ଗୋଟିଏ ଗାଁରେ ଜଣେ ନାସ୍ତିକ ରହୁଥିଲା। ସେ ଈଶ୍ବରଙ୍କୁ ବିଶ୍ବାସ କରୁ ନ ଥିଲା ଓ ବିଶ୍ବାସୀ ଲୋକଙ୍କୁ ପରିହାସ ଓ ଗାଳିଗୁଲଜ କରୁଥିଲା।
ଏହାକୁ ସହି ନ ପାରି ମନ୍ଦିର ପୂଜକଙ୍କ ନେତୃତ୍ବରେ ଦଳେ ଈଶ୍ବର ବିଶ୍ବାସୀ ଲୋକ ନିକଟ ଜଙ୍ଗଲରେ ରହୁଥିବା ଜଣେ ସିଦ୍ଧ ଯୋଗୀଙ୍କୁ ଭେଟିଲେ। ତା’ ନାମରେ ନାନାଦି ଅଭିଯୋଗ କରି ବିଧର୍ମୀକୁ ପାନେ ଦେବା ଲାଗି ଗୋଟିଏ ଅଭିଶାପ ଦିଅନ୍ତୁ ବୋଲି ସିଦ୍ଧ ବାବାଙ୍କୁ ଅନୁରୋଧ କଲେ। ସିଦ୍ଧ ବାବା ବହୁତ ମନା କଲେ। କିନ୍ତୁ ଯେତେବେଳେ ସମସ୍ତେ ତାଙ୍କ ଉପରେ ପ୍ରବଳ ଚାପ ପକାଇଲେ ଅଗତ୍ୟା ସେ ଅଭିଶାପ ଦେଇ କହିଲେ- ହଉ ଆପଣମାନେ ଯଦି କହୁଛନ୍ତି ସେୟା ହେଉ। ଏହା କହି ସେ କମଣ୍ତଳୁର ପାଣି ଛିଞ୍ଚି କହିଲେ, ପ୍ରଭୁ ତୁମେ ଯଦି ଅଛ ତେବେ ଅମକ ଗାଁର ବଡ଼ ବିଧର୍ମୀର ଗୋଡ଼ ଛୋଟା କରିଦିଅ।
ସିଦ୍ଧ ବାବାଙ୍କ କଥା ସରିଛି କି ନାହିଁ ପୂଜକଙ୍କ ଗୋଡ଼ ଛୋଟା ହୋଇଗଲା। ସେ ବିକଳ ହୋଇ କହିଲେ- ବାବା ଏ କଅଣ କଲେ? ଆପଣଙ୍କ ଅଭିଶାପ କଅଣ ଓଲଟା ଫଳିଲା?
ସିଦ୍ଧ ବାବା କହିଲେ- କିଛି ଓଲଟା ଫଳିିନାହିଁ। ତୁମର ବିଚାର ବିଭ୍ରାଟ ହେତୁ ତୁମେ ସେମିତି ଭାବୁଛ। କଥା ହେଲା ସେ ନାସ୍ତିକ। ଈଶ୍ବରଙ୍କୁ ସେ ମାନେ ନାହିଁ ଏବଂ ସେହି କଥାକୁ ଲୁଚାଏ ନାହିଁ। ତାକୁ ତୁମେ ବିଧର୍ମୀ କହିଲେ ବି ସେ ତା’ ଧର୍ମରେ ରହିଛି। ହେଲେ, ତୁମେ ଈଶ୍ବରଙ୍କ ପୂଜକ। ସମସ୍ତଙ୍କର ମଙ୍ଗଳ ଚାହିଁବା ହେଉଛି ତୁମର ଧର୍ମ। କିନ୍ତୁ ତୁମେ ସେ ଲୋକର ଅମଙ୍ଗଳ ହେଉ ବୋଲି ଚାହୁଁଛ। ତେଣୁ ଈଶ୍ବରଙ୍କ ଦୃଷ୍ଟିରେ ତୁମେ ବିଧର୍ମୀ! ତେଣୁ ଏଭଳି ଅବସ୍ଥା ହେଲା।
କଥାଟିଏ-ଯାଯାବର: ଅଭିଶାପର ଫଳ
Advertisment
Follow Us