ଧନୀ ବ୍ୟବସାୟୀ ଜଣେ ଫକିରଙ୍କୁ ପଚାରିଲେ- ଆପଣଙ୍କ ଭଳି ମସ୍ତ ମୌଲା ହେବି କେମିତି? ମୋ ପାଖରେ ସବୁ କିଛି ଅଛି। କିନ୍ତୁ ଉଛୁଳା ଆନନ୍ଦ ନାହିଁ।
ଫକିର ଥିଲେ ଯାଯାବର। ସେ କହିଲେ- ମୁଁ ତ ମୋ ବାଟରେ ଯାଉଛି। ତେବେ କେବଳ ଏତିକି କହିେଦଇ ଯାଉଛି ଗଦ୍ଗଦ୍ ଆନନ୍ଦ ପାଇବାକୁ ହେଲେ ଗୋଟିଏ କଥା କରିବାକୁ ହେବ। ତାହା ହେଲା ମନରେ ଯେମିତି କିଛି ଇଚ୍ଛା ନ ରହେ।
ଧନିକ ଭାବିଲେ- ସେଥିଲାଗି ଫକିର ଭିକାରି ଭଳି ରହୁଥିଲେ ବି ମହାନନ୍ଦରେ ଅଛନ୍ତି। ତେଣୁ ମୋ ମନରୁ ଇଚ୍ଛା ଦୂର କରିବି। ସବୁ ଐଶ୍ବର୍ଯ୍ୟ, ଧନରତ୍ନ ଇତ୍ୟାଦି ତ୍ୟାଗ କରିବି।
ଆନନ୍ଦ ଗଦ୍ଗଦ୍ ଜୀବନ କାଟିବାକୁ ଚାହୁଁଥିବା ଧନିକ ସତରେ ସବୁ କିଛି ଛାଡ଼ିଦେଲେ। ସବୁ ଇଚ୍ଛାକୁ ମାରି ଦେବାର ଚେଷ୍ଟା କଲେ।
ଅନେକ ଦିନ ପରେ ଫକିର ସେଇ ବାଟେ ଫେରିଲେ। ସେତେବେଳକୁ ଧନୀକ ଜଣକ ମଧ୍ୟ ଫକିର ଭଳି ହୋଇ ସାରିଥିଲେ। ଦୁହିଁଙ୍କ ଭେଟ ହେଲା। ଉଭୟେ ପରସ୍ପରକୁ ସ୍ବାଗତ କଲେ। ହେଲେ, ଧନିକ କହିଲେ- ଆପଣ କହିବା ମୁତାବକ ସବୁ ଇଚ୍ଛା ମାରିଦେଲି। ଆପଣଙ୍କ ଭଳି ଫକିର ହୋଇଗଲି। ମୋର ଆଜି କିଛି ହେଲେ ଲୋଡ଼ା ନାହିଁ। କିନ୍ତୁ ଆପଣଙ୍କ ଭଳି ମସ୍ତ ମୌଲା ହୋଇପାରିଲି ନାହିଁ।
ଫକିର କହିଲେ- ଆପଣ ସବୁ କରିଛନ୍ତି ସତ, ଗୋଟିଏ ଇଚ୍ଛା ଛାଡ଼ି ପାରି ନାହାନ୍ତି। ତାହା ହେଲା ଆନନ୍ଦରେ ଗଦ୍ଗଦ୍ ହେବାର ଇଚ୍ଛା। ସେତକ ବି ରହିବ ନାହିଁ। କାରଣ ସେତକ ରହିଲେ ତାହା ନ ପାଇଲା ପର୍ଯ୍ୟନ୍ତ ଆପଣ ଉଦ୍ବେଳିତ ହେବେ, େଯମିତି ହେଉଛନ୍ତି। ତେଣୁ ଆଦୌ କୌଣସି ଇଚ୍ଛା ନ ରହିଲେ ଯାଇ ଆନନ୍ଦ ଆପଣା ଛାଏଁ ଝରିବ।
କଥାଟିଏ-ଯାଯାବର: ଆନନ୍ଦ ଝରିବ କେମିତି?
Advertisment
Follow Us