ଦିଗ୍ବିଜୟୀ ଆଲେକଜାଣ୍ତର ଯୁଦ୍ଧ ଅଭିଯାନ ଶେଷ କରି ଫେରୁଥିବା ବେଳେ ଅସୁସ୍ଥ ହୋଇ ପଡ଼ିଲେ। ସେତେବେଳକୁ ତାଙ୍କୁ ମାତ୍ର ତେତିଶ ବର୍ଷ ବୟସ। କିନ୍ତୁ ଅସୁସ୍ଥତା ବଢ଼ିବାକୁ ଲାଗିଲା। ବଛା ବଛା ଚିକିତ୍ସକ ଚିକିତ୍ସା କଲା ପରେ ବି କିଛି ଲାଭ ହେଲା ନାହିଁ।
ଶେଷରେ ଆସିଲେ ସେଇ ସମୟର ସବୁଠାରୁ ପ୍ରସିଦ୍ଧ ଚିକିତ୍ସକ। ଆଲେକଜାଣ୍ତରକୁ ଦେଖିବା ପରେ ବୃଦ୍ଧ ଚିକିତ୍ସକ କହିଲେ- ସିକନ୍ଦର, ଆପଣଙ୍କ ଶେଷ ସମୟ ଉପନୀତ। ଆଉ ମାତ୍ର କିଛି ଘଣ୍ଟାର ଜୀବନ ଆପଣଙ୍କ ଠାରେ ବାକି ଅଛି।
ସିକନ୍ଦରଙ୍କ କ୍ଳାନ୍ତ ଆଖି ପତା ମୁଦି ହୋଇଗଲା। ସେ ବଡ଼ କଷ୍ଟରେ କହିଲେ- ମୁଁ ମୋ ପୃଥିବୀ ବିଜୟ ଲକ୍ଷ୍ୟ ହାସଲ କରିଛି। ଭାବିଥିଲି ତା’ ପରେ ବିଶ୍ରାମ କରିବି। ଆପଣ ଏ କ’ଣ କହୁଛନ୍ତି? ମୁଁ ମୋ ବିଶାଳ ରାଜ୍ୟ ଆପଣଙ୍କୁ ଦେବାକୁ ପ୍ରସ୍ତୁତ। ମୋତେ ଯେମିତି ହେଲେ ଭଲ କରି ଦିଅନ୍ତୁ।
ଚିକିତ୍ସକ କହିଲେ- ସିକନ୍ଦର, ଆପଣ ଭ୍ରାନ୍ତିରେ ଅଛନ୍ତି। ମନେ ରଖନ୍ତୁ, ଈଶ୍ବର ଆପଣଙ୍କ ଭାଗ୍ୟରେ ଯେତିକି ଶ୍ବାସପ୍ରଶ୍ବାସ ରଖିଛନ୍ତି, ପୃଥିବୀର କୌଣସି ସ˚ପତ୍ତି ବା ଶକ୍ତି ତା’ ଠାରୁ ଅଧିକ ଗୋଟିଏ ପ୍ରଶ୍ବାସ ଆପଣଙ୍କ ଲାଗି ଖର୍ଦ୍ଦି କରିପାରିବ ନାହିଁ।
ଏଭଳି ଏକ କ୍ଷଣରେ ସିକନ୍ଦରଙ୍କ ମନକୁ ଆସିଗଲା ଦାର୍ଶନିକ ଡିଓଜିନସଙ୍କ କଥା। ସେ ଦିନ ପରମ ବୈରାଗୀ ଡିଓଜିନସ ସିକନ୍ଦରଙ୍କ ବିରାଟ ସୈନ୍ୟ ପଟୁଆର ଦେଖି ପଚାରିଥିଲେ- ୟେ କ’ଣ ସିକନ୍ଦର? ସିକନ୍ଦର କହିଥିଲେ- ମୁଁ ପୃଥିବୀ ବିଜୟରେ ବାହାରିଛି। ଡିଓଜିନସ କହିଥିଲେ-ପୃଥିବୀ ବିଜୟ କଲା ପରେ କ’ଣ କରିବ? ସିକନ୍ଦର କହିଥିଲେ- ଆଉ କିଛି କରିବାର ନ ଥିବ। ସେତିକି ବେଳେ ବିଶ୍ରାମ କରିବି। ଡିଓଜିନସ ହସି ଉଠି କହିଥିଲେ- ପୃଥିବୀ ବିଜୟ ପରେ ଯାଇ ବିଶ୍ରାମ କରିବ? ଆସୁନ ଏବେ ମୋ ସହିତ ଏଇ ନଈ କୂଳରେ ଆରାମରେ ଶୋଇ ବିଶ୍ରାମ କରିବ!
ଜୀବନର ଶେଷ କ୍ଷଣରେ ସିକନ୍ଦର ଏ କଥାର ମର୍ମ ବୁଝିପାରୁଥିଲେ।
କଥାଟିଏ-ଯାଯାବର: ସିକନ୍ଦରଙ୍କ ବିଶ୍ରାମ
Advertisment
Follow Us