ରାମସ୍ବାମୀ ତାଙ୍କ ପିତାଙ୍କ ଅନ୍ତେ ବ୍ୟବସାୟ ଦାୟିତ୍ବ ନେଲେ। ତେବେ, ସେ ବ୍ୟବସାୟର ଭାର ଗ୍ରହଣ କଲା ପରେ ଅଡୁଆ ସ୍ଥିତି ଉପୁଜିଲା। ସେ ଥିଲେ ପ୍ରବଳ ଈଶ୍ବର ବିଶ୍ବାସୀ। ତେଣୁ ବ୍ୟବସାୟ କଥା ବୁଝିବେ ନା ଠାକୁର ପୂଜା, ଆରାଧନା, ପ୍ରାର୍ଥନା, ହୋମ ଯଜ୍ଞ ଆଦିରେ ବୁଡ଼ି ରହିବେ, ଏ ନେଇ ଦ୍ବନ୍ଦ୍ବରେ ରହିଲେ।
ତାଙ୍କ ପତ୍ନୀ କହିଲେ- ତୁମେ ଈଶ୍ବର ବିଶ୍ବାସୀ, ଈଶ୍ବରଙ୍କ ପୂଜା ଆରାଧନାକୁ ଗୌଣ କର ନାହିଁ। ଈଶ୍ବର ଚାହିଲେ ତୁମର ବ୍ୟବସାୟ ବି ଭଲ ଚାଲିବ। ସୁତରା˚, ରାମସ୍ବାମୀଙ୍କ ହୋମ ଯଜ୍ଞ ଆଦିର ମନସ୍କତା ବ୍ୟବସାୟକୁ ବୁଡ଼ାଇ ଦେଲା। ବ୍ୟବସାୟରେ ଯେତେ କ୍ଷତି ହେଲା, ରାମସ୍ବାମୀ ସେତେ ପ୍ରାର୍ଥନା ହୋମ ଯଜ୍ଞାଦିରେ ବୁଡ଼ିଲେ, ଶେଷରେ ଦିନେ ସେ କପର୍ଦ୍ଦକଶୂନ୍ୟ ହୋଇଗଲେ। ଘରବାଡ଼ି ନିଲାମ ହୋଇଗଲା, କେବଳ ପିନ୍ଧା ଲୁଗା ବ୍ୟତୀତ ଆଉ କିଛି ରହିଲା ନାହିଁ। ଏମିତି ଅବସ୍ଥାରେ ଦିନେ ସକାଳେ ମନ୍ଦିରକୁ ଯାଇ ପାହାଚ ପାଖରେ ଭୋ ଭୋ ହୋଇ କାନ୍ଦି କହିଲେ- ପ୍ରଭୁ, ତୁମକୁ ଏତେ ଡାକି କି ଲାଭ ପାଇଲି? ତୁମକୁ ଡାକି ତ ସବୁ କିଛି ହରାଇଲି, ପାଇଲି କ’ଣ?
ଏଇ ସମୟରେ ସେ ପଛରୁ ଶୁଣିଲେ କେହି ଜଣେ ମୃଦୁ କଣ୍ଠରେ କହୁଛି- ତୁମେ ଏଥିରୁ ଗୋଟିଏ କଥା ପାଇଛ। ତାହା ହେଉଛି ଶିକ୍ଷା। ଏହା ହେଉଛି ଯେ କୌଣସି ବିପର୍ଯ୍ୟୟର ମୂଲ୍ୟ।
ରାମସ୍ବାମୀ ବୁଲି ଦେଖନ୍ତି ତ ଠିଆ ହୋଇଛନ୍ତି ମନ୍ଦିରର ପୂଜକ।
ସେ କହିଲେ- ତୁମ ପିତା ଓ ତୁମେ; ଉଭୟେ ଅତି ଉତ୍ତମ ଚରିତ୍ରର ଅଧିକାରୀ। ତୁମେ ଚାହିଲେ କିଛି ଅର୍ଥ ଋଣ ନେଇ ବ୍ୟବସାୟକୁ ପୁଣି ଥରେ ଆରମ୍ଭ କରିପାରିବ। କିନ୍ତୁ ଏଣିକି ଈଶ୍ବର ସବୁ କିଛି କରିଦେବେ ବୋଲି ନ ଭାବି ପ୍ରଥମେ ନିଜ କାମରେ ମଗ୍ନ ହେବ। ତାହା ମଧ୍ୟ ଏକ ପ୍ରକାର ଉପାସନା।
କଥାଟିଏ-ଯାଯାବର: ବିପର୍ଯ୍ୟୟର ମୂଲ୍ୟ
Advertisment
Follow Us