ଦୁଇ ଯୁବକ ପାଣ୍ତିତ୍ୟ ଅର୍ଜନ କଲା ପରେ ଗୁରୁଙ୍କ ଠାରୁ ବିଦାୟ ନେଲେ। ଦୁହେଁ ଥିଲେ ମହାଜ୍ଞାନୀ। ସେମାନଙ୍କ ଭିତରୁ ଜଣେ ସ୍ଥିର କଲେ ଯେ ପ୍ରବଚନ ଦେଇ ତାଙ୍କର ଜ୍ଞାନକୁ ବିତରଣ କରିବେ। ଆର ଜଣକ ସ୍ଥିର କଲେ ଯେ ପୁସ୍ତକ ରଚନା କରିବେ ଏବ˚ ତାଙ୍କର ଜ୍ଞାନକୁ ଲୋକମାନଙ୍କ ଭିତରେ ପ୍ରସାରିତ କରିବେ। ସେ ଯାହାହେଉ, ଦୁହେଁ ନିଜ ନିଜ କ୍ଷେତ୍ରରେ ଲାଗିଲା ପରେ ଦେଖାଗଲା ଯେ ପ୍ରବଚକ ଖୁବ୍ ଶୀଘ୍ର ପ୍ରସିଦ୍ଧ ହୋଇଗଲେ। ତାଙ୍କର ଅନୁଗାମୀଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଲା। କିନ୍ତୁ ଲେଖକଙ୍କ ପୁସ୍ତକ ସେମିତି ଚାଲିଲା ନାହିଁ। ତେଣୁ ଦିନେ ଲେଖକ ଭାବିଲେ- ମୁଁ ତ ତା’ଠାରୁ ଅଧିକ ଜ୍ଞାନୀ। ମୋର ତ ଗଳା ବି ବେଶ୍ ଓଜନିଆ। ତେବେ ମୁଁ ପ୍ରବଚନ ନଦେଇ ବହି ଲେଖୁଛି କିଆଁ?
ଏହା ଭାବିି ସେ ବି ମଇଦାନକୁ ଓହ୍ଲାଇ ପଡ଼ିଲେ। କିଛି ମାସ ବିତିଗଲା। କିନ୍ତୁ ଲେଖକରୁ ପ୍ରବଚକ ହୋଇଥିବା ଯୁବକ ପ୍ରବଚନ ଦେବା କ୍ଷେତ୍ରରେ ବି ସଫଳତା ପାଇଲେ ନାହିଁ। ସେ ତାଙ୍କ ପାଖରେ ଥିବା ଜ୍ଞାନର ଭଣ୍ତାରକୁ ଖୋଲିଦେଲେ। କିନ୍ତୁ କିଛି ଲାଭ ହେଲାନାହିଁ।
ତେଣୁ ସେ ଦିନେ ଗୁରୁଙ୍କ ପାଖକୁ ଯାଇ ପଚାରିଲେ- ଆପଣ ତ ଆମ ଦୁହିଁଙ୍କୁ ଭଲ ଭାବେ ଜାଣିଛନ୍ତି। ଆପଣ ନିଜେ ସ୍ବୀକାର କରନ୍ତି ଯେ ମୁଁ ତା’ଠାରୁ ଅଧିକ ଜ୍ଞାନୀ। ତେବେ ମୋ ପ୍ରବଚନକୁ ଲୋକେ କାହିଁକି ଶୁଣୁ ନାହାନ୍ତି, ଅଥଚ, ତା’ଠି ଥାଟପଟାଳ ଭାଙ୍ଗୁଛି।
ଗୁରୁ କହିଲେ- ବାବୁରେ ଏ ଜ୍ଞାନର କଥା ନୁହେଁ, ବୁଦ୍ଧିର କଥା। ପ୍ରବଚନ ଦେଲା ବେଳେ ହେଉ ବା ପୁସ୍ତକ ଲେଖିଲା ବେଳେ ହେଉ; କେଉଁଠି ସାରିବୁ, ସେ ବୁଦ୍ଧିଟି ତୋ ପାଖରେ ନାହିଁ। ତୋ ଜ୍ଞାନ ଥରେ ବାହାରିଲେ ଆଉ ସରୁନାହିଁ। ସମସ୍ତେ ସେଥି ଲାଗି ବିରକ୍ତ ହେଉଛନ୍ତି। ସେ କିନ୍ତୁ ଜାଣେ ତା’ର ପ୍ରବଚନ କେଉଁଠି ସାରିବ। ଏହି କାରଣରୁ ଲେଖକ ହେଲେ ମଧ୍ୟ ସେ ସଫଳ ହେବ।
କଥାଟିଏ-ଯାଯାବର: ଜ୍ଞାନ ନୁହେଁ ବୁଦ୍ଧି
Advertisment
Follow Us