ସନ୍ଥ ଫିରୋଜ ପହଞ୍ଚିଲେ ଏମିତି ଗୋଟାଏ ରାଜ୍ୟରେ ଯାହାର ରାଜା ଥିଲେ ମହା ଗର୍ବୀ ଓ ଉଦ୍ଧତ। ସେ ନିଜ ରାଜ୍ୟରେ ଈଶ୍ବରଙ୍କୁ ନିଷେଧ କରିଦେଇଥିଲେ। ରାଜ୍ୟର ଲୋକେ କେବଳ ତାଙ୍କୁ ପୂଜା କରିବାକୁ ସେ ଆଦେଶ ଦେଇଥିଲେ ଏବ˚ କେହି ସେମିତି ନ କଲେ ମୁଣ୍ତ କାଟ ହେବାର ଭୟ ଥିଲା।
ଫିରୋଜଙ୍କୁ ଦେଖି ରାଜା ତାଚ୍ଛଲ୍ୟ କରି କହିଲେ- ତୁମେ ଜଣେ ଫକିର ବୋଧ ହୁଏ। ଆଚ୍ଛା, ତୁମେ କାହିଁକି ତୁଚ୍ଛାରେ ଈଶ୍ବରକୁ ଡାକୁଛ? ମୋ ରାଜ୍ୟରେ ସେ ନାହିଁ। ଏ ରାଜ୍ୟରେ ମୁଁ ହେଉଛି ଈଶ୍ବର। ତୁମେ ତ ତାକୁ ସର୍ବଶକ୍ତିମାନ ବୋଲି କୁହ, କିନ୍ତୁ କାହିଁ ସେ ତ ମୋର କିଛି ଅନିଷ୍ଟ କରିପାରୁନାହିଁ?
ଫିରୋଜ କହିଲେ- ରାଜା, ମୋ ନାମ ଫିରୋଜ। ମୁଁ ଏବେ ଯାହା କହିବି ତା’ ପରେ ଆପଣ ମୋର ମୁଣ୍ତ କାଟ କରିଦେବେ ନିଶ୍ଚୟ। ଆପଣ କହୁଛନ୍ତି ଯେ ଆପଣ ଏ ରାଜ୍ୟର ସର୍ବଶକ୍ତିମାନ। କିନ୍ତୁ ଏ ରାଜ୍ୟର ବାହାରେ ଆପଣଙ୍କର ରତିଏ ବି ମୂଲ୍ୟ ନାହିଁ। କିନ୍ତୁ ମୋ ଈଶ୍ବରର ସମ୍ମାନ ସାରା ପୃଥିବୀରେ ଅଛି। ସେ ବି ସର୍ବଶକ୍ତିମାନ। କିନ୍ତୁ ସେ ଓ ଆପଣ; ଏ ଦୁହିଁଙ୍କ ଭିତରେ ଆକାଶ ପାତାଳ ଫରକ। ସେ ସର୍ବଶକ୍ତିମାନ ହୋଇ ବି ତା’ ସହିତ ଅମତ ହେଲେ, ତାକୁ ଗାଳି କଲେ, ତା’ର ନିନ୍ଦା ଅପବାଦ କଲେ ବି ସେ କିଛି କହେନାହିଁ। ସେ ସେଇ ଅଧିକାରଟି ଦେଇଛି। ସେଥି ପାଇଁ ତ ଆପଣ ଅବାଧ ଯଥେଚ୍ଛାଚାର କରି ବି ଭଲରେ ବଞ୍ଚି ରହିଛନ୍ତି। କିନ୍ତୁ ଆପଣ ଏମିତି ଈଶ୍ବର ଯେ ଆପଣଙ୍କ ସହିତ ଅମତ ହେଲେ ଆପଣ ମୁଣ୍ତ କାଟି ଦିଅନ୍ତି। ଯଦି ଶକ୍ତିମାନ କ୍ଷମାଶୀଳ ହୁଏ ତେବେ ସେ ମହାନ ହୁଏ। ତେଣୁ ମୋ ଈଶ୍ବର ମହାନ।
ଏହା ଶୁଣି ତଟସ୍ଥ ରାଜା କିଛି କହିବା ଆଗରୁ ଫିରୋଜ ସେଠାରୁ ଝଡ଼ ଭଳି ନିଷ୍କ୍ରାନ୍ତ ହୋଇଯାଇଥିଲେ।
ମହାନ ଈଶ୍ବର
Advertisment
Follow Us