ଜଣେ ବିଦ୍ବାନ ସବୁ ଦିନ ସକାଳେ ନିଜ କାର୍ରେ ଅଫିସକୁ ଯିବା ବାଟରେ ଫୁଟ୍ପାଥ ଉପରେ ଜଣେ ଦରିଦ୍ର ଜ୍ୟୋତିଷଙ୍କୁ ଦେଖନ୍ତି। ବିଦ୍ବନ ଜଣକ ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ବାସ କରନ୍ତି ନାହିଁ ଓ ଜ୍ୟୋତିଷଙ୍କୁ ଠକ ବୋଲି ଭାବନ୍ତି।
ଦିନକର କଥା। ବିଦ୍ବାନ ରାସ୍ତାରେ ଯାଉଥିବା ବେଳେ ଦେଖିଲେ ଯେ ଜ୍ୟୋତିଷ ମହାଶୟ ଜଣକର ହାତ ଦେଖୁଛନ୍ତି। ଜ୍ୟୋତିଷ କ’ଣ ସବୁ କହୁଛନ୍ତି ତାହା ଜାଣିବାକୁ ତାଙ୍କର ଇଚ୍ଛା ହେଲା। ସେ ଯାଇ ଜ୍ୟୋତିଷଙ୍କ ପାଖରେ ଧୀରେ ଛିଡ଼ା ହେଲେ। ଜ୍ୟୋତିଷଙ୍କୁ ହାତ ଦେଖାଇଥିବା ଲୋକ ଜଣକ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ପ୍ରଶ୍ନ ପଚାରୁଥାଆନ୍ତି। ଜ୍ୟୋତିଷ ଉତ୍ତର ଦେଉଥାଆନ୍ତି ଓ ପ୍ରବୋଧନା ଦେଲା ଭଳି କିଛି କଥା କହୁଥାଆନ୍ତି। ଏଥିରେ ସେ ବ୍ୟକ୍ତି ହଠାତ୍ କହିଲେ- ଆପଣ ଜଣେ ଠକ। ଆପଣ ଜାଣି ନାହାନ୍ତି ଯେ ମୁଁ ମୋ ଜୀବନରେ କେମିତି ଶଢୁଛି! ବେଳେ ବେଳେ ଆତ୍ମହତ୍ୟା କରିବାକୁ ଭାବୁଛି। ଅଥଚ, ଆପଣ ମୋ ମନ ବହଲେଇଲା ଭଳି ପ୍ରବୋଧନା ଗୁଡ଼ାଏ ଦେଇ ଚାଲିଛନ୍ତି?
ଜ୍ୟୋତିଷ କହିଲେ- ଆଜ୍ଞା, ଆପଣଙ୍କ ଜୀବନରେ କି ଦୁଃଖ ଅଛି ଜାଣେନା। କିନ୍ତୁ ମୋ ଜୀବନର ଦୁଃଖ କଥା ଶୁଣିଲେ ଆପଣ ବି ତରଳି ଯିବେ। ମୋର ଗୋଟିଏ ପୁଅ ମଦ୍ୟପ ଓ ଅପରାଧୀ। ଆର ପୁଅ ବିକଳାଙ୍ଗ। ମୋ ପତ୍ନୀ ପାଗଳ। କିନ୍ତୁ ମୁଁ କେବେ ବି ଆପଣଙ୍କ ଭଳି ଆତ୍ମହତ୍ୟା କରିବା କଥା ଭାବି ନାହିଁ। କାରଣ ଜ୍ୟୋତିଷ ଭାଗ୍ୟରେ ବିଶ୍ବାସ କରେ। ମୋ ଜୀବନରେ ଯାହା ସବୁ ଘଟିଛି, ତାହା ଗ୍ରହ ନକ୍ଷତ୍ର ଦୋଷରୁ ହୋଇଛି ବୋଲି ମଧ୍ୟ ମୁଁ ନିଜ ଲାଗି ନିଜେ ପ୍ରମାଣ କରିଛି। ସେଥିରୁ ମୋର ଧାରଣା ଦୃଢ଼ ଯେ ଭଲ ସମୟ ଆସିଲେ ମୋ ଭାଗ୍ୟ ମଧ୍ୟ ଦିନେ ବଦଳିବ। ଆପଣଙ୍କ ଲାଗି ମଧ୍ୟ ସେହି ସାନ୍ତ୍ବନା ଅଛି। ତେଣୁ ତାହାକୁ ଧ୍ୟାନରେ ରଖନ୍ତୁ, ଜୀବନ ବଞ୍ଚି ଯାଇ ହେବ।
ଏହା ଶୁଣିବା ପରେ ବିଦ୍ବାନ ଜଣକ ସେଠାରୁ ଧୀରେ ଚାଲି ଆସିଲେ। ଜ୍ୟୋତିଷଙ୍କ ପ୍ରତି ତାଙ୍କ ଧାରଣା ବଦଳି ଯାଇଥିଲା।
କଥାଟିଏ-ଯାଯାବର: ଧାରଣା ବଦଳିଲା
Advertisment
Follow Us