ତିନିଟି ପାହାଡ଼ ଓ ଗୋଟିଏ ମରୁଭୂମି ଟପିଲା ପରେ ଯେଉଁ ପବିତ୍ର ମଠ ଥିଲା ସେଠାକୁ ଯିବାକୁ ଦୁଇ ଜଣ ସାଧୁ ବାହାରିଲେ। ସେହି ନିର୍ଦ୍ଦିଷ୍ଟ ସ˚ପ୍ରଦାୟର ସାଧୁମାନଙ୍କ ଲାଗି ଏହି ମଠକୁ ଯାଇ ପ୍ରାର୍ଥନା କରିବା ଥିଲା ସର୍ବଶେଷ ଲକ୍ଷ୍ୟ। କିନ୍ତୁ, କଥା ହେଲା ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ କେବଳ ସେଇ ମଠଟି ଖୋଲା ରହୁଥିଲା। ଏହି ଦୁଇ ସାଧୁଙ୍କ ଲାଗି ମଠରେ ପହଞ୍ଚିବା ଥିଲା ଅତ୍ୟନ୍ତ କଠିନ ବ୍ୟାପାର। ତଥାପି ସେମାନେ କିଛି ମାସ ଆଗରୁ ନିଷ୍ପତ୍ତି ନେଇ ଯାତ୍ରା ଆରମ୍ଭ କଲେ।
ସେମାନେ ଯାହା ଭାବିଥିିଲେ, ତା’ ଠାରୁ କାହିଁ କେତେ ଗୁଣ ଅଧିକ କଷ୍ଟକର ଥିଲା ସେ ଯାତ୍ରା। ପୁଣି ଆଉ ଏକ ସମସ୍ୟା ଥିଲା ଯେ ମଠ ବନ୍ଦ ହୋଇଯିବା ଆଗରୁ ପହଞ୍ଚିବାକୁ ହେବ। ମଠ ବନ୍ଦ ହୋଇଗଲେ ଏ ସ˚ପୂର୍ଣ୍ଣ ପ୍ରୟାସ ବିଫଳ ହୋଇଯିବାର ଭୟ ଥିଲା। ତେଣୁ ସାଧୁ ଦ୍ବୟଙ୍କୁ ଯାତ୍ରାର ବେଗ ବଢ଼ାଇବା ଜରୁରି ଥିଲା। କିନ୍ତୁ ସେଇ ବେଗରେ ନିରନ୍ତର ଯାତ୍ରା କରିବା ମଧ୍ୟ ଅସମ୍ଭବ ଥିଲା। ସେମାନେ କ୍ଳାନ୍ତ ଓ ଅବସନ୍ନ ହୋଇ ପଡ଼ିଲେ।
ଏଇ ସମୟରେ ଜଣେ ସାଧୁ କହିଲେ ନିର୍ଦ୍ଦିଷ୍ଟ ସମୟ ଭିତରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଅସମ୍ଭବ। ତେଣୁ ଆମକୁ ଅନ୍ୟ କିଛି ଉପାୟ ବାହାର କରିବାକୁ ହେବ।
ଦ୍ବିତୀୟ ସାଧୁ ପଚାରିଲେ- କି ଉପାୟ?
ପ୍ରଥମ ସାଧୁ କହିଲେ- ମୁଁ ଜାଣେ ଯେ ଆଉ କିଛି ଦୂର ପରେ ପଡ଼ିବ ଆଉ ଏକ ମଠ। ଆମ ଭଳି ଯେଉଁମାନେ ଅନେକ ଦୂରରୁ ଆସି ନିର୍ଦ୍ଦିଷ୍ଟ ସମୟରେ ମୂଳ ମଠରେ ପହଞ୍ଚି ନ ପାରନ୍ତି, ସେମାନଙ୍କ ଲାଗି ରହିଛି ଏଇ ମଠ। ଏଇ ମଠରେ ପ୍ରାର୍ଥନା କଲେ ବି ସମାନ ଫଳ ମିଳିବ। ଚାଲ, ସେଇ ମଠରେ ପ୍ରାର୍ଥନା କରି ଫେରିଯିବା।
ଦ୍ବିତୀୟ ସାଧୁ ଟିକିଏ ଅଟକି ଗଲେ ଓ କହିଲେ- ନା। ମୋ ଲକ୍ଷ୍ୟ ସ୍ଥଳ ହେଉଛି ସେଇ ମଠ। ସେଠି ନିର୍ଦ୍ଦିଷ୍ଟ ସମୟ ଭିତରେ ପହଞ୍ଚିବା ପାଇଁ ମୁଁ ମୋ ବେଗକୁ ଆହୁରି ବଢ଼ାଇବି, ଆହୁରି ପରିଶ୍ରମ କରିବି। ଯେଉଁମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ନାହିଁ ବୋଲି ପ୍ରୟାସର ସ୍ତରକୁ ନ ବଢ଼ାଇ ଲକ୍ଷ୍ୟ ବଦଳାଇ ଦିଅନ୍ତି, ମୁଁ ସେମାନଙ୍କ ଭିତରୁ ଜଣେ ନୁହେଁ। ତୁମେ ସେଠାକୁ ଯାଇପାର।
କଥାଟିଏ-ଯାଯାବର: ଦୁଇ ସାଧୁ ଓ ଦୁଇ ମଠ
Advertisment
Follow Us