ଗୋଟିଏ ସହରରେ ଦୁଇ ଜଣ ସାଙ୍ଗ ଏମିତି ଚୋରି କରୁଥିଲେ ଯେ ଚାରିଆଡ଼େ ଚହଳ ପଡ଼ିଗଲା। ଲାଗିଲା ସେମାନଙ୍କୁ ଧରିବା ଯେମିତି ଏକ ଅସମ୍ଭବ ବ୍ୟାପାର। ଭାଗ୍ୟ ମଧ୍ୟ ସେମାନଙ୍କୁ ସହାୟକ ହେଉଥିଲା। ଅନେକ ସମୟରେ ସେମାନେ ଧରା ପଡୁ ପଡୁ ରକ୍ଷା ପାଇଯାଉଥିଲେ। ସେମାନେ ଭାବି ନେଇଥିଲେ ଯେ ଭଗବାନ ସେମାନଙ୍କ ସହିତ ଅଛନ୍ତି, ତେଣୁ ଭୟ ନାହିଁ।
କିନ୍ତୁ ଦିନେ ସେମାନେ ଧରା ପଡ଼ିଗଲେ। ଏକ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ଜେଲ ଭିତରେ ସେମାନଙ୍କୁ ରଖାଗଲା। ଭଗବାନଙ୍କ ଆଶୀର୍ବାଦ ଉପରେ ଭରସା ରଖିଥିବା ଚୋର ଦୁଇ ଜଣ ଠିକ୍ କଲେ ଯେ ସେମାନେ ଯେମିତି ହେଲେ ଖସି ପଳାଇବାର ଉଦ୍ୟମ କରିବେ। କାରଣ ଭଗବାନ ତାଙ୍କୁ ସାହାଯ୍ୟ ମଧ୍ୟ କରିବେ।
ସେମାନେ ଅତି ସତର୍କତାର ସହିତ ସନ୍ତର୍ପଣରେ କାମରେ ଲାଗିଲେ। ଶେଷରେ ଦିନେ ଦୁହେଁ ସବୁ ବାଧାବିଘ୍ନ, ବନ୍ଧୁକଧାରୀ ଗାର୍ଡ, ଵାଚ୍ ଟାଵାରର ଆଲୋକ, ଜଗୁଆଳି କୁକୁରଙ୍କ ବଳୟ ଅତିକ୍ରମ କରି ଉଚ୍ଚ ପାଚେରି ଚଢ଼ି ଆର ପଟକୁ ଡେଇଁ ପଡ଼ିବାରେ ସମର୍ଥ ହେଲେ। ସେମାନେ ଏକ ଚଳନ୍ତା ମାଲ ବୋଝେଇ ଲରିର ଡାଲାରେ ପଡ଼ିଲେ ଏବଂ ସେମାନଙ୍କ ଖୁସି ଦୁଇ ଗୁଣ ହୋଇଗଲା। ଏବେ ସେମାନଙ୍କୁ ଅାଉ କେହି ଧରି ପାରିବେ ନାହିଁ। ଏଣିକି ଅନାୟାସରେ ସେମାନେ ଖଣ୍ଡେ ଦୂରକୁ ଚାଲି ଯାଇ ପାରିବେ। ତେଣୁ ସେମାନେ ଭଗବାନଙ୍କୁ ଧନ୍ୟବାଦ ଦେଲେ।
କିଛି ସମୟ ପରେ ସେଇ ଲରି ଜେଲ୍ ଭିତରକୁ ପଶିଲା। କାରଣ ତାହା ପ୍ରକୃତରେ ଜେଲ ଅନ୍ତେବାସୀମାନଙ୍କ ନିମନ୍ତେ ଆବଶ୍ୟକ ସାମଗ୍ରୀ ନେଇ ଆସୁଥିଲା। କହିବା ବାହୁଲ୍ୟ ଦୁହିଁଙ୍କୁ ଏବେ ଏଭଳି ପହରାରେ ରଖାଗଲା, ଯହିଁରୁ ମୁକ୍ତି ପାଇବା ଆଦୌ ସମ୍ଭବ ନ ଥିଲା।
ଏତିକି ବେଳେ ଜଣେ ଅନ୍ୟକୁ ପଚାରିଲା- ଭଗବାନ ଆମ ଉପରେ ରାଗିଗଲେ କାହିଁକି? ତା’ ନ ହେଲେ ଏମିତି ଅବସ୍ଥା!
ଦ୍ବିତୀୟ ଚୋର ଭଗବାନଙ୍କ ପ୍ରକୃତ ସନ୍ଦେଶ ପଢ଼ି ପାରିଥିଲା। ସେ କହିଲା- ନା ଭଗବାନ ରାଗି ନାହାନ୍ତି। ଆମେ ଚୋର ହୋଇ ରହୁ ବୋଲି ଭଗବାନ ଏବେ ଆଉ ଚାହୁ ନାହାନ୍ତି।
କଥାଟିଏ-ଯାଯାବର: ଭଗବାନଙ୍କ ସନ୍ଦେଶ
Advertisment
Follow Us