର ଦେଲେ- ଯେଉଁ ଲୋକ ନିଜ ଘରଟିକୁ ମଜଭୁତ କରି ରଖିଥିବ, ଝରକା କବାଟକୁ ବାଗେଇଥିବ, ବିପଦ ବେଳେ କାମରେ ଆସିବା ଭଳି ଜିନିଷ ପାଖରେ ସ˚ଚିଥିବ, ସେ ଝଡ଼ ଆସିଲେ ବ୍ୟସ୍ତ ନ ହୋଇ ଶୋଇପାରିବ। ମୁଁ ସେଭଳି ପ୍ରକୃତିର ଲୋକ।
କିଛି ସମୟ ପରେ ସତରେ ଝଡ଼ ଆସିଲା। ଦପ୍ତରର ମୁଖ୍ୟ ଅଚାନକ ବିଦେଶରୁ ଫେରି ଆସିଲେ। ସେ ନ ଥିବା ସମୟ ତକ ଗମାତ କରିଥିବା କର୍ମଚାରୀମାନେ ଏବେ ଦିନ ରାତି ଏକ କଲେ ବି ଲାଭ ହେଲା ନାହିଁ। ସମସ୍ତେ ସାହେବଙ୍କ କୋପଦୃଷ୍ଟିରେ ପଡ଼ିଲେ। ଏକା ମାଳୀ ସବୁ ଦିନ ଭଳି ନିଜ କାମକୁ ଗଲେ। ତାଙ୍କ ମନରେ କୌଣସି ଚିନ୍ତା କି ଦକ ନ ଥିଲା।
Follow Us