ରାଜାଙ୍କ ପୁଅ ବେମାର ପଡ଼ିଲା। ତାକୁ ସୁସ୍ଥ କରିବା ଲାଗି ଦୂରଦୂରାନ୍ତରୁ ଅନେକ ବୈଦ୍ୟ ଆସିଲେ। କିନ୍ତୁ କେହି ହେଲେ ରାଜପୁତ୍ରଙ୍କୁ ରୋଗମୁକ୍ତ କରିପାରିଲେ ନାହିଁ। ରାଜାଙ୍କ ଧାରଣା ହୋଇଗଲା ଯେ ପିଲାଟିର ଦେହ ଭଲ ହେବା ଅସମ୍ଭବ।
ଏହି ସମୟରେ ଜଣେ ଫକିର ରାଜସଭାକୁ ଆସିଲେ। ରାଜା ତାଙ୍କୁ ନିଜ ପୁଅର ରୋଗ କଥା କହିଲେ। ଫକିର ଏହା ଶୁଣି ପିଲାଟିକୁ ଦେଖିବାକୁ ଗଲେ। ଶଯ୍ୟାରେ ଶୋଇଥିବା ରାଜପୁତ୍ରଙ୍କ ଶରୀର ଉପରେ ହସ୍ତ ଚାଳନା କରି ଫକିର ତାଙ୍କ କାନରେ କେଇ ପଦ ମନ୍ତ୍ର ଓ ଆଶୀର୍ବାଦ ଆବୃତ୍ତି କଲେ ଏବଂ କହିଲେ ଯେ ପିଲାଟି ସୁସ୍ଥ ହୋଇଯିବ।
ଏ କଥା ଶୁଣିଲେ ସେଠାରେ ଉପସ୍ଥିତ ଥିବା ରାଜବୈଦ୍ୟ। ସେ ତାଚ୍ଛଲ୍ୟ କଲା ଭଳି ସ୍ବରରେ କହିଲେ- ଏଭଳି ଅଭିନୟ କରନ୍ତୁ ନାହିଁ। ଯେଉଁଠି ରାଜ୍ୟ ଓ ରାଜ୍ୟ ବାହାରର ବିଚକ୍ଷଣ ବୈଦ୍ୟଗଣ ମହୌଷଧି ଦେଇ ମଧ୍ୟ ବିଫଳ ହେଉଛନ୍ତି, ସେଠି ଆପଣଙ୍କ ଏଭଳି କେଇ ପଦ ରାଜକୁମାରଙ୍କୁ ଭଲ କରିଦେବ?
ଫକିର ଏହା ଶୁଣି ତତ୍କ୍ଷଣାତ୍ କହିଲେ- ମହାରାଜ, ଏହି ଲୋକ ଭଳି ମୂର୍ଖକୁ ଆପଣ ଯଦି ରାଜବୈଦ୍ୟ କରିବେ, ତେବେ ଆପଣଙ୍କ ପୁଅ ଭଲ ହେବ ବୋଲି ଆଶ କରିବା ବୃଥା।
ଏହି କଥାରେ ବୈଦ୍ୟ ରାଗି ଅଗ୍ନିଶର୍ମା ହୋଇଗଲେ। ସେ ଉହୁଁଙ୍କି ଆସିଲେ। ଫକିର ଏହା ଦେଖି କହିଲେ- ଏବେ ବୁଝିଲେ ତ ମାତ୍ର କିଛି ଶବ୍ଦର କରାମତି! ଯଦି ମୋର ଏତିକି କଥା ଆପଣଙ୍କ ଭିତରର ଶକ୍ତିକୁ ଏଭଳି ବିସ୍ଫୋରକ କରିଦେଲା ଏବଂ ଆପଣ ଆକ୍ରମଣ କରିବାକୁ ବାହାରି ଆସିଲେ, ତାହା ହେଲେ କିଛି ଶବ୍ଦର ଅନୁକୂଳ ପ୍ରଭାବ ନ ପଡ଼ିବ କାହିଁକି?
ରାଜବୈଦ୍ୟ ଚୁପ ହୋଇଗଲେ। ରାଜାଙ୍କ ମଧ୍ୟ ବିଶ୍ବାସ ଜନ୍ମିଲା ଯେ ପୁଅ ଠିକ୍ ହୋଇଯାଇପାରେ। ଆଶ୍ଚର୍ଯ୍ୟକର ଭାବେ ପିଲାଟି ତା’ ପରଠାରୁ ଧୀରେ ଧୀରେ ଭଲ ହେବାକୁ ଆରମ୍ଭ କଲା ମଧ୍ୟ।
କଥାଟିଏ-ଯାଯାବର: କେଇ ପଦ କଥା
Advertisment
Follow Us